ଭାଇଭଉଣୀଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ NH-୧୬ ଗଣ୍ଡାପାଲି ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ଭାଇକୁ ୧୦ ବର୍ଷ ବୟସ ହୋଇଥିବା ବେଳେ ଭଉଣୀର ବୟସ ୪ ବର୍ଷ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ରମ୍ଭା ଟିକରପଡା ସାହିର ଅନ୍ତର୍ଯାମୀ ବେହେରା ଆଜି ସକାଳେ ପତ୍ନୀ, ପୁଅ ପାର୍ଥ ବେହେରା ଓ ୪ ବର୍ଷର ଝିଅ ଅଞ୍ଜନି ବେହେରାଙ୍କୁ ନେଇ ବାଇକ୍‌ରେ ବ୍ରହ୍ମପୁର ଯାଉଥିଲେ। ଗଣ୍ଡାପଲ୍ଲୀ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ବୁଲାଣି ବୁଲୁଥିବା ବେଳେ ସମ୍ମୁଖ ପଟୁ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରୁ ସମସ୍ତେ ଛିଟିକି ହୋଇ ରାସ୍ତାରେ ପଡ଼ିଥିଲେ। ଘଟଣାସ୍ଥଳରେ ପାର୍ଥ ଓ ଅଞ୍ଜନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ତର୍ଯାମୀ ଓ ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ପାଇ ଘଟଣାସ୍ଥଳରେ ରମ୍ଭା ପୋଲିସ୍‌ ପହଞ୍ଚି ଟ୍ରକ୍‌ ଡ୍ରାଇଭରଙ୍କୁ ଅଟକ ରଖିଥିବା ବେଳେ ଟ୍ରକ୍‌କୁ ଜବତ ରଖିଛି। ଗଞ୍ଜାମ ତହସିଲଦାର ରେଡକ୍ରସ୍‌ ଫଣ୍ଡରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

You might also like