ଭଦ୍ରକ, ଗଞ୍ଜାମ ଓ ବୌଦ୍ଧରେ ନିଯୁକ୍ତି ହାର ନଗଣ୍ୟ
ଭୁବନେଶ୍ୱର: ଦାଦନ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ କରିଥିଲେ ବିରୋଧୀ । ରାଜ୍ୟରେ କୁଶଳୀ ଯୁବକଯୁବତୀଙ୍କ ଅଭାବ ନଥିବା ସତ୍ତ୍ୱେ ଦାଦନ ଅବସ୍ଥା ଅତି ଭୟଙ୍କର ବୋଲି କହିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।
୩୦ଟି ପୋଷ୍ୟ ପଞ୍ଚାୟତରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଟାଟା ଟ୍ରଷ୍ଟ ସହ ସରକାରଙ୍କ ଏମ୍ଓୟୁ ଶୀତଳ ଭଣ୍ଡାରରେ ପଡ଼ିଥିବା ସେ ଅଭିଯୋଗ କରିଛନ୍ତି । ୨୦୦୭-୦୮ରେ ରାଜ୍ୟର ଦାଦନ ଶ୍ରମିକଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ଲୋକ ରାଜ୍ୟ ବାହାରକୁ ଯାଇଥିବା ସେ ତଥ୍ୟ ଉପସ୍ଥାପନ କରିଛନ୍ତି।
୩୫ ଲକ୍ଷ ୪ ହଜାର ଯୁବକ ଯୁବତୀ ନିୟୋଜନ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜିକୃତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୪୫ ହଜାର ୭୮୩ ଜଣ ଅର୍ଥାତ୍ ୧.୩ ପ୍ରତିଶତ ନିଯୁକ୍ତି ପାଇଛନ୍ତି । ୧୭ ବର୍ଷ ହେଲା ଭଦ୍ରକ, ଗଞ୍ଜାମ ଓ ବୌଦ୍ଧରେ ନିଯୁକ୍ତି ହାର ଅତି ନଗଣ୍ୟ ଥିବା କହିଛନ୍ତି ପ୍ରଦୀପ୍ତ ନାଏକ। ସେପଟେ ରାଜ୍ୟରେ ବହୁ ସଂଖ୍ୟାରେ ସରକାରୀ ପଦବୀ ଖାଲି ପଡ଼ିବା ସତ୍ତ୍ୱେ ସେଗୁଡ଼ିକ ପୂରଣ ପାଇଁ ସରକାରଙ୍କ ଆନ୍ତରିକତା ନଥିବା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।