ବିନା ଦୋଷରେ ଜେଲ ଭୋଗୁଛନ୍ତି ଗଞ୍ଜା !

ମାଲକାନଗିରି(ଜିତେନ୍ଦ୍ର ବେଉରା): ଦିନେ ନୁହେଁ କି ଦୁଇ ଦିନ ନୁହେଁ ପାଖାପାଖି ମାସେ କାଳ ଜେଲ୍‌ରେ ରହିଲେଣି ସେମାନେ। ହେଲେ ସେମାନଙ୍କର ଭୁଲ କିଛି ନ ଥିଲା। କାହା ଭୁଲ ପାଇଁ ଦୁଇଜଣ ଏକାଠି ଜେଲର ପାଚେରୀ ଭିତରେ କଟୁଛି ଦିନ ରାତି। ଏ ଦୁହେଁ କିଏ ଜାଣିଛନ୍ତି ? ଏମାନେ ମଣିଷ ନୁହଁନ୍ତି, ଦୁଇଟି ଗଞ୍ଜା।

ତେଲେଙ୍ଗାନାର ମୁଦିଗଣ୍ଡା ଜେଲ ଭିତରେ ଗଞ୍ଜା

ହାଜତ ଭିତରେ କୁକୁଡା ! ଯିଏ ଦେଖୁଛି, ଆଶ୍ଚର୍ଯ୍ୟ ହୋଇ ଯାଉଛି।  ସମସ୍ତଙ୍କ ମନରେ ପ୍ରଶ୍ନ, ଏମାନେ ପୁଣି କି ଅପରାଧ କଲେ ? ଏମିତି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନା ରାଜ୍ୟରେ।  ପୋଲିସ ତାଙ୍କୁ ଖାଇବାକୁ ପିଇବାକୁ ଦେଇ ଏଠି ରହିଛି। କୋର୍ଟ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏଠାରେ ରହିବ। ବନ୍ଦୀ ଜୀବନ ବିତାଇବ।  ମାଲକାନଗିରି ସୀମାକୁ ଲାଗିଥିବା ଖମାମ ଜିଲ୍ଲାର ବାନାପୁରମରେ ଏମିତି ଘଟଣା ଦେଖିବାକୁ ମିଳିଛି । ତେବେ କାହିଁକି ଏହି ଗଞ୍ଜା ଦୁଇଟିକୁ ଜେଲରେ ରହିବାକୁ ପଡିଛି ?

ଘଟଣା ଥିଲା ଏମିତି । ଗତମାସରେ ପୋଙ୍ଗଲ ପୂର୍ବରୁ ଅର୍ଥାତ୍‌ ଜାନୁଆରୀ ୧୦ରେ ତେଲେଙ୍ଗାନାର ବିଭିନ୍ନ ଅଞ୍ଚଳରେ ଜୁଆଖେଳ ହେଉଥିଲା । ଖମମ ଜିଲ୍ଲା ଅନ୍ତର୍ଗତ ବାନାପୁରମ ଗାଁରେ ମକର ସଂକ୍ରାନ୍ତି ପୂର୍ବରୁ ହେଉଥିଲା କୁକୁଡ଼ା ଗାଲି ଖେଳ। ଆଉ ଏ ଗଞ୍ଜା ଦୁଇଟିକୁ ସେଠାରେ ବାଜି ଲଗାଯାଇଥିଲା । ଯେଉଁ ଗଞ୍ଜା ଜିତିବ ତାର ମାଲିକ ବାଜିରେ ଲାଗିଥିବା ସବୁ ଟଙ୍କା ପାଇବ । ଏମିତି ଏକ ଜୁଆ ବା ବେଟିଂ ଚାଲିଥିବା ନେଇ ଖବର ପାଇ ପୋଲିସ ପହଞ୍ଚିଥିଲା । ୨ ଜୁଆଡ଼ିଙ୍କ ସହ ୨ ଗଞ୍ଜାକୁ ନେଇ ପୋଲିସ ଜେଲ୍‌କୁ ପଠାଇ ଦେଇଥିଲା ।

ବନ୍ଦୀ ଜୀବନ କାଟୁଛନ୍ତି ଦୁଇ ଗଞ୍ଜା

ପରବର୍ତ୍ତୀ ସମୟରେ ଜୁଆଡ଼ି ଦୁହେଁ  କିନ୍ତୁ ଜାମିନ ପାଇ ଜେଲ୍‌ରୁ ମୁକୁଳିଗଲେ।  ହେଲେ ଗଞ୍ଜା ୨ଟିକୁ କେହି ନେବାକୁ ଆସିଲେନି । ନିରୀହ ପକ୍ଷୀ ନିଜ ଜୀବନକୁ ବାଜି ଲଗେଇ ମାଲିକର ପକେଟ ଗରମ କରୁଥିଲେ। କିନ୍ତୁ ସେ ଦୁହେଁ ଏବେ ଅଲୋଡ଼ା ହୋଇଯାଇଛନ୍ତି ସେହି ମାଲିକର।  ଏମାନଙ୍କୁ ନେବାକୁ ଆସୁନାହାନ୍ତି ମାଲିକ। ଏବେ  ୨ଟି ଯାକ ଗଞ୍ଜା ୨୫ ଦିନ ହେଲାଣି  ମୁଦିଗଣ୍ଡା ପୋଲିସ ହେପାଜତରେ ରହିଛନ୍ତି ।  ପୋଲିସ କହୁଛି, କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଗଞ୍ଜା ୨ଟିର ନିଲାମ କରାଯିବ।  ଯିଏ ଅଧିକ ବାଜି ଲଗେଇବ ସିଏ ଏହି କୁକୁଡ଼ାକୁ ନେବ। ଦେଖାଯାଉ, ସମୟ କୁକୁଡ଼ା ଦୁହିଁଙ୍କୁ କୁଆଡେ ନେଉଛି।

 

You might also like