ଆନ୍ଧ୍ର ପରେ ମୁମ୍ବାଇରେ ଦାଦନ ଦୁଃଖ

କହିଥିଲେ ଦେବେ ୮୫୦୦, ଦେଲେ ଶାରୀରିକ ନିର୍ଯାତନା

ଭୁବନେଶ୍ୱର: ସରୁନି ଦାଦନ ଦୁଃଖ। ପେଟପାଟଣା ପାଇଁ ବାହାର ରାଜ୍ୟକୁ କାମ କରିବାକୁ ଯାଇ କିଏ କିଡନୀ ହରାଉଛି ତ କିଏ ପଙ୍ଗୁ ହେଉଛି। କିଏ ଦୂରାରୋଗରେ ଆକ୍ରାନ୍ତ ହେଉଛି ତ ଆଉ କିଏ ଶବ ହୋଇ ଫେରୁଛି। ନିର୍ଯାତନାର ଶିକାର ହେବା ଘଟଣା ବଢ଼ିବାରେ ଲାଗିଛି। ସେହିପରି ଯୁବତୀମାନଙ୍କୁ ମଧ୍ୟ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନାର ଶୀକାର ହେବାକୁ ପଡ଼ୁଛି। ଏହାର ଆଉ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ଦିନକୁ ୮ ଘଣ୍ଟା ଖଟଣି ବଦଳରେ ମାସକୁ ୮ ହଜାର ୫୦୦ ଟଙ୍କାର ପ୍ରତିଶ୍ରୁତି ଦେଇ ଢେଙ୍କାନାଳ କଙ୍କଡ଼ାହାଡ଼ ଅଞ୍ଚଳର ଦୁଇ ଯୁବତୀଙ୍କୁ ମୁମ୍ବାଇ ନେଇଯାଇଥିଲେ ଯାଜପୁର ଜିଲ୍ଲା ହରିପୁରର ଦଲାଲ ଟିକି ସାହୁ  ଓ ଶ୍ରମିକ ଠିକାଦାର ସନ୍ତୋଷ ସାହୁ। ପ୍ରାୟ ୬ ମାସ ଧରି ଶାରୀରିକ ଓ ମାନସିକ ନିର୍ଯାତନା ସହିବା ପରେ ଏମାନେ କୌଶଳ କ୍ରମେ ଖସି ଆସିବାରେ ସଫଳ ହୋଇଛନ୍ତି। ଭୁବନେଶ୍ୱର ଷ୍ଟେସନରୁ କର୍ମଜୀବୀ ମହିଳା ସଂଘ ଏମାନଙ୍କୁ ଉଦ୍ଧାର କରିଛି। ଏମାନଙ୍କ ସହ ଯାଇଥିବା ୩୦ରୁ ଅଧିକ ଯୁବତୀ ଏବେବି ମୁମ୍ବାଇରେ ଫସି ରହିଛନ୍ତି।

ସେପଟେ ଆନ୍ଧ୍ର ଇଟାଭାଟି ମାଲିକଙ୍କ ଏସିଡ୍ ଆକ୍ରମଣରେ ଗୁରୁତର ସୁନ୍ଦରଗଡ଼ ହେମଗିରି ଗାଁର ଶ୍ରମିକ ଜୟଦେବ ଚନ୍ଦନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଜୟଦେବଙ୍କ ଉପରକୁ ଇଟାଭାଟି ମାଲିକ ଏସିଡ୍ ମାଡ଼ କରିବା ସହ ଅନ୍ୟ ଜଣେ ଶ୍ରମିକଙ୍କ ଆଙ୍ଗୁଠି କାଟି ଦେଇଥିବା ଅଭିଯୋଗ କରିଥିଲେ। ଏବେ ସେଠାରେ ଫସି ରହିଥିବା ଅନ୍ୟ ୭ ଶ୍ରମିକକଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ କରାଯାଉଥିବା ଜିଲ୍ଲା ଶ୍ରମ ବିଭାଗ କହିଛି। ଅନ୍ୟପକ୍ଷରେ ଦାଦନ ନିର୍ଯାତନାର ନୂଆ ନୂଆ କାହାଣୀ ସାମ୍ନାକୁ ଆସୁଥିବା ବେଳେ ରାଜ୍ୟ ସରକାର ଶ୍ରମିକଙ୍କ ଲାଗି ଅନେକ ଯୋଜନା କରିଥିବା ଶ୍ରମ ମନ୍ତ୍ରୀ କହିଛନ୍ତି।

ସୂଚନା ଅନୁସାରେ, ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ସମେତ ୧୧ଟି ଜିଲ୍ଲାକୁ ଦାଦନ ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି। କାମ ଧନ୍ଦା ଅଭାବରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବା ଲାଗି ଅନ୍ୟ ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ତେବେ ଅନେକ ସମୟରେ ଶ୍ରମିକମାନେ ନିର୍ଯାତନାର ଶିକାର ହେଉଥିବା ନଜରକୁ ଆସୁଛି।

ଏପଟେ ଶ୍ରମ ବିଭାଗ ତଥ୍ୟ ଅନୁଯାୟୀ, ଗତବର୍ଷ ବିଭିନ୍ନ ରାଜ୍ୟରେ ନିର୍ଯାତନାର ଶିକାର ୧୨୩୫ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବର୍ଷ ଏଯାଏଁ ୩୦୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଦାଦନଙ୍କୁ ସହାୟତା ଦେବା ଲାଗି ପାଞ୍ଚଟି ରାଜ୍ୟରେ ହେଲ୍ପ ଡେସ୍କ ରହିଛି। କେବଳ ଲାଇସେନ୍ସ ପାଇଥିବା ସଂସ୍ଥାଙ୍କ ସହାୟତାରେ କାମ କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଉଛି। ହେଲେ ପ୍ରଶ୍ନ ଯଦି ଏସବୁ ସଠିକ୍ କାର୍ଯ୍ୟକାରୀ ହେଉଛି, ତେବେ ଦାଦନ ସମସ୍ୟା କମିବା ବଦଳରେ ବଢୁଛି କାହିଁକି ?

You might also like