ବଂଶଧାରା ଜଳ ବିବାଦ ମାମଲାରେ ଟ୍ରିବୁନାଲ୍‌ ଶୁଣାଣି ଆଜି

ଭୁବନେଶ୍ୱର: ଆଜି ବଂଶଧାରା ଜଳ ବିବାଦ ମାମଲାରେ ଟ୍ରିବୁନାଲ୍‌ରେ ଶୁଣାଣି ହେବ। ଆନ୍ଧ୍ରକୁ ନେରେଡି ଓ କାଟ୍ରାଗାଡ଼ା ବ୍ୟାରେଜ୍ ନିର୍ମାଣ କରିବାକୁ ଟ୍ରିବୁନାଲ୍ ଚୂଡ଼ାନ୍ତ ରାୟ ଶୁଣାଇବା ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି କେନ୍ଦ୍ର ଏବଂ ଓଡ଼ିଶା ସରକାର। ଟ୍ରିବୁନାଲ୍‌ର କିଛି ସର୍ତ୍ତାବଳୀ ଉପରେ ଆପତ୍ତି ଉଠାଇଛନ୍ତି ସରକାର। ଯାହାକୁ ନେଇ ଆଜି ଶୁଣାଣି ହେବ।

ବଂଶଧାରା ନଦୀର ପାଣି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ କେତେ ପରିମାଣର ବ୍ୟବହାର କରିବେ, ସୁପରଭାଇଜରି କମିଟିର କାର୍ଯ୍ୟ, ବୁଡ଼ି ଅଞ୍ଚଳର ଆକଳନ ଭଳି ୯ଟି ପ୍ରସଙ୍ଗରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟ ସ୍ପଷ୍ଟିକରଣ ମାଗିଥିଲେ।

ଆଜିର ଶୁଣାଣିରେ ଗ୍ରାଉଣ୍ଡର ସ୍ଥିତି ଏବଂ ପ୍ରକଳ୍ପ ଦ୍ୱାରା କ୍ଷୟକ୍ଷତି କ’ଣ ହେବ ସେ ନେଇ ସବିଶେଷ ବିଚାର କରାଯିବ। ଅନ୍ୟପଟେ ସେପ୍ଟେମ୍ବେର ୨୦୧୭ରେ ବଂଶଧାରା ଜଳ ବିବାଦ ଟ୍ରିବୁନାଲ୍ ଦେଇଥିବା ରାୟ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିଛନ୍ତି। ତେବେ ଏନେଇ ଗତକାଲି ଶୁଣାଣି ଥିଲା, ଯାହାକୁ ଆସନ୍ତା ମେ ୬ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ।

ଟ୍ରିବ୍ୟୁନାଲ୍‌ର ମାମଲା ଚାଲିଥିବାରୁ ସୁପ୍ରିମକୋର୍ଟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଓ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

You might also like