ଛାତ୍ରଙ୍କୁ ମାଡ଼ ମାରି ବନ୍ଧା ହେଲେ ଟିଉସନ୍‌ ସାର୍

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ପ୍ରଶ୍ନର ସଠିକ୍ ଉତ୍ତର ‌ନଦେଇ ପାରିବାରୁ ପାଇପ୍‌ରେ ଛାତ୍ରଙ୍କୁ ଟିଉସନ୍‌ ସାର୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି‌। ଆହତ ଛାତ୍ର ଦ୍ୱୟ ତୃତୀୟ ଶ୍ରେଣୀରେ ପଢ଼ନ୍ତି। ମାଡ଼ ମାରିଥିବା ଟିଉସନ୍‌ ସାର୍‌ଙ୍କ ନାଁ ରାଜେନ୍ଦ୍ର ରାଉତ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ରବିବାର ଦିନ ଏହି ଅଭାବନୀୟ ଘଟଣା ଘଟିଛି। ପୋଲିସ୍‌ ରାଜେନ୍ଦ୍ର‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ମାନବାଦିତ୍ୟ ଦାସ(୯) ଓ ଅଭିଷେକ ପରିଡ଼ା(୯)ଙ୍କୁ ରାଜେନ୍ଦ୍ର ଏକ ପ୍ରଶ୍ନ ପଚାରିଥିଲେ। ହେଲେ ସେମାନେ ଏହାର ସଠିକ୍‌ ଉତ୍ତର ଦେଇପାରିଲେ ନାହିଁ। ଫଳରେ ରାଜେନ୍ଦ୍ର ରାଗି ଯାଇ ଏକ ପ୍ଲାଷ୍ଟିକ୍‌ ପାଇପ୍‌ରେ ପିଲାମାନଙ୍କୁ ବାଡ଼େଇ ଥିଲେ। ଉଭୟ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୋଲିସ ରାଜେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଘଟଣାକୁ ନେଇ ମାନବାଦିତ୍ୟ ଦାସଙ୍କ ବାପା ମାନସ ରଞ୍ଜନ ପରିଡ଼ା କହିଛନ୍ତି, ‘ଟିଉସନ୍‌ ସାର୍ ମୋ ପିଲାଙ୍କୁ ନିର୍ଧୂମ ପିଟିଥିଲେ। ମୋ ପୁଅ ଟିଉସନ୍‌ ସାର୍‌ଙ୍କୁ ମାମୁ ଓ ତାଙ୍କ ପତ୍ନୀଙ୍କୁ ମାଇଁ ବୋଲି ଡାକେ। ଯେତେବେଳେ ସେ(ଟିଉସନ୍‌ ସାର୍‌) ମୋ ପୁଅକୁ ବାଡ଼େଇଥିଲେ, ସେ ଦୌଡ଼ି ଯାଇ ଟିଉସନ୍‌ ସାର୍‌ଙ୍କ ପତ୍ନୀଙ୍କ ନିକଟକୁ ପଳାଇ ଥିଲେ। ହେଲେ ସେ ମଧ୍ୟ ମୋ ପୁଅକୁ ଠେଲି ଦେଇଥିଲେ’।

ସେ ଆହୁରି କହିଛନ୍ତି, ‘ମୁଁ ଚାହୁଁଛି ଏଭଳି ଟିଉସନ୍‌ ସାର୍‌ଙ୍କ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଯେଭଳି ଅନ୍ୟ ଅଭିଭାବକମାନେ ସେମାନଙ୍କ ସନ୍ତାନକୁ ନେଇ ସୁରକ୍ଷିତ ମଣିବେ।’

You might also like