ଶ୍ରଦ୍ଧା ବାଲିରେ ନିଖୋଜ ମାଳିନୀ… ‘ଶରଧାବାଲି’

ପୁରୀ: ସବୁ ରାସ୍ତା ଧାଇଁଛନ୍ତି ବଡ଼ଦାଣ୍ଡକୁ। ସବୁ ନଦୀ ଧାମନ୍ତି ଜଳଧି। ସମୁଦ୍ରରେ ନିଜକୁ ହଜାଇ ଦେବାରେ ନଦୀର ପରିପୂର୍ଣ୍ଣତା…ପରିତୃପ୍ତି। ଗୋଟାଏ ବିନ୍ଦୁରେ ଶ୍ରୀମନ୍ଦିର ଆଉ ଏକ ବିନ୍ଦୁରେ ଗୁଣ୍ଡିଚା ମନ୍ଦିର। ଏହି ଦୁଇ ବିନ୍ଦୁକୁ ଯୋଗ କରୁଥିବା ବକ୍ରରେଖାର ନାମ ବଡ଼ ଦାଣ୍ଡ, ପୁରୀର ଲାଇଫ ଲାଇନ ଏହି ଦାଣ୍ଡ।

ଆଜି ଏହି ଦାଣ୍ଡ ଜାତୀୟ ରାଜପଥ ମାନ୍ୟତାପ୍ରାପ୍ତ ସୁନ୍ଦର ମସୃଣପଥ। କାଲି କିନ୍ତୁ ଥିଲା ବାଲିର ଦାଣ୍ଡ। ଏହି ସିକତା ପଥକୁ ଦ୍ୱିଖଣ୍ଡିତ କରି ନଦୀଟିଏ ବହି ଯାଉଥିଲା। ନାମ ତାର ମାଳିନୀ। ସମୁଦ୍ର ସହ ମିଳିତ ହୋଇଥିଲା ବାଙ୍କୀ ମୁହାଣରେ। ବିସ୍ତୀର୍ଣ୍ଣ ରାଜପଥ। ଦୁଇପାର୍ଶ୍ୱରେ ବୃକ୍ଷବିଥୀ। ସେ ପଥକୁ ଚିରି ସମୁଦ୍ର ସହ ମିଳିତ ହେବା ପାଇଁ ଉତ୍କଣ୍ଠିତା ସ୍ରୋତସ୍ୱିନୀଟିଏ। କେଡ଼େ ସୁନ୍ଦର ଛବିଟିଏ କୁଆଡ଼େ ହଜିଗଲା ହାୟ !

ଆଜି ମଣିଷ, ଗାଈଗୋରୁ ହାବୁରୁ ଜାବୁରୁ। କ୍ୟାବିନ୍‌, ଠେଲାଗାଡ଼ି, ପସରା, ରିକ୍ସା, ଅଟୋରିକ୍ସା, ଗାଡ଼ିମୋଟର ସମସ୍ତେ ଯେମିତି କୁଢେଇ ହୋଇ ପଡ଼ିଛନ୍ତି ଏଇ ବଡ଼ଦାଣ୍ଡରେ ।

ବଡ଼ଶଙ୍ଖରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳର ନାମ ଶରଧାବାଲି। କିଏ ଦେଇଥିଲା ଏତେ ସୁନ୍ଦର ନାଆଁଟଏ ! କାହା ନାମରେ ନାମିତ ହୋଇଥିଲା ? ଆଜି ଏସବୁ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ମିଳେନାହିଁ।

ହଣ୍ଟର ସାହବ ଦିନେ ଯଥାର୍ଥରେ କହିଥିଲା, ଗୋଟିଏ ଜାତିର ସବୁ ଶ୍ରଦ୍ଧା ଯେମିତି ଅଜାଡି ହୋଇ ପଡ଼ିଛି। ଅନ୍ୟଭାଷାରେ କହିଲେ ଏକ ସୀମିତ ଅଞ୍ଚଳ ନୁହେଁ, ସମଗ୍ର ପୁରୀ ସହରର ଶରଧା ବାଲି।

କିଛି ବର୍ଷ ତଳେ ଶରଧାବାଲିର ରୂପ ଆଜିଭଳି ନ ଥିଲା। ଏ ଅଞ୍ଚଳରେ ଏତେ ଘରଦ୍ୱାର ନ ଥିଲା। ଦୁଇପଟେ କିଆବାଡ, ବିସ୍ତୀର୍ଣ୍ଣ ବାଲି, ମଝିରେ ସାଧାରଣ ପିଚୁ ରାସ୍ତା। ବର୍ଷା ଆସିଗଲେ ପାଣି ଜମୁଥିଲା। ସେ ପାଣିରେ ଚିରୁଡି,  ପାଣି ଶିଉଳି, ନୀଳକଇଁ ହେଉଥିଲା। ମାଛ ଖେଳୁଥିଲେ। ବଡ଼ଶଙ୍ଖ ପରେ ଏ ଅଞ୍ଚଳରେ ଟିକିଏ ଅଧିକ ଶୀତ ହେଉଥିଲା।

ଏବେ ନଦୀଟି ଲିଭାଇ ଦିଆଗଲା। ମାଦଳାପାଞ୍ଜି ଅନୁଯାୟୀ ଗଙ୍ଗବଂଶୀ ବୀର ନରସିଂହ ଦେବ ବାଙ୍କୀ ମୁହାଣ ପୋତାଇଲେ।  ଗୁଣ୍ଡିଚାଘରର ନାକଚଣା ଦ୍ୱାର ସମ୍ମୁଖରେ ଏକ ଚଉହଦୀରେ କିଛି ବାଲି ଛାଡି ଦିଆଯାଇ ଶରଧାବାଲିର ସ୍ମୃତିରକ୍ଷା ଉଦ୍ୟମ କରାଯାଇଛି। ତେବେ ଯେଉଁ ପର୍ଯ୍ୟନ୍ତ ଧନ ମାଗୁ ନାହିଁ, ଜନ ମାଗୁନାହିଁ.. ମାଗୁଛି ଶରଧା ବାଲିରୁ ହାତେ ଜଣାଣଟି ରହିଛି, ସେ ପର୍ଯ୍ୟନ୍ତ ଶରଧାବାଲି ଆମ ହୃଦୟରେ ଥିବ।

ଡକ୍ଟର ସିଦ୍ଧେଶ୍ୱର ମହାପାତ୍ରଙ୍କ ‘ନୀଳ ପାହାଡ଼ର ଡାକ’ରୁ ଉଦ୍ଧୃତ

You might also like