ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସରକାରୀ କର୍ମଚାରୀ

ସୋନପୁର/ସମ୍ବଲପୁର(ରବୀନ୍ଦ୍ର ହୋତା/ସଞ୍ଜୟ ଜେନା): ରାଜ୍ୟର ୨ଟି ସ୍ଥାନରେ ଆଜି ଭିଜିଲାନ୍ସ ରେଡ୍‌ ହୋଇଛି। ବେଆଇନ୍‌ କିରୋସିନ୍ ଓ ଡିଜେଲ୍ କାରବାର ଅଭିଯୋଗରେ ସମ୍ବଲପୁରରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଥିବା ବେଳେ ଲାଞ୍ଚ ନେବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ପୂର୍ବତନ ଆର୍‌ଆଇ ଓ ସୁପରଭାଇଜର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲର ସୁପରଭାଇଜର ନଗେନ୍ଦ୍ର ମହାକୁର ଓ ସୁବଳୟାର ପୂର୍ବତନ ଆର୍‌ଆଇ ବାବାଜୀ ଚରଣ ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମିଜମା କାଗଜ ପତ୍ର କରାଇ ଦେବାକୁ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଉଭୟଙ୍କୁ ଭିଜିଲାନ୍ସ ଟିମ୍‌ ଧରିଥିଲା। ସୁବଳୟା ଟିକିରାପଡ଼ାର ଥବିର ମେହେରଙ୍କ ଜମି କାଗଜପତ୍ର କରାଇଦେବାକୁ ଏହି ଦୁଇ ସରକାରୀ କର୍ମଚାରୀ ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ୍‌ ଉଭୟଙ୍କୁ ଗିରଫ କରିଥିଲା।

ସେହିପରି ବେଆଇନ୍‌ କିରୋସିନ୍ ଓ ଡିଜେଲ୍ କାରବାର ଅଭିଯୋଗରେ ସୋନପୁର ଉଲୁଣ୍ଡା ଥାନା ଅନ୍ତର୍ଗତ ଏସ୍‌.ପତ୍ରାପାଲି ଗାଁରେ ଥିବା ଏକ ଗୋଦାମ ଉପରେ ସମ୍ବଲପୁର ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଉକ୍ତ ଗୋଦାମରୁ ବହୁ ସଂଖ୍ୟାରେ କିରୋସିନ୍, ଡିଜେଲ୍ ଭର୍ତ୍ତି ବ୍ୟାରେଲ ଜବତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ରାସ୍ତାରେ ଯାଉଥିବା କିରୋସିନ୍ ଓ ଡିଜେଲ୍ ଟ୍ୟାଙ୍କରରୁ ମୋଟର ଲଗାଇ ତେଲ ଚୋରି କରାଯାଇ ଏହାକୁ ବେଆଇନ୍‌ ଭାବେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଏହି ଚୋରା କାରବାରର ଚେର କେଉଁ ଯାଏ ଲମ୍ବିଛି, ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି।

You might also like