ଅନୁଗୁଳ: ଦୁଇ ପୁଅ ଆଖି ବୁଜିଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ମା’। ଅନୁଗୁଳ ଜିଲ୍ଲା ଶାବଳଭଙ୍ଗା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି।
ରବିବାର ରାତିରେ ନିଆଁରେ ପୋଡ଼ି ହୋଇ ମା’ ଓ ୨ ପୁଅ ଗୁରୁତର ହୋଇଥିଲେ। କଟକ ବଡ଼ ମେଡିକାଲ୍ରେ ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଆଜି ୨ ପୁଅ ଆଖି ବୁଜିଛନ୍ତି। ମୃତକ ଦୁଇ ଶିଶୁଙ୍କ ନାଁ ଅଭିମନ୍ୟୁ ଓ ରାହୁଲ। ଜଣକର ବୟସ ୬ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୨ ବର୍ଷ ବୋଲି ଜଣାପଡ଼ିଛି। ଗୁରୁତର ମହିଳାଙ୍କ ନାଁ ବଚନ ବେହେରା।
ପାରିବାରିକ କଳହରୁ ୩ ଜଣ ପୋଡ଼ି ଯାଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ, ସେମାନେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ମହିଳାଙ୍କ ସ୍ୱାମୀ କହୁଥିବା ବେଳେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ମହିଳା ଜଣକ ଡାକ୍ତରଙ୍କୁ କହିଛନ୍ତି। ଡାକ୍ତରଖାନାରେ ମହିଳାଙ୍କ ବାପଘର ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଝଗଡ଼ା ମଧ୍ୟ ହୋଇଛି।
ତେବେ ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ।