ରାଜ୍ୟରେ ଆଉ ୨ଜଣଙ୍କ ନିଜାମୁଦ୍ଦିନ ଲିଙ୍କ୍

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଚିହ୍ନଟ ହୋଇଥିବା ୪ ନୂଆ କରୋନା ପଜିଟିଭଙ୍କ ଟ୍ରାଭେଲ ବିବରଣୀ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣଙ୍କର ରହିଛି ନିଜାମୁଦ୍ଦିନ ଲିଙ୍କ୍। ୨ ଜଣ ଯାକ ସୁନ୍ଦରଗଡ଼ର। ଆଜି ସେମାନଙ୍କ ସହ ମୋଟ ୫ଜଣଙ୍କ ଗସ୍ତ ବିବରଣୀ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯିବା ପରେ ଏନେଇ ସ୍ପଷ୍ଟ ହୋଇଛି।

୫୧ ନମ୍ବର ଆକ୍ରାନ୍ତ ସୁନ୍ଦରଗଡ଼ ବିଶ୍ରାର ଜଣେ ୬୭ ବର୍ଷୀୟ ବୃଦ୍ଧ। ସେ ମାର୍ଚ୍ଚ ୫ ତାରିଖରେ ରାଉରକେଲାରୁ ଉତ୍କଳ ଏକ୍ସପ୍ରେସରେ ବାହାରିଥିଲେ। ୬ରୁ ୧୦ ତାରିଖ ଯାଏ ଦିଲ୍ଲୀରେ ରହିଥିଲେ ଓ ନିଜାମୁଦ୍ଦିନ ଯାଇଥିଲେ। ୧୦ ତାରିଖରେ ନିଜାମୁଦ୍ଦିନରୁ ବିଳାସପୁର ସମ୍ପର୍କକ୍ରାନ୍ତି ଏକ୍ସପ୍ରେସର ଏସ୍-୪ ବଗି ୪୯ ନମ୍ବର ସିଟ୍‌ରେ ଫେରିଥିଲେ। ୧୧ ତାରିଖରେ ବିଳାସପୁରରୁ କନେକ୍ଟିଂ ଟ୍ରେନର ରାଉରକେଲା ପହଞ୍ଚି ବିଶ୍ରାକୁ ଭଡ଼ା ଅଟୋରେ ଯାଇଥିଲେ।

୧୨ରୁ ୨ ତାରିଖ ହୋମ୍ କ୍ୱାରେଣ୍ଟିନରେ ଥିଲେ।  ୨ରୁ ୧୧ ତାରିଖ ଯାଏ ରାଉରକେଲା ସରକାରୀ କ୍ୱାରେଣ୍ଟିନରେ ଥିଲେ। ୧୧ ତାରିଖରେ ଅର୍ଥାତ୍ ଗତକାଲି ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ରାଉରକେଲା ହାଇଟେକ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ୫୨ ନମ୍ବର ଆକ୍ରାନ୍ତଙ୍କର ସିଧାସଳଖ ନିଜାମୁଦ୍ଦିନ ଲିଙ୍କ ନଥିଲେ ମଧ୍ୟ ସେ ଜଣେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଇଛି। ବିର୍ସାର ଏହି ୧୮ ବର୍ଷୀୟ ଯୁବକ ୧୦ ମାର୍ଚ୍ଚରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିଦିନ ସେ ଯାଜପୁର ଚାରିନଙ୍ଗଳରୁ ବସ୍ ଯୋଗେ ରାଉରକେଲା ଫେରିଥିଲେ। ୧୧ ତାରିଖରେ ରାଉରକେଲାରୁ ଅଟୋ ଯୋଗେ ବିଶ୍ରାକୁ ଯାଇଥିଲେ।

୧୧ରୁ ୨୦ ଯାଏ ଆସିୟାନା ମସଜିଦରେ ଏବଂ ୧୪ରୁ ଏପ୍ରିଲ ୫ ଯାଏ ସୁନ୍ଦରଗାଁ ବନାର ନିକଟ ମସଜିଦରେ ରହିଥିଲେ। ଏପ୍ରିଲ ୫ରୁ ଏପ୍ରିଲ ୧୧ ଯାଏ ସରକାରୀ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ୧୧ରେ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ରାଉରକେଲା ହାଇଟେକ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ଦୁଇ ଆକ୍ରାନ୍ତଙ୍କ ସହ ଅନ୍ୟ ୩ ଜଣଙ୍କ ଗସ୍ତ ବିବରଣୀ ମଧ୍ୟ ପ୍ରକାଶ କରିଛି ସୂଚନା ଓ ଲୋକସଂପର୍କ ବିଭାଗ। ସେମାନେ ହେଲେ ୧୦ ତାରିଖରେ ଚିହ୍ନଟ ହୋଇଥିବା ୫୦ ନମ୍ବର ଆକ୍ରାନ୍ତ ଏବଂ ଗତକାଲି ଚିହ୍ନଟ ହୋଇଥିବା ୫୩ ଓ ୫୪ ନମ୍ବର ଆକ୍ରାନ୍ତ। ୫୦ ନମ୍ବର ଆକ୍ରାନ୍ତ ଭୁବନେଶ୍ୱର ୟୁନିଟ-୪ ମଧୁସୂଦନ ନଗରର ୨୨ ବର୍ଷୀୟ ଯୁବକ ସେ ୪୧ ନମ୍ବର ଆକ୍ରାନ୍ତଙ୍କ ନିକଟ ସଂପର୍କୀୟ।

ଏହି ଯୁବକ ୧୮ରୁ ୨୦ ମାର୍ଚ୍ଚ ଯାଏ ଖୋର୍ଦ୍ଧା ବାଣପୁର ବଡ଼ହନ୍ତୁଡ଼ାରେ ସଂପର୍କୀୟଙ୍କ ଘରେ ଥିଲେ। ୨୦ ମାର୍ଚ୍ଚରୁ ୧୦ ଏପ୍ରିଲ ମଧ୍ୟରେ ବନ୍ଧୁମାନଙ୍କୁ ଭେଟିବାକୁ ୟୁନିଟ ୩, ଷ୍ଟେସନ ଛକ, ସତ୍ୟନଗର ଓ ଝାରପଡ଼ା ଆଦି ସ୍ଥାନ ବୁଲିଥିଲେ। ୧୦ ଏପ୍ରିଲରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

୫୩ ନମ୍ବର ଆକ୍ରାନ୍ତ ଭୁବନେଶ୍ୱର ଝାରପଡ଼ାର ୪୬ ବର୍ଷୀୟ ବ୍ୟକ୍ତି ସେ ୪୨ ନମ୍ବର ଆକ୍ରାନ୍ତଙ୍କ ନିକଟ ସଂପର୍କୀୟ ୨୫ ମାର୍ଚ୍ଚରୁ ୩ ଏପ୍ରିଲ ଯାଏ ସେ କେଶୁରା, ବାଙ୍କୁଆଳ, ସହିଦ ନଗରରେ ରହିଥିଲେ। ୪ରୁ ୬ ଏପ୍ରିଲ ଯାଏ ୪୨ ନମ୍ବର ଆକ୍ରାନ୍ତଙ୍କ ସଂପର୍କୀୟ ଭାବେ ଭୁବନେଶ୍ୱର ଏମ୍ସକୁ ଯାଇଥିଲେ ୭ରୁ ୧୦ ତାରିଖ କ୍ୱାରେଣ୍ଟିନରେ ଥିଲେ। ୧୧ରେ ରିପୋର୍ଟ ପଜିଟିଭ୍ ଆସିବା ପରେ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ।

ସେହିପରି ୫୪ ନମ୍ବର ଆକ୍ରାନ୍ତ କେନ୍ଦ୍ରାପଡ଼ା ରାଜନଗରର ୧୭ ବର୍ଷୀୟା ଯୁବତୀ। ସେ ୨୯ ମାର୍ଚ୍ଚରେ କୋଲକାତାରୁ ବାଲେଶ୍ୱର ଓ ଭଦ୍ରକ ଦେଇ ଗାଁକୁ ଏକ ଘରୋଇ ଆମ୍ବୁଲାନ୍ସରେ ଫେରିଥିଲେ। ଭଦ୍ରକର ୪୩ କିଲୋମିଟର ପୂର୍ବରୁ ଚା ପିଇଥିଲେ। ୩୦ ମାର୍ଚ୍ଚରୁ ୧୧ ଏପ୍ରିଲ ଯାଏ ରାଜନଗର ଓସ୍ତିଆ ପଞ୍ଚାୟତ ନାଲଦିଆ ଗାଁରେ ହୋମ୍ କ୍ୱାରେଣ୍ଟିନରେ ଥିଲେ। ୧୧ ତାରିଖରେ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

 

You might also like