ନୂଆବର୍ଷରେ ରାଜ୍ୟରେ ଦୁଇଟି ନୂଆ ରାଜନୈତିକ ଦଳଙ୍କ ଆତ୍ମପ୍ରକାଶ ସମ୍ଭାବନା

ଭୁବନେଶ୍ୱର : ୨୩ ନଭେମ୍ବର। ବ୍ରଜ ତ୍ରୀପାଠୀଙ୍କ ସମତା କ୍ରାନ୍ତି ଦଳରେ ବିଜୁଙ୍କ ନାଁ ଯୋଡ଼ି ଦାମ ଘୋଷଣା କଲେ ବିଜୁ ସମତାକ୍ରାନ୍ତି ଦଳ। ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢ଼େଇର ଆହ୍ୱାନ ଦେଇ ବିଜେଡି ବିରୋଧରେ ବିଜୁ ଅନୁଗାମୀଙ୍କୁ ଏକାଠି କରିବାର ପ୍ରୟାସ ହେଲା।

ତେବେ ନାଁ ସିନା ଘୋଷଣା ହୋଇଗଲା ,କିନ୍ତୁ ବିଜୁଙ୍କ ନାଁରେ ଦଳ ଆଗକୁ ବଢିପାରିଲା ନାହିଁ। ଦାମ ଓ ବ୍ରଜ ଆଉ ଏକାଠି ଦେଖାଗଲେନି। ଚର୍ଚ୍ଚା ହେଲା ଦୁହିଁଙ୍କ ଭିତରେ ଫାଟ ଯୋଗୁଁ ଅଧାରେ ଅଟକିଗଲା ବିଜୁ ସମତାକ୍ରାନ୍ତିର ଯାତ୍ରା। ତେବେ ନୂଆ ବର୍ଷରେ ପୁଣି ଏକ ଦଳ କରି ବିଜେଡିକୁ ଗାଦିଚ୍ୟୁତ କରିବାର ଯୋଜନା ଛାଡି ନାହାଁନ୍ତି ଦାମ।

ଏବେ କିନ୍ତୁ ଦଳର ନାଁ ନ କହିଲେ ବି ଗୋପନରେ ଦଳର ଅଭ୍ୟୁଦୟ ବିଜେଡିକୁ ଚ୍ୟାଲେଞ୍ଜ ଦେବ ବୋଲି ଦାମ ଦମ୍ଭୋକ୍ତି କରୁଛନ୍ତି। ନିର୍ବାଚନ ପୂର୍ବରୁ ଆଉ ଏକ ସମୀକରଣର ଗଣିତ କଷୁଛନ୍ତି ବିଜେପି ଛାଡିଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ। ଏହା ଭିତରେ ବିଜୟ କେନ୍ଦ୍ରାପଡ଼ାର  ବିଭିନ୍ନ ସ୍ଥାନରେ ସାଧାରଣ ସଭା କରି ଲୋକଙ୍କ ମୁଡ୍ ପରିଖିଛନ୍ତି ।

ଯଦିଓ ଦିଲ୍ଲୀପ ବିଜ଼େଡ଼ି ମୁହାଁ ବୋଲି ଚର୍ଚ୍ଚା ହେଉଥିଲା, ତଥାପି ବିଜୟଙ୍କ ଗଣିତ କିଛି ଭିନ୍ନ ଇଙ୍ଗିତ କରୁଛି। ବିକଳ୍ପ ନେତୃତ୍ୱ ସନ୍ଧାନରେ ଅଛନ୍ତି କହି ବିଜୟ ନୂଆ ଦଳର ସଙ୍କେତ ଦେଇଛନ୍ତି। ସେପଟେ ବିଜେଡି ଛାଡିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହାଁନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। କିଛି ଦିନ ତଳେ ନିଜ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବୈଜୟନ୍ତ କହିଥିଲେ ରାଜ୍ୟରେ ବଢ଼ି ଚାଲିଥିବା ଦୁର୍ଷ୍କମ, ଦୁର୍ନୀତି, ଦାଦନ ଓ ବେକାରୀ ବିରୋଧରେ ଲଢିବା ପାଇଁ ତାଙ୍କୁ କିଏ ସମର୍ଥନ ଦେବ ବା ସେ କାହାକୁ ସମର୍ଥନ ଦେବେ ସେନେଇ ଆଲୋଚନା ଚାଲିଛି। ନିଷ୍ପତ୍ତି ଚୂଡ଼ାନ୍ତ ହୋଇନି।

ତେବେ ବିଜେଡିକୁ ଟକ୍କର ଦେବା ଲାଗି ନୂଆ ଦଳର ପରିକଳ୍ପନାକୁ ତାତ୍ସଲ୍ୟ କରିଛି ବିଜେଡି। କଂଗ୍ରେସ ଓ ବିଜେପି ମଧ୍ୟ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି।

‘ଆମ ଓଡ଼ିଶା ଦଳ’ ଗଢିଥିବା ସୌମ୍ୟ ରଂଜନ ପଟ୍ଟନାୟକ ବିଜେଡିରେ ମିଶିଯାଇଥିବା ବେଳେ ସମତାକ୍ରାନ୍ତିର ପ୍ରମୁଖ ନେତା ଜର୍ଜ ତିର୍କୀ ଏବେ କଂଗ୍ରେସରେ। ଏପଟେ ଜନସମୃଦ୍ଧି ପାର୍ଟି ନାଁରେ ନୂଆ ଦଳ କରି କେନ୍ଦୁଝରର ସହରରେ ପୋଷ୍ଟର ମାରିଛନ୍ତି ସ୍ୱାଧୀନ ବିଧାୟକ ସନା ମହାକୁଡ।

ତେବେ ରାଜ୍ୟରେ ଦଳ ଗଠନ ଫର୍ମୁଲା କେତେ ସଫଳ ହେଉଛି ଓ ଆଗାମୀ ନିର୍ବାଚନରେ ଏମାନଙ୍କ ଭୂମିକା କଣ ରହୁଛି,  ତାହା ଦେଖିବା କଥା।

You might also like