ପାରାଦୀପ ସମୁଦ୍ରରେ ସି-ଭିଜିଲ୍

ପାରାଦୀପ: ପାରାଦୀପ ସମୁଦ୍ର ଉପକୂଳରେ ଆଜିଠୁ ଦୁଇ ଦିନିଆ ସମରାଭ୍ୟାସ। ସି-ଭିଜିଲ୍ କେବଳ ପାରାଦୀପ ଉପକୂଳ ନୁହେଁ, ଭାରତୀୟ ନୌସେନା ନୀରିକ୍ଷଣରେ ସାରା ଦେଶରେ ସମରାଭ୍ୟାସ ହେଉଛି। ଇଷ୍ଟର୍ନ ନାଭାଲ୍ କମାଣ୍ଡ ପକ୍ଷରୁ ଏଭଳି ଆୟୋଜନ ପାରାଦୀପ ସମୁଦ୍ର ଉପକୂଳରେ କରାଯାଉଛି। ଏଥିରେ ନୌସେନା, ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୋଲିସ, ସୀମାଶୁଳ୍କ ବିଭାଗ, ବନ ବିଭାଗ, ମତ୍ସ୍ୟ ବିଭାଗ, ଓଡିଶା ପୋଲିସ, କେନ୍ଦ୍ରୀୟ ଶିଳ୍ପ ନିରାପତ୍ତ ବଳ, ଗୁଇନ୍ଦା ବିଭାଗ ସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ୧୮ଟି ସଂସ୍ଥା ସାମିଲ ଅଛନ୍ତି।

ରେଡ୍ ଟିମ ଏବଂ ବ୍ଲୁ ଟିମ୍ ଭାବେ ଦୁଇଟି ଦଳରେ ବିଭକ୍ତ ହୋଇ ସାମରିକ କଳା କୌଶଳ ପ୍ରଦର୍ଶନ କରୁଛନ୍ତି। ମାଛଧରା ବନ୍ଦର, ମହାନଦୀ ମୁହାଣ, ରାଡାର ଷ୍ଟେସନ, ବତୀଘର, ବସଷ୍ଟାଣ୍ଡ, ବନ୍ଦର ଫାଟକ, ପ୍ରଶାସନିକ ଭବନ ଆଦି ସ୍ଥାନକୁ ରେଡ୍ ଟିମ୍ ଟାର୍ଗେଟ କରିବାର ସମ୍ଭାବନା ଥିବାରୁ ବ୍ଲୁ ଟିମ୍ ଏସବୁ ସ୍ଥାନରେ ତୀକ୍ଷ୍ଣ ନଜର ରଖିଛି।

ଛଦ୍ମବେଶୀ ଅନୁପ୍ରବେଶକାରୀ ଭାବେ ରେଡ୍ ଟିମ୍ ସମୁଦ୍ରପଥରେ ମାଛଧରା ଟ୍ରଲର ମାଧ୍ୟମରେ ମତ୍ସ୍ୟଜୀବୀ ବେଶରେ ସ୍ଥଳଭାଗକୁ ପ୍ରବେଶ ପାଇଁ ଉଦ୍ୟମ କରିବେ। ବ୍ଲୁ ଟିମ ସେମାନଙ୍କୁ ଠାବ କରିବ। ବିଭିନ୍ନ ବିଭାଗ କିଭଳି ସମନ୍ୱୟ ରକ୍ଷା କରି ବିପଦ ଆସିଲେ ସହଜରେ ମୁକାବିଲା କରିପାରିବେ ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷିତ ରଖିପାରିବେ ସେନେଇ ସମରାଭ୍ୟାସ ଚାଲିଛି।

ଆତଙ୍କି ହାମଲା ସମୟରେ ସୁରକ୍ଷା କର୍ମୀଙ୍କ ସହ ସମସ୍ତ ସରକାରୀ ବିଭାଗଗୁଡିକ ସମନ୍ୱୟ ରକ୍ଷା କରି ବିପଦକୁ ଯେପରି ସହଜରେ ମୁକାବିଲା କରିପାରିବେ ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷିତ ରଖିପାରିବେ ସେଥିପାଇଁ ଏପରି ପଦକ୍ଷେପ ନିଆଯାଉଛି । ଏହି ମକଡ୍ରିଲକୁ କେତେବେଳେ ‘ହମ୍‌ଲା’ ତ କେତେବେଳେ ‘ସାଗର କବଚ’ ନଚେତ୍ ‘ସି-ଭିଜିଲ୍‌’ ନାମ ଦିଆଯାଉଛି । ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା ପରଠାରୁ ସାରା ଦେଶରେ ଉପକୂଳ ସୁରକ୍ଷା ତଥା ଜଳପଥରେ ଅନୁପ୍ରବେଶକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଏପରି ମକଡ୍ରିଲ୍ କରାଯାଉଛି ।

 

You might also like