ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପରିବାର ଲୋକଙ୍କ ଆଖି ସାମ୍ନାରେ ଚାଲିଗଲା ୮ ବର୍ଷ ପୁଅର ଜୀବନ

ପାରାଦୀପ/ନୟାଗଡ଼(ରମାକାନ୍ତ ନାୟକ/ଆର୍ତ୍ତତ୍ରାଣ ପ୍ରଧାନ): ଗୋଟିଏ ପରେ ଗୋଟିଏ ତିନି ତିନିଟି ଦୁର୍ଘଟଣା। ନୟାଗଡ଼ରେ ୨ଟି ଦୁର୍ଘଟଣା ଘଟିଥିବା ବେଳେ ପାରାଦୀପରେ ଗୋଟିଏ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି।

ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ମିନିଟ୍‌ ସମୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ନିକଟରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଓଡ଼ଗାଁ ରଘୁନାଥ ଜୀଉ ମହାବିଦ୍ୟାଳୟ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ମାଛ ବୋଝେଇ ଗାଡ଼ି ଏକ କାର୍‌କୁ ଧକ୍କା ଦେବା ଫଳରେ ମାଛ ଗାଡ଼ିଟି ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ମାଛ ଗୁଡ଼ିକ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ଘଟଣାସ୍ଥଳରେ ଓଡ଼ଗାଁ ପୋଲିସ୍‌ ପହଁଞ୍ଚି ରାସ୍ତାରୁ ମାଛ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଜବତ କରିଥିବା ସୂଚନା ମିଳିଛି l

ସେହିପରି ଆଜି ସକାଳ ୮ଟା ସମୟରେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ସହର ଉପକଣ୍ଠ ଖଣ୍ଡପଡ଼ା ବ୍ଲକ୍‌ରୁ କିଛି ବାଟ ଦୂରରେ ଏକ ଇଟା ବୋଝେଇ ମିନି ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ଟି ଦ୍ରୁତ ବେଗରେ ଯାଉ ଥିବାବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍‌ପର୍‌ ଆହତ ହୋଇଛନ୍ତି। ମୃତ ଡ୍ରାଇଭର ହେଲେ ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଶିଖରପୁର ପଞ୍ଚାୟତ ଶିଖରପୁର ଗାଁର ଅଭୟ ସ୍ୱାଇଁ। ଆହତଙ୍କୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଖଣ୍ଡପଡା ପୋଲିସ୍‌ ଘଟଣାର ତଦନ୍ତ ‌ଆରମ୍ଭ କରିଛି।

ଅନ୍ୟପକ୍ଷେ,କଟକ-ପାରାଦୀପ ରାସ୍ତାର ରଘୁନାଥପୁର ଖଣ୍ଡତିରା ନିକଟରେ ଏକ ବୋଲେରୋ ଟ୍ରେଲରକୁ ଧକ୍କା ଦେବାରୁ ଜଣେ ୮ ବର୍ଷର ବାଳକର ମୃତ୍ୟୁ ହୋଇ ଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏରସମା ଅଞ୍ଚଳର ଗୋଟିଏ ପରିବାରର ବାପା, ମା’, ପୁଅ ଓ ଝିଅ ବୋଲେରୋରେ କଟକରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ବୋଲେରୋଟି ଏକ ଟ୍ରେଲରକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୮ ବର୍ଷର ବାଳକର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ପରିବାରର ଅନ୍ୟ ୩ ସଦସ୍ୟ ଓ ଡ୍ରାଇଭର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା ଓ ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଟେଲର ଡ୍ରାଇଭରଙ୍କୁ ପାରାଦୀପ ଲକ୍‌ ଥାନା ପୋଲିସ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

You might also like