ଓଡ଼ିଶାରେ ଆଉ ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। କରୋନାରେ ଆଜି ରାଜ୍ୟରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଓ ବଲାଙ୍ଗିର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୨୬ରେ ପହଞ୍ଚିଛି।

ଗତକାଲି ରାଜ୍ୟରେ ୧,୨୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ଜଣକ ଗଞ୍ଜାମ ଜିଲ୍ଲାର।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୩୭୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ଥିଲେ ୮୧୨ ଏବଂ ଲୋକାଲ କେସ୍‌ ୫୬୨। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଛତିଶଗଡ଼ ସୀମାନ୍ତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି। ସ୍ଥିତି ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ବରିଷ୍ଠ ଅଧିକାରୀଙ୍କ ସହ କଳାହାଣ୍ଡି ଓ ନୂଆପଡ଼ା ଗସ୍ତ କରିଛନ୍ତି। ଛତିଶଗଡ଼ ସୀମାନ୍ତବର୍ତ୍ତୀ ୨ ଜିଲ୍ଲାରେ ସେମାନେ କରୋନା ସ୍ଥିତିର ସମୀକ୍ଷା କରିବେ। ଛତିଶଗ଼ଡରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଡୋଶୀ ରାଜ୍ୟ ସହ ସମସ୍ତ ପ୍ରକାର ସାଧାରଣ ପରିବହନକୁ ରାଜ୍ୟ ସରକାର ବନ୍ଦ ରଖିଛନ୍ତି।ଏଥିପାଇଁ ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ ସୀମାରେ କଟକଣା ଲଗାଯାଇଛି। ଛତିଶଗଡ଼ର କୌଣସି ଯାତ୍ରୀବାହୀ ବସ୍‌କୁ ଛଡାଯାଉ ନାହିଁ। ଏହାସହ ଜିଲ୍ଲାକୁ ସଂଯୋଗ କରୁଥିବା ଛତିଶଗଡ଼ ସୀମାର ୭ଟି ରାସ୍ତାରେ ଚେକିଂକୁ କଡ଼ାକଡ଼ି କରାଯାଇଛି।

ଅନ୍ୟପକ୍ଷେ, ଆଜି ଓଡ଼ିଶାକୁ ଆସୁଛି ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା। ଭୁବନେଶ୍ୱରରେ ଏହା ପହଞ୍ଚିବା ପରେ ସବୁ ଜିଲ୍ଲାକୁ ବଣ୍ଟା ଯିବ। ଆସନ୍ତାକାଲି ଟିକା ଉତ୍ସବ ପାଳନ ହେବ ଓ ସବୁ କେନ୍ଦ୍ରରେ ଟିକା ଦିଆଯିବ। ସେପଟେ ରାଜ୍ୟରେ କରୋନା ଟିକାକରଣ ୪୦ ଲକ୍ଷ ଡୋଜ୍ ଟପିଛି। ୭୦ ଦିନର ଟିକାକରଣରେ ୪୦ ଲକ୍ଷ ଡୋଜ୍ ଟିକାଦାନ ହୋଇଛି। ଗତ ୬ ଦିନରେ ୧୦ ଲକ୍ଷ ଡୋଜ୍ ଟିକାଦାନ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

ଦେଶର ବିଭିନ୍ନ ସ୍ଥାନରୁ ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଆଜିଠୁ ଏହି ନିୟମ ଲାଗୁ ହେବ ବୋଲି ପୂର୍ବତଟ ରେଲ୍‌ୱେ କହିଛି।  ରେଳ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ RTPCR ଟେଷ୍ଟ କରାଇବେ ଯାତ୍ରୀ।

You might also like