ବାଲେଶ୍ୱର କୋଭିଡ୍ ହସ୍ପିଟାଲର ୨ ନର୍ସଙ୍କୁ କରୋନା
ବାଲେଶ୍ୱର: ବାଲେଶ୍ୱର କୋଭିଡ୍ ହସ୍ପିଟାଲର ୨ ଜଣ ନର୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି।
କରୋନା ଆକ୍ରାନ୍ତ ୨ ନର୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୨ ନର୍ସଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ହସ୍ପିଟାଲ୍ର ଅନ୍ୟ କର୍ମଚାରୀମାନେ ପର୍ଯ୍ୟାୟକ୍ରମେ କ୍ୱାରେଣ୍ଟିନ୍ରେ ରହୁଛନ୍ତି। ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ ୧୪ ଦିନ ଲେଖାଏ କ୍ୱାରେଣ୍ଟିନ୍ରେ ରହୁଛନ୍ତି।
ଅନ୍ୟପକ୍ଷରେ ବାଲେଶ୍ୱର କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ହସ୍ପିଟାଲର ଫାଟକ ନିକଟରେ ଧାରଣା ଦେଇଛନ୍ତି ୩୫ରୁ ଅଧିକ ନର୍ସ। ହସ୍ପିଟାଲରେ କାର୍ଯ୍ୟରତ ସମସ୍ତ ନର୍ସଙ୍କ ସ୍ୱାବ୍ ଟେଷ୍ଟ କରିବାକୁ ସେମାନେ ଦାବି କରିଛନ୍ତି। ଏହାସହ କୋଭିଡ୍ ଟେଷ୍ଟରେ ନିୟୋଜିତ ନର୍ସଙ୍କୁ ସରକାରୀ ଭିତ୍ତିରେ ଦରମା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।
ସେପଟେ ସମସ୍ତ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ କରିବାକୁ କୌଣସି ନିୟମ ନାହିଁ ବୋଲି କୋଭିଡ୍ ହସ୍ପିଟାଲ୍ ଇନଚାର୍ଜ କହିଛନ୍ତି। କେବଳ ଲକ୍ଷଣ ଦେଖାଗଲେ ଟେଷ୍ଟ୍ କରାଯିବ। ସେହିପରି ଦରମା ବଢାଇବା ପ୍ରସଙ୍ଗରେ ସେ କହିଛନ୍ତି, ଯେଉଁ ହସ୍ପିଟାଲ ସେମାନଙ୍କୁ ନିଯୁକ୍ତି ଦେଇଥିବ ସେହି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏହି ଦାୟିତ୍ୱ।