ମାଲକାନଗିରି(ରତ୍ନାକର ପ୍ରଧାନ): ମହାମାରୀର ପ୍ରତିକୂଳ ପରିସ୍ଥିତି ଦେଖାଇଲା ରାହା। ନିଜ କ୍ଷେତରେ ସୁନାର ଫସଲ ଫଳାଉଛନ୍ତି ଆଦିବାସୀ। ଜୁଆଡ଼େ ଦେଖିବ ସବୁଜମୟ ଦିଶୁଛି ପରିବେଶ। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ହେଉଛି ସବୁଠାରୁ ଦୁର୍ଗମ ତଥା ନକ୍ସଲ ପ୍ରବଣ ଭାବେ ପରିଚିଚ। ଏଠାରେ ନବେ ପ୍ରତିଶତ ଲୋକେ ଆଦିବାସୀ ସଂପ୍ରଦାୟର। ସମସ୍ତରେ ପ୍ରାୟ ନିରକ୍ଷର କହିଲେ ଚଳେ। ଚାଷ କାମ ସରିବା ପରେ ଲୋକେ ଦାଦନ ଖଟିବାକୁ ପଡୋଶୀ ଆନ୍ଧ୍ର ଏବଂ ଛତିଶଗଡକୁ ଚାଲିଯାଆନ୍ତି। ହେଲେ ଏବେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିଛି । ଲୋକେ ଦାଦନ ଖଟିବାକୁ ନଯାଇ ନିଜ ବାଡିରେ ପରିବା ଚାଷ କରି ବେଶ ରୋଜଗାରକ୍ଷମ ହୋଇପାରୁଛନ୍ତି। ନୂଆଗୁଡା ପଞ୍ଚାୟତର ଆରଏସି-୧୧ ଗ୍ରାମରେ ବାସ କରୁଥିବା ଦୁଇ ପରିବାର ଏବେ ନିଜର ଜମିରେ ପରିବା ଚାଷ କରି ଦିପଇସା ଅଧିକା ରୋଜଗାର କରିପାରୁଛନ୍ତି।

ନିରକ୍ଷର ହୋଇଥିଲେ ମଧ୍ୟ ସେ ବର୍ଷସାରା ନିଜର ଜମିରେ ଧାନ ମାଣ୍ଡିଆ ଫଳାଇ ବେଶ ରୋଜଗାର କରୁଛନ୍ତି। ତେବେ ଏହି ଚାଷ ପରେ ମଧ୍ୟ ନିଜ ଜମିରେ ଜୈବିକ ପଦ୍ଧତିରେ ପନିପରିବା ଚାଷ କରି ବେଶ ଲୋକଙ୍କ ପାଖରେ ପରିଚିତ ହୋଇପାରିଛନ୍ତି। ୬ ମାସ ପରିବା ଚାଷ କରି ସେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କମାଉଛନ୍ତି। ବାଡିରେ ବାଇଗଣ, କୋବି, ସିମ୍ବ, କଖାରୁ, ପିଆଜ ,ଆଳୁ , ମୁଗ, କଲରା ଭଳି ପନିପିବାର ଚାଷ କରି ତାକୁ ସ୍ଥାନୀୟ ବଜାର ଏବଂ ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି।

ତେବେ ଏସବୁ ଭିତରେ ତାଙ୍କ ପାଇଁ ବଡ଼ ସମସ୍ୟା ହୋଇ ଉଭା ହୋଇଛି ପାଣି। ନିକଟରେ ପାଣିର କୌଣସି ଉତ୍ସ ନଥିବାରୁ ଏମାନେ ପାଣି ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି। ଜମିକୁ ପାଣି ମଡ଼ାଇ‍ବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ୁଛି। ସେହିପରି ବିହନ ମିଳୁନଥିବାରୁ ପରିବା ଚାଷରେ ବହୁ କ୍ଷତି ସହୁଥିବା କହିଛନ୍ତି ଆଦିବାସୀ ଚାଷୀ ଇରା କରା । ପ୍ରଶାସନ ତରଫରୁ ଏମାନଙ୍କୁ ପାଣି ଯୋଗାଇବା ସହ ଉନ୍ନତମାନର ବିହନ ଯୋଗାଇ ଦିଆଗଲେ ହୁଏତ ଆଗାମୀ ଦିନରେ ଆହୁରି ଭଲ ଫସଲ ଫଳାଇପାରିଥାନ୍ତେ ବୋଲି ଆଶାବନ୍ଧିଛନ୍ତି।

କରୋନା ପରେ କିନ୍ତୁ ଜୀବନଶୈଳୀର ପରିବର୍ତ୍ତନ ଆସିଛି। ଘରେ ରହିବା ପରେ ନିଜ ବାଡିରେ କିଛି କିଛି ପରିବା ଲଗାଇବା ଶିକ୍ଷାକରି ଆଜି ଜଣେ ଭଲ ପରିବା ଚାଷୀ ଭାବେ ପରିଗଣିତ ହୋଇପାରିଛନ୍ତି। ନିଜର ଜମିରେ ଧାନ ମାଣ୍ଡିଆ ଫଳାଇବା ପରେ ଏବେ ପରିବା ଚାଷ କରି ବେଶ ଉପାର୍ଜନ କରିପାରୁଛନ୍ତି। ନିଜର ଅଳ୍ପ ବୁଦ୍ଧିରେ ଯାହା ସେମାନେ ଜାଣିଛନ୍ତି ସେତିକିରେ ସେମାନେ ନିଜ ଜମିରେ ଫସଲ ଉପ୍ତାଦନ କରିପାରୁଛନ୍ତି।ସରକାରଙ୍କ ତରଫରୁ ଯଦି ସେମାନଙ୍କୁ ତାଲିମ ସହ ସହଯୋଗ କରାଯାଇଥାନ୍ତା,  ତେବେ ଆଗାମୀ ଦିନରେ ଆହୁରି ଅଧିକା ଉତ୍ପାଦନ କରି ବେଶ ଦି ପଇସା ରୋଜଗାର କରିପାରିଥାନ୍ତେ ବୋଲି କହିଛନ୍ତି ଆଉ ଜଣେ ଚାଷୀ ।

ସରକାରଙ୍କ ଅଣଦେଖା ଯୋଗଁ ଆଜି ଜିଲ୍ଲାରେ ବହୁ ଚାଷୀ ନିଜର ଜମିରେ ଫସଲ ଉତ୍ପାଦନ କରିପାରୁନଥିବା ବେଳେ କରୋନା କିନ୍ତୁ ସେମାନଙ୍କୁ ଏହି ଚାଷମୁହାଁ କରାଇପାରିଛି। ଆଗାମୀ ଦିନରେ ସରକାର ଏମାନଙ୍କୁ ଉନ୍ନତ ବିହନ,ପାଣି, ଏବଂ ତାଲିମ ପ୍ରଦାନ କଲେ ହୁଏତ ଏମାନେ ବି ଆଗାମୀ ଦିନରେ ଜଣେ ଜଣେ ସଫଳ ପରିବା ଚାଷୀ ହୋଇପାରିଥାନ୍ତେ।

Other Stories