ଶସ୍ୟ ଶ୍ୟାମଳା ହୋଇ ପୁଣି ହସି ଉଠିବ ମୋ ଗାଁ : ପୁରୁଣା ଅଙ୍କାବଙ୍କା ରାସ୍ତା କଡ଼େ କଡ଼େ ଗଛ ଲଗାଉଛନ୍ତି ଯୁବଗୋଷ୍ଠୀ
ଯୁବଗୋଷ୍ଠୀଙ୍କ ମହତ ପ୍ରୟାସକୁ ବନ ବିଭାଗର ପ୍ରଶଂସା, ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ଫାଟି ପଡ଼ିବ ଗାଁ,ସହର ଜୀବନଶୈଳୀକୁ ଆଦରି ନେଇଥିବା ଲୋକେ ଗାଁକୁ ଫେରିବେ
ନୂଆପଡା(ମାୟାଧର ସରାଫ): ଶସ୍ୟ ଶ୍ୟାମଳା ହେବ ଗାଁ। ଜଙ୍ଗଲ ବୃଦ୍ଧି ପାଇଲେ ଫେରିଆସିବ ପଶୁପକ୍ଷୀ। କିଚିରିମିଚିରି ଶବ୍ଦରେ ଫାଟି ପଡ଼ିବ ଗାଁ।ସହର ଜୀବନଶୈଳୀକୁ ଆଦରି ନେଇଥିବା ଲୋକେ ଗାଁକୁ ଫେରିବେ। ସବୁଜିମାମୟ ହେବ ନୂଆପଡା ଜିଲ୍ଲ। ଗାଁର ନୀରିହପଣ ଓ ସରଳତାରେ ପୁଣି ହଜିଯିବେ ଲୋକେ । ପୁରୁଣା ଅଙ୍କାବଙ୍କା ରାସ୍ତା କଡ଼େ କଡ଼େ ବିଶାଳ ବିଶାଳ ବୃକ୍ଷ ଛିଡ଼ା ହୋଇଥିବା। ଆଗାମୀ ଦିନରେ ନୂଆପଡା ଜିଲ୍ଲାର ୨୧ଟି ଗାଁର ରାସ୍ତା କଡରେ ବରଗଛ ଥିବ, ଲୋକେ ଖରାଦିନେ ଛାଇ ପାଇବେ, ଏନେଇ ଯୁବଗୋଷ୍ଠୀ ଦେଖୁଛନ୍ତି ସ୍ୱପ୍ନ । କେବଳ ଯେ ସ୍ୱପ୍ନ ଦେଖୁଛନ୍ତି ତା’ ନୁହେଁ ସ୍ୱପ୍ନକୁ ସତ କରିବାକୁ ନୂଆଁ ବର୍ଷର ପ୍ରଥମ ଦିନରୁ ଜୁଲାଇ ବନମହୋତ୍ସବ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଗାଁରେ ୧୦ ହଜାର ବରଗଛ ସହ ୩୦ ହଜାର ଅନ୍ୟାନ୍ୟ ଔଷଧିୟ ଗଛ ଲଗାଇବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି ।
ସବୁଜିମାରେ ଭରିଯିବ ସମ୍ପୂର୍ଣ୍ଣ ପରିବେଶ। ଆଉ ଏଥିପାଇଁ ହୁଲହୁଳି ପଡୁଛି, ମୃଦଙ୍ଗ ବାଜୁଛି, କୀର୍ତ୍ତନ ହେଉଛି। ଏହା କୌଣସି ସାଧାରଣ ଉତ୍ସବ କି ସାଂସ୍କୁତିକ କାର୍ଯ୍ୟକ୍ରମର ଦୃଶ୍ୟ ନୁହେଁ। ନୂଆପଡା ଜିଲ୍ଲାର କୋମନା ବ୍ଲକ ଜେଠୁପାଲି ଗାଁର ଦୃଶ୍ୟ। ପରିବେଶ ସୁରକ୍ଷା ପ୍ରତି ଏକ ନିଆରା ଉଦାହରଣ।ନିକଟସ୍ଥ ପଣ୍ଡରାପଥର ଗାଁର ମଦର ଟେରେସା ସାର୍ଭିସିଙ୍ଗ ସେଂଟର ନାମକ ଯୁବକ ସଂଘ ପରିବେଶ ଠିକ ରଖିବାକୁ ନିଆରା ପ୍ରୟାସ ଆରମ୍ଭ କରିଛି । ଲୋକେ ହାତରେ ବରଗଛ ଧରି ଆସୁଛନ୍ତି ଏବଂ ଜଣକ ପରେ ଜଣେ ବରଗଛ ରୋପଣ କରୁଛନ୍ତି । ଆଶା ରଖିଛନ୍ତି ଗାଁର ରାସ୍ତାର ଦୁଇ କଡରେ ବରଗଛ ରୋପଣ କରି ପରିବେଶକୁ ସ୍ୱଚ୍ଛ ରଖିବେ ଓ ସବୁଜିମାମୟ କରିବେ । ଖରା ଦିନରେ ଥକା ମେଣ୍ଟାଇବା ପାଇଁ ଲୋକେ ବରଗଛ ଛାଇ ପାଇବେ ।
ଦିନକୁ ଦିନ ବିକାଶ ନାମରେ ବିନାଶ ଆଡକୁ ଆଡ଼କୁ ମୁହାଁଉଛି ମଣିଷ ସମାଜ। ରାସ୍ତା ନିର୍ମାଣ, କଳ କାରଖାନା,ଡ୍ୟାମ ନିର୍ମାଣ ଆଦି ପାଇଁ ଅନେକ ଗଛ କଟା ଯାଉଛି। ଶିଳ୍ପାୟନ ନାଁରେ ବଳିପଡ଼ୁଛି ଶହ ଶହ ବିଶାଳ ବୃକ୍ଷ। ହେଲେ ଦୁର୍ଭାଗ୍ୟର କୋଥା ହେଲା ଗଛ କଟା ପରେ ବରଗଛ କିମ୍ବା କୌଣସି ଔଷଧୀୟ ବୃକ୍ଷ ରୋପଣ କରାଯାଉ ନାହିଁ । ଏସବୁ ଚିନ୍ତା କରି ମଦର ଟେରେସା ସାର୍ଭିସିଂ ସେଂଟରର ଯୁବକ ସଂଘର ଯୁବକ ଯୁବତୀମାନେ ଅଣ୍ଟା ଭିଡ଼ିଛନ୍ତି । ଆଉ ନିଜ ଗାଁ ପାଖରେ ଥିବା କୁରେଶ୍ୱର, ବୁଦ୍ଧିକୋମନା, ଜଡାମୁଣ୍ଡା, ଜଟଗଡ, ତରବୋଡ, ନୂଆଗାଁ ଓ ଟିକ୍ରାପଡା ପଂଚାୟତର ୨୧ଟି ଗାଁରେ ବରଗଛ ଲଗାଇବା ପାଇଁ ମନସ୍ଥ କରିଛନ୍ତି। ଯୁବକମାନଙ୍କ ଏ ପ୍ରୟାସକୁ କୋମନା ବନ ବିଭାଗ ମଧ୍ୟ ପ୍ରଶଂସା କରିଛନ୍ତି। ପଣ୍ଡରାପଥର ଗାଁର ଯୁବକ ଯୁବତୀମାନଙ୍କ ଏହି ନିଆରା ପ୍ରୟାସ,ଆମ ପରିବେଶକୁ ସନ୍ତୁୁଳିତ ରଖିବା ସହ ସବୁଜିମାମୟ କରିପାରିବ ବୋଲି ଆଶା କରାଯାଉଛି ।