ଝାରସୁଗୁଡ଼ାରେ ଉଡ଼ାନ୍ ଯୋଜନା ଫେଲ୍‌

ଝାରସୁଗୁଡ଼ା: ଦେଶର ଅଧିକରୁ ଅଧିକ ଲୋକେ ବିମାନରେ ଉଡ଼ିବେ। ଅଧିକାଂଶ ସ୍ଥାନକୁ ଆକାଶମାର୍ଗରେ ସଂଯୋଗ କରିହେବ। ଏହି ସ୍ୱପ୍ନ ନେଇ କେନ୍ଦ୍ର ସରକାର ଆରମ୍ଭ କରିଥିବା ଉଡ଼ାନ୍ ଯୋଜନାକୁ ଶକ୍ତ ଧକ୍କା ଲାଗିଛି।

ଏୟାର ଓଡ଼ିଶାର ଚୁକ୍ତି ବାତିଲ୍‌ ପାଇଁ ଏକ ପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଛି। ଉଡ଼ାନ୍ ଯୋଜନା ପାଇଁ ଏୟାର ଓଡ଼ିଶା ପାଇଥିବା ସମସ୍ତ ରୁଟ୍‌ର ଚୁକ୍ତିକୁ ବାତିଲ୍‌ କରିବାକୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି। ଚୁକ୍ତିର ଖିଲାପ ପାଇଁ ପଦକ୍ଷେପ ମଧ୍ୟ ନିଆଯାଇଛି।

ପଶ୍ଚିମ ଓଡ଼ିଶା ଗେଟ୍‌ୱେର ନାଁ ପାଇଥିବା ଝାରସୁଗୁଡ଼ା ଏୟାରପୋର୍ଟରେ ଉଡ଼ାନ୍ ଯୋଜନା ଫେଲ୍ ମାରିଛି। ବିମାନ ସେବାର ଦାୟିତ୍ୱ ପାଇଥିବା ଏୟାର ଓଡ଼ିଶା ତରଫରୁ ବିମାନ ଉଡ଼ୁ ନାହିଁ।

ତେଣୁ ଏହାର ଚୁକ୍ତି ବାତିଲ କରିବାକୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, କମ୍ପାନୀକୁ ଚିଠି ଲେଖିଛି। ଠିକ୍ ସମୟରେ ବିମାନ ନ ଉଡ଼ାଇବା, କମ୍ପାନୀ ଠିକ୍ ଭାବେ କାର୍ଯ୍ୟ ନ କରିବା ଓ ଚୁକ୍ତି ଅନୁଯାୟୀ ଅନ୍ୟୁନ ୭୦ ପ୍ରତିଶତ ଥର ବିମାନ ନ ଉଡ଼ାଇଥିବା ଯୋଗୁଁ ଏହି ପଦକ୍ଷେପ ନିଆଯାଇଥିବା ଚିଠିରେ କୁହାଯାଇଛି। ଦୁଇ ମାସ ଭିତରେ ନୂଆ ଟେଣ୍ଡର କରି ବିମାନ ସେବା ସ୍ୱାଭାବିକ କରିବା ପାଇଁ ଚେଷ୍ଟା କରାଯାଉଛି।

ଓଡ଼ିଶାର ଦ୍ୱିତୀୟ ସିଡ୍ୟୁଲ ବିମାନବନ୍ଦର ଭାବେ ମାନ୍ୟତା ପାଇଥିଲା ଝାରସୁଗୁଡ଼ା ଏୟାରପୋର୍ଟ।  ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହା ସମାରୋହରେ ବିମାନ ବନ୍ଦରର ଉଦ୍‌ଘାଟନ କରିଥିଲେ।

କିନ୍ତୁ ସେହି ଦିନରୁ ମାତ୍ର ୩/୪ ଥର ଏୟାର ଓଡ଼ିଶାର ବିମାନ ଉଡ଼ାଣ କରିଛି। ତା’ ପରେ ଯେଉଁ  ପରିସ୍ଥିତି ସୃଷ୍ଟି ହୋଇଛି, ତା’ ଦ୍ୱାରା ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ବେଶ୍ ପ୍ରଭାବିତ ହେବ ବୋଲି ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଟୁର୍ ଅପରେଟର୍ସ, ଓଡ଼ିଶା ଚାପ୍ଟର ଆଶଙ୍କା ବ୍ୟକ୍ତ କରିଛି।

ଏହି ପ୍ରସଙ୍ଗରେ ଏୟାର ଓଡ଼ିଶାର ପ୍ରତିକ୍ରିୟା ମିଳି ପାରି ନାହିଁ।

ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାକୁ ସ୍ଥାନିତ କରିବାକୁ ଯେଉଁ ଉଦ୍ୟମ ହୋଇଥିଲା,ବିମାନ ଉଡ଼ାଣ ପାଇଁ ଅନୁମତି ପାଇଥିବା ସଂସ୍ଥା ବିମାନ ନ ଉଡ଼ାଇବା ଓ ଏହାର ଚୁକ୍ତି ବାତିଲ୍‌ ପ୍ରକ୍ରିୟା ଆରମ୍ଭ ହେବା ଦ୍ୱାରା, ଏକ ପ୍ରକାର ଶକ୍ତ ଧକ୍କା ଲାଗିଛି।

(ଭୁବନେଶ୍ୱରରୁ ପ୍ରଭାତ ସିହ୍ନାଙ୍କ ସହ ଅରିନ୍ଦମ ଦାସଙ୍କ ରିପୋର୍ଟ)

You might also like