ଜମି ଝାମେଲାରେ ଫସିଛି ସମ୍ବଲପୁର IIM

ରାଜ୍ୟ ସରକାର ସ୍ଥାୟୀ ଜମି ଦେଇ ନଥିବାରୁ ଅାରମ୍ଭ ହୋଇପାରୁନି କ୍ୟାମ୍ପସ୍ ନିର୍ମାଣ

ସମ୍ବଲପୁର  : ଜମି ଝାମେଲାରେ ଫସିଛି ସମ୍ବଲପୁର ଅାଇଅାଇଏମ୍। ସରକାର ପ୍ରତିଶ୍ରୁତି ମୁତାବକ ଜମି ଯୋଗାଇ ଦେଇନଥିବାରୁ ଏଯାଏଁ ଅାରମ୍ଭ ହୋଇନି ସ୍ଥାୟୀ କ୍ୟାମ୍ପସ। ନିର୍ମାଣ କାମ ୨୦୨୧ରୁ ସ୍ଥାୟୀ କ୍ୟାମ୍ପସରେ ପାଠପଢା କରିବାକୁ କେନ୍ଦ୍ର ମାନବସମ୍ବଳ ମନ୍ତ୍ରାଳୟର ନିର୍ଦ୍ଦେଶ ରହିଛି। ତେବେ ରାଜ୍ୟ ସରକାର ଲିଜ୍ ସୂତ୍ରରେ ଜମି ଦେଇଥିବାରୁ ଗାଇଡ୍‌ ଲାଇନ ଅନୁସାରେ ଏଠାରେ ନିର୍ମାଣ କାମ ଅାରମ୍ଭ ହୋଇପାରୁନାହିଁ।

ସରକାର ଯେଉଁ ପର୍ଯ୍ୟନ୍ତ ଅାଇଅାଇଏମ୍ ନାଁରେ ଜମି କରିନାହାନ୍ତି ସେ ଯାଏଁ ନିର୍ମାଣ କାମ ଅାରମ୍ଭ କରିବା ସମ୍ଭବ ନୁହେଁ ବୋଲି ସମ୍ବଲପୁର ଅାଇଅାଇଏମ୍ ନିର୍ଦ୍ଦେଶକ କହିଛନ୍ତି। ଫଳରେ କେନ୍ଦ୍ର ମଂଜୁର କରିଥିବା ୪୦୨ କୋଟି ଟଙ୍କା ବିନିଯୋଗ ହୋଇପାରୁନାହିଁ। ଏଣେ ଜମି ଲିଜ୍ ବାବଦକୁ ଅର୍ଥ ପଇଠ ଲାଗି ସ୍ଥାନୀୟ ପ୍ରଶାସନ ଚିଠି ପଠାଇବା ପରେ ଅାଇଅାଇଏମ୍ କର୍ତ୍ତୃପକ୍ଷ ଅସନ୍ତୋଷ ପ୍ରକାଶ କରିଛନ୍ତି।

ତେବେ ଅାଇଅାଇଏମ୍‌କୁ ଜମି ହସ୍ତାନ୍ତର ଲାଗି ପ୍ରକ୍ରିୟା ଅାରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଖୁବ୍ ଶୀଘ୍ର ରାଜ୍ୟ ସରକାର ଜମି ଅାଇଅାଇଏମ୍ ନାଁରେ କରିଦେବେ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

ଏପଟେ ଏବର୍ଷ ଅାଡ୍‌ମିସନ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି ହଷ୍ଟେଲ ଅଭାବ ସ୍ଥିତି। ଏମିତି ହୋଇଛି ଯେ, ଚଳିତ ଥର ଅାଡମିଶନ କରିଥିବା ୧୧୩ ଜଣଙ୍କ ମଧ୍ୟରୁ ୨୦ ଜଣ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦେଇଥିବା ଡର୍ମିଟୋରିରେ ରହୁଛନ୍ତି। ଅନ୍ୟପକ୍ଷରେ ଉପଯୁକ୍ତ ରହିବା ବ୍ୟବସ୍ଥା ନଥିବାରୁ ୧୪ ଜଣ କୋର୍ସ ଛାଡି ପଳେଇଲେଣି।

ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅାଇଅାଇଏମକୁ ପ୍ରଥମେ ୩ଟି ହଷ୍ଟେଲ ଦେବାକୁ କହିଥିଲେ। ପରେ ଦୁଇଟି ହଷ୍ଟେଲ ଲାଗି ରାଜିନାମା ହୋଇଥିଲା। ମାତ୍ର କର୍ତ୍ତୃପକ୍ଷ ଏଯାଏଁ ହଷ୍ଟେଲ ଦେଇନଥିବାରୁ ଛାତ୍ରଛାତ୍ରୀ ଅାଡ୍‌ଜଷ୍ଟ କରି ରହୁଛନ୍ତି। ତେବେ ଠିକାଦାର ଟାଇମ୍‌ରେ କାମ ସାରିନଥିବାରୁ ସମସ୍ୟା ସୃଷ୍ଟି ହୋଇଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି କହିଛନ୍ତି। କାମ ସରିବା କ୍ଷଣି ହଷ୍ଟେଲ ହସ୍ତାନ୍ତର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

You might also like