ମହାନଦୀରେ ବୁଡ଼ି ୨ ଭାଇ ମୃତ

ବୌଦ୍ଧ: ବଡ଼ ଭାଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ସାନ ଭାଇର ଜୀବନ। ମହାନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି୨ ଭାଇଙ୍କ ମୃତ୍ୟୁ ଘଟିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଅରଖପଦର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଉଭୟ ଭାଇଙ୍କ ବୟସ ୧୭ରୁ ୧୮ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଅରଖପଦର ଗାଁ ଦେଇ ଯାଇଥିବା ମହାନଦୀକୁ ଗାଧୋଇବାକୁ ଆଜି ସକାଳେ ଏହି ଦୁଇ ଭାଇ ଯାଇଥିଲେ। ନଦୀରେ ଗାଧୋଉ ଥିବାବେଳେ ହଠାତ୍‌ ବଡ଼ ଭାଇ ପାଣିରେ ବୁଡ଼ି ଯାଇଥିଲେ। ବଡ଼ ଭାଇ ପାଣିରେ ବୁଡ଼ି ଯାଉଥିବା ଦେଖି ସାନ ଭାଇ ତାଙ୍କୁ ବଞ୍ଚାଇବା ବେଳେ ସେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ଉଭୟ ଭାଇଙ୍କ ଚିତ୍କାର ଶୁଣି ସେଠାରେ ଥିବା ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚିବା ପୂର୍ବରୁ ଦୁଇ ଭାଇଙ୍କ ମୃତ୍ୟୁ ହୋଇଯାଇଥିଲା।

ହରଭଙ୍ଗା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି। ଏହାସହ ଘଟଣାର ତଦନ୍ତ କରୁଛି।

You might also like