ତ୍ରିନାଥ ପ୍ରଧାନଙ୍କ ପାଇଁ ସରକାରୀ ଯୋଜନା ସାତସପନ

୮୦ ବର୍ଷ ବୟସରେ ନା ତାଙ୍କୁ ମିଳୁଛି ଭତ୍ତା ନା ସରକାରୀ ସହାୟତା

 

  • ୮୦ ବର୍ଷ ବୟସ୍କ ତ୍ରିନାଥ ପ୍ରଧାନଙ୍କୁ ମିଳୁନି ସରକାରୀ ସହାୟତା
  • କାନ୍ଥ ଭୁଶୁଡି ପଡିବା ପରେ ପଲିଥିନ୍ ପାଲଟିଛି ସାହାରା

ଭଞ୍ଜନଗର (ରାଜେଶ କୁମାର ପଣ୍ଡା) : ବୃଦ୍ଧ, ଅସହାୟ ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା । ଅସଲରେ କିନ୍ତୁ କେତେ ଫାଇଦା ପାଉଛନ୍ତି ତଳସ୍ତରର ଲୋକେ ତାର କିଛି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି। ଗଞ୍ଜାମ ଭଞ୍ଜନଗର ଅଞ୍ଚଳର ତ୍ରିନାଥ ପ୍ରଧାନଙ୍କୁ ଦେଖିଲେ ସରକାରୀ ଯୋଜନାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ ୮୦ ବର୍ଷ ବୟସରେ ନା ତାଙ୍କୁ ମିଳୁଛି ଭତ୍ତା ନା ସରକାରୀ ସହାୟତା । ଏବେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହେବା ପରେ ରାସନ୍ ମୁଠାକ ବି ମିଳୁନି । ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ତାଙ୍କୁ ଏ ବୟସରେ  ସାହି ପଡ଼ିଶାଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି । ଦୟାରେ ବୁଢ଼ା ଲୋକ ଭାବି ଯିଏ ଯାହା ଦେଲା ତାହା ହିଁ ତ୍ରିନାଥଙ୍କ ସମ୍ଭଳ ।

ଗଞ୍ଜାମ ଭଞ୍ଜନଗର ବ୍ଲକ ତୁରୁମୁ ଗାଁରେ ରହୁଥିବା ତ୍ରିନାଥ ପ୍ରଧାନ । ଆଖିକୁ ଭଲରେ ଦେଖାଯାଉନି, କାନକୁ ଶୁଣାବି ଯାଉନି । ୮୦ ବର୍ଷ ବୟସରେ ଝାଟିମାଟି ଭଙ୍ଗା ଘରେ ତ୍ରିନାଥଙ୍କ ଜୀବନ କଟୁଛି । ନିଜର କହିଲେ ଏହି ଝାଟିମାଟି ଖଣ୍ଡିଏ ଘର । ଆଉ ତା ଛଡ଼ା କିଛି ବି ସମ୍ବଳ ନାହିଁ ।  ମୁଣ୍ଡ ଉପରେ ନାଁକୁ ମାତ୍ର ସାହାରା ଅଛି ହେଲେ ତାହା କେତେ ସୁରକ୍ଷିତ ଆପଣ ଘରକୁ ଦେଖିଲେ ଜାଣିପାରିବେ । ଘରେ ଲାଗିଥିବା ଆଜବେଷ୍ଟ ଭାଙ୍ଗି ଯାଇଛି, କାନ୍ଥ ଭୁଶୁଡ଼ି ପଡ଼ିବା ପରେ ପଲିଥିନ୍ ପାଲଟିଛି ସାହାରା ।  ତେବେ ଶୁଣି ଆଶ୍ଚର୍ଯ୍ୟ ହେବେ ତ୍ରିନାଥଙ୍କୁ ଏଯାଏ ମିଳୁନି କୌଣସି ପ୍ରକାର ଭତ୍ତା । ସାହି ପଡ଼ିଶା ଲୋକେ ଯାହା ଦିଅନ୍ତି ସେଥିରେ ଦିଓଳି ଚଳାଇ ଦେଉଛନ୍ତି ତ୍ରିନାଥ ।

ପୂର୍ବରୁ ତ୍ରିନାଥଙ୍କୁ ମାସିକ ରାସନ୍ ସାମଗ୍ରୀ ମିଳୁଥିଲା । ତେବେ ବାଦ୍ଧକ୍ୟଜନିତ ରୋଗରେ ପଡ଼ିବା ପରେ ଆଉ ଏହାକୁ ସଂଗ୍ରହ କରିପାରୁନାହାନ୍ତି । ସେବେଠୁ ରାସନ ବି ତ୍ରିନାଥଙ୍କ ପାଇଁ ସାତ ସପନ । ଏସମ୍ପର୍କରେ ସେ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅଗବତ କରିବା ପରେ ବି ଫଳ ଶୂନ । ହେଲେ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ନରଖି ଭଞ୍ଜନଗର ବିଡିଓ ଅନୀଲ ସେଠୀ କହିଛନ୍ତି, ତ୍ରିନାଥଙ୍କୁ ଖୁବ୍ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ । ତ୍ରିନାଥ ପ୍ରଧାନଙ୍କ ଭଳି ବ୍ୟକ୍ତି ବିଶେଷଙ୍କୁ ଦେଖିଲେ ମନରେ ପ୍ରଶ୍ନ ଉଠେ ସତରେ ଏ ସରକାରୀ ଯୋଜନା କାହା ପାଇଁ ?

 

You might also like