ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ଉପରାଷ୍ଟ୍ରପତିଙ୍କ ଅାହ୍ୱାନ

ଡାକ୍ତରୀ ପେଶାକୁ କମିଶନ୍ ନକରି ମିଶନ୍ କର

ଭୁବନେଶ୍ୱର : ଓଡ଼ିଆରୁ ଭାଷଣ ଅାରମ୍ଭ କରି, ଡାକ୍ତରୀ ଜୀବନରେ ନୂଅା କରି ପାଦ ଥାପିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଉପରାଷ୍ଟ୍ରପତି ଏମ୍.ଭେଙ୍କେୟା ନାଇଡୁଙ୍କ ଗୁରୁମନ୍ତ୍ର। ଡାକ୍ତରୀ ପେଶାକୁ କମିଶନ ନକରି ମିଶନରେ ପରିଣତ କରିବାକୁ ଦେଇଛନ୍ତି ଅାହ୍ୱାନ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ସହ ଶରୀର ଓ ମନରେ ବି ସ୍ୱଚ୍ଛ ରହିବାକୁ ଦେଇଛନ୍ତି ପରାମର୍ଶ।

ପ୍ରଥମ ସମାବର୍ତ୍ତନ ଉତ୍ସବକୁ ନେଇ ଅାଜି ବେଶ୍  ଚଳଚଞ୍ଚଳ ଥିଲା ଭୁବନେଶ୍ୱର ଏମ୍‌ସ। ଏହି ଅବସରରେ ନାଇଟ୍ ସେଲ୍ଟର୍, ବର୍ଣ୍ଣ ୟୁନିଟ୍ ଓ ଧର୍ମଶାଳା ଓ ଟ୍ରମା କେୟାରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଉପରାଷ୍ଟ୍ରପତି। ସେପଟେ ଅତିଥିଙ୍କ ହାତରୁ ସ୍ୱର୍ଣ୍ଣ ପଦକ ଓ ଡିଗ୍ରୀ ଗ୍ରହଣ କରି ବେଶ୍  ଖୁସି ହୋଇଥିଲେ ଛାତ୍ରଛାତ୍ରୀ। ସବୁଠୁ ଅଧିକ ଉତ୍ସାହିତ ଥିଲେ ୧୧ଟି ସ୍ୱର୍ଣ୍ଣ ପଦକ ପାଇଥିବା ଛାତ୍ରୀ ଅନାଘା ମେନନ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଏକ ପ୍ରତିମୂର୍ତ୍ତି ମେଡିକାଲ ପରିସରରେ ସ୍ଥାପନା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଥିବା ବେଳେ ଏମ୍‌ସ କର୍ତ୍ତୃପକ୍ଷ ଏଥିରେ ସମ୍ମତି ଜଣାଇଛନ୍ତି।  ସେପଟେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ ସମ୍ମତି ଜଣାଇଥିଲେ ମଧ୍ୟ ବ୍ୟକ୍ତିଗତ କାରଣ ଦର୍ଶାଇ ଯୋଗ ଦେଇନଥିଲେ। ତେବେ ବିମାନବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ପ୍ରଥମେ ସ୍ୱାଗତ ଓ ପରେ ବିଦାୟ ଦେବାକୁ ନବୀନ ପହଞ୍ଚିଥିଲେ।

 

You might also like