ଭୁବନେଶ୍ୱର: କରୋନା କହର ସତ୍ତ୍ୱେ ଏବର୍ଷ ହୋଇପାରେ ୟୁଜି-ପିଜି ପରୀକ୍ଷା। ଏ ଦୁଇଟି ଯାକ ପରୀକ୍ଷା ପ୍ରାୟତଃ ଅନୁଷ୍ଠିତ କରାଯିବା ନେଇ ମନସ୍ଥ ହୋଇଥିବା ସୂଚନା ଦେଇଛନ୍ତି ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ। ତେବେ ଆସନ୍ତା ୧୮ ତାରିଖରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଉଭୟ ମାଟ୍ରିକ ଓ ପ୍ଲସ-ଟୁ ପରୀକ୍ଷା ବାତିଲ୍ ପରେ ୟୁଜି-ପିଜି ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏଥିପାଇଁ ଆଜି ଭର୍ଚୁଆଲ୍ ମୋଡ୍‌ରେ କୁଳପତିମାନଙ୍କ ବୈଠକ ଡାକିଥିଲା ଉଚ୍ଚଶିକ୍ଷା ବିଭାଗ। ସେ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି-କୁଳପତି ସମ୍ମିଳନୀରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି। ଯେହେତୁ ଅନଲାଇନ୍‌ରେ ସ୍ନାତକ ଓ ସ୍ନାତ୍ତୋକତ୍ତର ପାଠପଢ଼ା ଚାଲିଛି, ତେଣୁ ଜୁନ୍ ଶେଷ ସୁଦ୍ଧା କୋର୍ସ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏମିତିକି ଗତବର୍ଷ କିଭଳି ପରୀକ୍ଷା ହୋଇଥିଲା ସେ ନେଇ ବି ସମ୍ମିଳନୀରେ ଆଲୋଚନା ହୋଇଛି। କୁଳପତିମାନେ ଏବର୍ଷର ପରୀକ୍ଷା ନେଇ ମୁଖ୍ୟତଃ ଛାତ୍ରଛାତ୍ରୀ ଓ କଲେଜ ଅଧ୍ୟକ୍ଷମାନଙ୍କ ସହ ଆଲୋଚନା କରିବେ। ୭ଦିନ ଭିତରେ ମତାମତ ସଂଗ୍ରହ କରିବା ପରେ ୧୮ ତାରିଖରେ ପରୀକ୍ଷା ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

ତେବେ ଉପାନ୍ତ ଅଞ୍ଚଳର ପିଲା କେମିତି ଦେବେ ପରୀକ୍ଷା ? ଯେହେତୁ ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ କମ୍ପ୍ୟୁଟର, ଇଣ୍ଟରନେଟ୍ ଓ ଆଣ୍ଡ୍ରଏଡ୍ ମୋବାଇଲ୍ ସେଟ୍ ମୁଖ୍ୟ ସମସ୍ୟା ଭାବେ ଉଭା ହେବ। ସେଭଳି ସ୍ଥିତିରେ ସମ୍ପୂର୍ଣ୍ଣ ଅନ୍ ଲାଇନ୍ ପରୀକ୍ଷା ସମ୍ଭବ ହେବ ତ ? ନା ଗତବର୍ଷ ଭଳି ଅନଲାଇନ୍ ଓ ଅଫଲାଇନ୍ ଉଭୟ ମୋଡରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯିବ ? ତାକୁ ନେଇ ବଢିଛି ଛାତ୍ରଛାତ୍ରୀଙ୍କ ଆଶଙ୍କା।

ତାସହ ଗତବର୍ଷ କେବଳ ୟୁଜି ଓ ପିଜିର ଶେଷ ସେମିଷ୍ଟର ପରୀକ୍ଷା ହୋଇଥିଲା। ଅନ୍ୟ ସେମିଷ୍ଟର ପରୀକ୍ଷା ନହୋଇ ଆଭରେଜ ମାର୍କ ଆଧାରରେ କ୍ଲାସ ପ୍ରମୋସନ କରାଯାଇଥିଲା। ତେଣୁ ପ୍ରଶ୍ନ ଏଥର ଆପଣାଯିବ କେଉଁ ଆଧାର ? ତେଣେ ଅଧ୍ୟାପକ ସଂଘର ଦାବି, ସବୁଠି ଅନ୍ ଲାଇନ୍ ପରୀକ୍ଷା ସମ୍ଭବ ନୁହେଁ, ଅଫଲାଇନ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେଇ ପରୀକ୍ଷା ବ୍ୟବସ୍ଥା ହେଉ। ସେହିପରି କରୋନା କାଳରେ ପରୀକ୍ଷାକୁ ଛାତ୍ରଛାତ୍ରୀ ମହଲରେ କିଏ ବିରୋଧ କରୁଥିବାବେଳେ କିଏ ସ୍ୱାଗତ କରିଛନ୍ତି। ସୂଚନା ଅନୁସାରେ ରାଜ୍ୟରେ ପ୍ରାୟ ୮୫୦ ଡିଗ୍ରୀ କଲେଜ ରହିଛି। ୧୧ଟି ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଏସବୁ କଲେଜରେ କିପରି ସଂକ୍ରମଣ ମୁକ୍ତ ପରୀକ୍ଷା ହୋଇପାରିବ ତାହା ହିଁ ଉଚ୍ଚଶିକ୍ଷା ବିଭାଗ ପାଇଁ ବଡ ଚାଲେଞ୍ଜ।

ରିପୋର୍ଟ: ରଶ୍ମିରଞ୍ଜନ ଦାସ ଓ ଜଗଦୀଶ ଦାସ

Other Stories