ନାଳରେ ଭାସିଗଲେ ଟ୍ୟୁସନ୍ ଶିକ୍ଷକ
ଭୁବନେଶ୍ୱର: ନାଳରେ ଭାସିଯାଇ ଜଣେ ଘରୋଇ ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଗଙ୍ଗନଗର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟା ୩୦ରେ ହରିହର ପଟ୍ଟନାୟକ (୫୫) ଚାଲି ଚାଲି ଯାଉଥିବାବେଳେ ହଠାତ୍ ଏକ ନାଳରେ ଖସି ପଡ଼ି ଭାସିଯାଇ ଥିବା ସ୍ଥାନୀୟ ଲୋକ କହିଛନ୍ତି।
ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ପାଣି ଜମି ରହିବା ଓ ଡ୍ରେନ୍ ଉପରେ ସ୍ଲାବ୍ ପଡ଼ୁନଥିବାରୁ ଏଭଳି ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
‘ଉକ୍ତ ଅଞ୍ଚଳରେ ଏକ ନୂଆ ଡ୍ରେନ୍ ନିର୍ମାଣ କରାଯିବ। ଏହାକୁ ସଂପ୍ରସାରିତ କରାଯିବା ସହ ୧୫ ଫୁଟ୍ ଓସାରର ଏହି ଡ୍ରେନ୍ ଡ୍ରେନ୍ ନଂ ୮ରେ ସଂଯୋଗୀକରଣ କରାଯିବ। ଫଳରେ ଉକ୍ତ ଅଞ୍ଚଳରେ ପାଣି ଜମି ରହିବା ନେଇ ଯେଉଁ ସମସ୍ୟା ଦେଖା ଦେଇଛି ତାହାର ସମାଧାନ ହେବ। ମରାମତି କାର୍ଯ୍ୟ ଚାଲିଥିବାରୁ ଡ୍ରେନ୍ ଉପରୁ ସ୍ଲାବ୍ ଗୁଡ଼ିକ କାଡ଼ି ଦିଆଯାଇଛି’ ବୋଲି ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ସୂଚନା ଦେଇଛନ୍ତି।