ଯାଜପୁର: ନଦୀରେ ବୁଡ଼ି ଦୁଇ ଯୁବକଙ୍କ ସଲିଳ ସମାଧି। ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ଶଙ୍କରାକୂଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବ୍ଲକ ଶଙ୍କରାକୂଳ ଗାଁ ନିକଟ ବ୍ରାହ୍ମଣୀ ନଦୀ ପଠାରେ ଆଜି ସକାଳେ ଯୁବକ ଦ୍ୱୟ ଗାଧୋଉଥିବା ବେଳେ ନଦୀରେ ବୁଡ଼ି ନିଖୋଜ ହୋଇ ଯାଇଥିଲେ। ସେମାନଙ୍କୁ ମୃତ ଅବସ୍ଥାରେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି। ମୃତକ ଦ୍ୱୟ ହେଲେ- ଗାଁର ଶରତ ମିଶ୍ରଙ୍କ ପୁଅ ସୁନୀଲ ମିଶ୍ର (୨୩) ଏବଂ କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର ପଣ୍ଡା (୧୮)।
ସୂଚନା ଅନୁସାରେ, ସୁନୀଲ ଓ ଜିତେନ୍ଦ୍ର ଆଜି ଦିନ ୧୧ଟାରେ ଶଙ୍କରାକୂଳ ଗାଁ ନିକଟ ବ୍ରାହ୍ମଣୀ ନଦୀ ପଠାରେ ଗାଧୋଉ ଥିବାବେଳେ ଅସାବଧାନତା ବଶତଃ ନଦୀରେ ବୁଡ଼ି ଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ଗ୍ରାମବାସୀଙ୍କ ଦ୍ୱାରା ପ୍ରଥମେ ଜିତେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ ବରୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ସୁନୀଲଙ୍କ ମୃତଦେହ ଉଦ୍ଧାର କରିଥିଲେ। ଦୁଇ ଯୁବକଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।