ଭୁବନେଶ୍ୱରରେ ଚାଞ୍ଚଲ୍ୟ: ମା’କୁ ପିଟିପିଟି ମାରିଦେଲେ ୨ ନାବାଳକ ପୁଅ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏୟାରଫିଲ୍ଡ ଥାନା ଅଞ୍ଚଳରେ ମା’କୁ ପିଟିପିଟି ହତ୍ୟା କରିଛନ୍ତି ୨ ନାବାଳକ ପୁଅ। ସେମାନଙ୍କ ବୟସ ଯଥାକ୍ରମେ ୧୨ ଓ ୧୫ ବର୍ଷ ହେବ ବୋଲି ଜଣାପଡ଼ିଛି। ପୋଲିସ୍‌ ଦୁଇ ଭାଇଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ଘରୋଇ କଳିରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଏୟାରଫିଲ୍ଡ ଥାନା ଅଞ୍ଚଳ ଏକ ଆପାର୍ଟମେଣ୍ଟ୍‌ରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଛି।

ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା ନିଶା ସେବନ କରି ଘରେ ଝଗଡ଼ା କରିବା ସହ ତାଙ୍କ ପିଲାମାନଙ୍କୁ ମାର୍‌ପିଟ୍‌ କରୁଥିଲେ। ଏହାକୁ ୨ ପୁଅ ବିରୋଧ କରି ଆସୁଥିଲେ। ଗତକାଲି ମଧ୍ୟ ମହିଳା ଜଣକ ନିଶାଗ୍ରସ୍ତ ହୋଇ ଘରେ ଝଗଡ଼ା କରିଥିଲେ। ଫଳରେ ୨ ଭାଇ ମା’ଙ୍କୁ ଶାବଳରେ ପିଟି ହତ୍ୟା କରିବାପରେ ବାଥ୍‌ରୁମ୍‌ ଭିତରେ‌ ମୃତଦେହ ରଖି ଘରେ ତାଲା ପକାଇ ପଳାଇଥିଲେ। ଏହାପରେ ସେମାନେ ଜଣେ ବ୍ୟକ୍ତିଙ୍କୁ ଫୋନ୍‌ କରି କହିଥିଲେ ଘରେ ମା’ଙ୍କୁ କେହି ଆକ୍ରମଣ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ସ୍ଥାନୀୟ ଲୋକଙ୍କ ସହ ଆପାର୍ଟମେଣ୍ଟରେ ପହଞ୍ଚିବା ପରେ ଦେଖିବାକୁ ପାଇଥିଲେ ଯେ, ବାହାରପଟୁ ଘରର କବାଟ ବନ୍ଦ ରହିଛି।

ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଉକ୍ତ ମହିଳାଙ୍କ ୨ ନାବାଳକ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦୁଇ ଭାଇ ହିଁ ସେମାନଙ୍କର ମା’କୁ ହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।

You might also like