୫ମ ଦିନରେ ଦେଶବ୍ୟାପୀ ଟ୍ରକ୍ ଧର୍ମଘଟ: ବଜାରରେ ସରି ଆସୁଛି ବିଭିନ୍ନ ସାମଗ୍ରୀ
ଭୁବନେଶ୍ୱର: ରାଜ୍ୟର ସବୁ ଟ୍ରକ୍ ଟର୍ମିନାଲ୍ ଫୁଲ୍। ରାସ୍ତାକଡ଼ରେ ଲମ୍ବା ଲମ୍ବା ଧାଡ଼ି ବି ଲାଗିଛି। ବିଭିନ୍ନ ସ୍ଥାନରେ ପିକେଟିଂ ସାଙ୍ଗକୁ ବିକ୍ଷୋଭ ବି ଚାଲିଛି। ଜାତୀୟ ରାଜପଥରେ କ୍ଷୀର, ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଦେଲେ ବାକି ସବୁ ଟ୍ରକ୍ ଅଖ-ଚକ ବନ୍ଦ। ଏପଟେ ଧର୍ମଘଟ ଯୋଗୁଁ ଓଡ଼ିଶା ବଜାରରେ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ପନିପରିବା ଠାରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଷ୍ଟକ୍ ସବୁ ଖାଲି ହେବାରେ ଲାଗିଲାଣି।
ରାଜ୍ୟର ସବୁଠାରୁ ବଡ଼ ପରିବା ମଣ୍ଡି କଟକର ଛତ୍ରବଜାର ଓ ମାଲ୍ଗୋଦାମ୍କୁ ବି ମାଲ୍ ଆସିପାରୁନି। ମାଲ୍ଗୋଦାମକୁ ଦୈନିକ ୩୦ରୁ ୩୫ ଟି ମାଲ୍ ଖଲାସ ହେଉଥିବା ବେଳେ ଆଜି ମାତ୍ର ୫ରୁ ୬ଟି ଟ୍ରକ୍ ମାଲ୍ ଅନ୍ଲୋଡ୍ ହୋଇଛି। ବିଶେଷ କରି ଆଳୁ, ପିଆଜ, ଫୁଲ କୋବି, ବନ୍ଧାକୋବି, ଟମାଟୋ, ବିନ୍ସ ଭଳି ପନି ପରିବା ପାଇଁ ଓଡ଼ିଶାକୁ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଉପରେ ନିର୍ଭର କରିବାକୁ ପଡିଥାଏ। ତେଣୁ ଧର୍ମଘଟ ଲାଗି ରହିଲେ ଆଗକୁ ଦରଦାମ ଯଥେଷ୍ଟ ବଢ଼ିଯିବ ବୋଲି ଆଶଙ୍କା କରିଛନ୍ତି ବ୍ୟବସାୟୀ। ସେପଟେ ରାଜ୍ୟ ସରକାର କହିଛନ୍ତି ଆନ୍ଦୋଳନ ୬-୭ ଦିନ ଲାଗି ରହିଲେ ଦରଦାମ ବଢ଼ିଯିବ।
କେନ୍ଦ୍ରୀୟ ଏବଂ ରାଜ୍ୟସ୍ତରୀୟ ଟିକସ ହ୍ରାସ କରିବା, ଟୋଲ୍ ଶୁଳ୍କ ଉଚ୍ଛେଦ, ଡିଜେଲ୍କୁ ଜିଏସ୍ଟି ପରିସରକୁ ଆଣିବା, ତୃତୀୟ ପକ୍ଷ ବୀମା ପ୍ରିମିୟମ୍ ଉପରୁ ଜିଏସ୍ଟି ଛାଡ଼ ଭଳି ଦାବିରେ ଗତ ୨୦ ତାରିଖରୁ ଦେଶବ୍ୟାପୀ ଧର୍ମଘଟ ଚଳାଇଛନ୍ତି ଟ୍ରକ୍ ପରିବହନକାରୀ।