ବିଜେଡିକୁ ଚେକ୍‌ମେଟ୍ ପାଇଁ ସବୁଠି ଜୋରଦାର ଉଦ୍ୟମ

ଭୁବନେଶ୍ୱର :  ରୋଚକ ମୋଡ଼ରେ ଭବାନୀପାଟଣା ଭୋଟ। ଅନୁଭବି ଓ ନୂଆ ଚେହେରା ମଧ୍ୟରେ ହେଉଛି ହାଇଭୋଲ୍‌ଟେଜ ଟକ୍କର। ବିଜେପିରୁ ପ୍ରଦୀପ ନାଏକ, ବିଜେଡିରୁ ଦୁଷ୍ମନ୍ତ ନାଏକ ଏବଂ କଂଗ୍ରେସରୁ ସାଗର ଦାସଙ୍କ ମଧ୍ୟରେ ଜୋରଦାର ଲଢ଼େଇ। ସାଂଗଠନିକ ଦକ୍ଷତା ସହ ମୋଦିଙ୍କ ହାୱାରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ପ୍ରାର୍ଥୀ ପ୍ରଦୀପ ନାଏକଙ୍କ ପଲ୍ଲା ଭାରି ରହିଛି। ଗତଥର କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତ ନାଏକଙ୍କୁ ପରାସ୍ତ କରି ବିଜେଡିକୁ ବିଜୟ ଭେଟିଦେଇଥିଲେ ଅନାମ ନାଏକ।

ଘଟଣାକ୍ରମରେ ହାତ ଛାଡ଼ି ଶଙ୍ଖ ଧରିଥିବା ଦୁଷ୍ମନ୍ତ ଏବେ ବିଜେଡିର ବିଧାୟକ ପ୍ରାର୍ଥୀ। ଏହାକୁ ନେଇ ଅନାମ ଓ ଦୁଷ୍ମନ୍ତ ଗୋଷ୍ଠୀ ମଧ୍ୟରେ କୁହୁଳୁଛି ଅସନ୍ତୋଷ। ଏହି ଅସନ୍ତୋଷ ଭିତରେ ଫାଇଦା ନେବାକୁ ମୈଦାନରେ ଅଛନ୍ତି କଳାହାଣ୍ଡି ସାଂସଦ ପ୍ରାର୍ଥୀ ଭକ୍ତଚରଣ ଦାସଙ୍କ ପୁଅ ସାଗର ଦାସ।

ପ୍ରତ୍ୟକ୍ଷ ରାଜନୀତିରେ ଡେବ୍ୟୁ କରୁଥିବା ସାଗରଙ୍କ ସପକ୍ଷରେ ବାପାଙ୍କ ହାୱା କାମ କରୁଥିଲେ ବି ତାଙ୍କର ବିଜୟ ଗଣିତ। କିନ୍ତୁ ଟିକିଏ ଜଟିଳ।

ବିଜେଡିର ଗଡ଼ ବ୍ରହ୍ମପୁରରେ ତ୍ରିମୁଖୀ ଟକ୍କର। ପୁରୁଖା ନେତା ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ବଦଳାଇ ବିଜେଡି ନବାଗତ ବିକ୍ରମ ପଣ୍ଡାଙ୍କୁ ଭରସା କରିଛି ଦଳ। ଯାହାକୁ ନେଇ ବ୍ରହ୍ମପୁର ବିଜେଡିରେ ଅସନ୍ତୋଷ ବି ଦେଖାଦେଇଥିଲା।

ଏପଟେ ନୂଆଯୋଦ୍ଧାଙ୍କୁ ମୈଦାନକୁ ଛାଡ଼ି ସବୁଜ ଗଡ଼କୁ ଭାଙ୍ଗିବା ପାଇଁ ପଣ କରିଛି ବିଜେପି। ଜିଲ୍ଲା ବିଜେପି ସଭାପତି କାହ୍ନୁଚରଣ ପତିଙ୍କୁ ବିଧାୟକ ପ୍ରାର୍ଥୀ କରିଛି ଦଳ। କାହ୍ନୁଙ୍କ ପ୍ରତ୍ୟକ୍ଷ ରାଜନୀତିର ଅନୁଭୂତି ନଥିଲେ ବି ତାଙ୍କର ସାଂଗଠନିକ ଦକ୍ଷତା ଓ ଲୋକସମ୍ପର୍କ ବିଜେଡି ପାଇଁ କଣ୍ଟା ସାଜିଛି।

ଅପରପକ୍ଷେ ନୂଆମୁହଁ ଲିଙ୍ଗରାଜ ଚୌଧୁରୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ପୂର୍ବ ନିର୍ବାଚନ ଗୁଡ଼ିକରେ ସ୍ୱଳ୍ପ ବ୍ୟବଧାନରେ ପରାଜୟ ହୋଇଥିବାରୁ ସେହି ଭୋଟ ବ୍ୟାଙ୍କକୁ ସାହାରା କରି ଲିଙ୍ଗରାଜଙ୍କୁ ଦଳ ମୈଦାନକୁ ଛାଡ଼ିଛି। ତେବେ ଫାଇଟ୍‌ରେ କଂଗ୍ରେସ କିଛି ମାତ୍ରାରେ ବ୍ୟାକ୍‌ଫୁଟରେ ରହିଛି।

ଉଭୟ ଭବାନୀପାଟଣା ଏବଂ ବ୍ରହ୍ମପୁରରେ ଆସନ୍ତା ୧୧ ତାରିଖରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ତେଣୁ ଅପେକ୍ଷା କାହାର ହେଉଛି ଜିତାପଟ।

You might also like