ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଲା: ୧୨ ସୁସ୍ଥ ହେଲେ

ଭୁବନେଶ୍ୱର: ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଛି। ଶୁକ୍ରବାର ଆଉ ୨ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ୍‌ରେ ତଥ୍ୟ ଦିଆଯାଇଛି।

ଏହି ତଥ୍ୟ ଅନୁଯାୟୀ ୧୦ ତାରିଖ ବା ଶୁକ୍ରବାର ଦିନ ମୋଟ ୨୯୮ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୨୯୬ ଜଣଙ୍କ ନମୁନା ନେଗେଟିଭ୍‌ ଆସିଛି। ଅନ୍ୟପକ୍ଷରେ ଏଯାଏ ମୋଟ ୩୫୪୭ ନମୁନା ପରୀକ୍ଷା ସରିଲାଣି। ଏଥିରୁ ୩୪୯୭ ନମୁନା ନେଗେଟିଭ୍‌ ଆସିଥିବାବେଳେ ୫୦ ପଜିଟିଭ୍‌ ରହିଛି।

ତେବେ କରୋନାର କରାଳ ଭିତରେ ଶୁକ୍ରବାର ଓଡ଼ିଶା ପାଇଁ ସାମାନ୍ୟ ଖୁସିର ଖବର ବି ଆସିଛି। ରାଜ୍ୟରେ କରୋନା ଭତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ୧୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଶୁକ୍ରବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।

ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରୁ ରାଜଧାନୀ ଭୁବନେଶ୍ୱରର ୫ ଜଣ, ଭଦ୍ରକର ୨ ଜଣ ଏବଂ କଟକ, ଯାଜପୁର ଓ ପୁରୀର ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅର୍ଥାତ୍ ଏମାନଙ୍କ ନମୁନା ବର୍ତ୍ତମାନ ନେଗେଟିଭ୍‌ ଆସିଛି। ଏହି ଖବର ଦେବା ଅବସରରେ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁଭେଚ୍ଛା ଦିଆଯାଇଛି।

ଏଥିସହିତ ଓଡ଼ିଶାରେ ମୋଟ ୫୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହେଲେଣି। ଏହା ପୂର୍ବରୁ ୨ ଜଣ ସୁସ୍ଥ ହୋଇଥିଲେ। ଆଜି ଆଉ ୧୦ ଜଣ ସୁସ୍ଥ ହେବାପରେ ଏହି ସଂଖ୍ୟା ୧୨ରେ ପହଞ୍ଚିଛି। ଅନ୍ୟପକ୍ଷରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ଅର୍ଥାତ ବର୍ତ୍ତମାନ ୩୭ ଜଣଙ୍କଠାରେ କରୋନା ସକ୍ରିୟ ରହିଛି।

You might also like