ଏଣିକି ହେଲ୍‌ମେଟ୍‌ ନପିନ୍ଧିଲେ ଲାଇସେନ୍ସ ବାତିଲ୍, ଦେବାକୁ ପଡ଼ିବ ଫାଇନ୍

ଭୁବନେଶ୍ୱର: ରାଜ୍ୟରେ ହେଲମେଟ ନିୟମ ଏଣିକି କଡାକଡି କରାଯିବ। ସୁପ୍ରିମ କୋର୍ଟ କମିଟିଙ୍କ ଉଦବେଗ ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ହେଲମେଟ ନିୟମ ନ ମାନିଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବା ନେଇ ଆଇନରେ ଯେଉଁ ବ୍ୟବସ୍ଥା ରହିଛି ତାକୁ କଡାକଡି ପାଳନ କରିବାକୁ ରାଜ୍ୟ ସରକାର ପୋଲିସ ମହାନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀ ପୋଲିସ ମହାନିର୍ଦ୍ଦେଶକ ଓ ପରିବହନ କମିସନରଙ୍କୁ ଏ ସଂପର୍କରେ ଏକ ଚିଠି ଲେଖିଛନ୍ତି।

ମୋଟର ଯାନ ଆଇନ ୧୯୪ ଅନୁଯାୟୀ, ହେଲ୍‌ମେଟ୍ ନପିନ୍ଧିଲେ ଗାଡ଼ି ଚାଳକଙ୍କ ଠାରୁ ଏକ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବା ସହିତ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ  ରଦ୍ଦ କରାଯିବାର ନିୟମ ରହିଛି। ଗତ ୯ ତାରିଖରେ ସୁପ୍ରିମ କୋର୍ଟ କମିଟି ଭର୍ଚୁଆଲ୍ ପ୍ଲାଟଫର୍ମରେ ଏହାର ସମୀକ୍ଷା କରିଥିଲେ। କମିଟିର ସଭ୍ୟ ଏସ୍ ମିତ୍ର ଏହି ପ୍ରସଙ୍ଗ ଉଠାଇଥିଲେ। ମୋଟର ଯାନ ଆଇନର ଏହି ବ୍ୟବସ୍ଥାକୁ କଡାକଡି ପାଳନ ହେବା ଉଚିତ ବୋଲି ସେ କହିଥିଲେ।

ଏହାକୁ ଆଧାର କରି ପରିବହନ ବିଭାଗ ଚିଠି ଲେଖିଛି। ଏବେ ଠୁ ଏହି ଆଇନକୁ କଡାକଡି ପାଳନ କରି ଅମାନିଆଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ ଏହି ଚିଠିରେ କୁହାଯାଇଛି। ଏଥିସହ ୨୦୧୯ ବର୍ଷ ଓ ୨୦୨୦ ଅକ୍ଟୋବର ସୁଦ୍ଧା କେଉଁ ଜିଲ୍ଲାରେ କେତେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଛି ତାହାର ଜିଲ୍ଲାୱାରୀ ରିପୋର୍ଟ ଦେବାକୁ କୁହାଯାଇଛି। ପୋଲିସ ମହାନିର୍ଦ୍ଦେଶକ ଓ ପରିବହନ କମିସନର୍ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବେ। ସୁପ୍ରିମ କୋର୍ଟ କମିଟିକୁ ଏହି ତଥ୍ୟ ରାଜ୍ୟ ସରକାର ୭ଦିନ ମଧ୍ୟରେ ଦେବେ।

ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ୨୦୧୯ରେ ଓଡିଶାରେ ୧୧୦୬୪ ସଡ଼କ ଦୁର୍ଘଟଣା ଘଟିଛି। ତା ମଧ୍ୟରୁ ୪୬୮୮ ଦୁର୍ଘଟଣା ଦୁଇଚକିଆ ଯାନ ଯୋଗୁ ହୋଇଛି। ଗତ ବର୍ଷ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୫୩୩୩ ହୋଇଥିବା ବେଳେ ଦୁଇଚକିଆ ଯାନ ଦୁର୍ଘଟଣାରେ ୨୩୯୮ ଜଣ ପ୍ରାଣ ହରାଇଛନ୍ତି। ଏହା ମଧ୍ୟରୁ ୨୧୫୬ ଜଣ ଦୁର୍ଘଟଣା ସମୟରେ ହେଲମେଟ ପିନ୍ଧିନଥିଲେ।

୨୦୧୯ରେ ରାଜ୍ୟରେ ୮ଲକ୍ଷ ୫୦ ହଜାର ଲୋକ ହେଲମେଟ୍ ନିୟମ ପାଳନ କରିନାହାନ୍ତି ବୋଲି ପୋଲିସ ଓ ମୋଟର ଯାନ ବିଭାଗର ରିପୋର୍ଟରେ କୁହାଯାଇଚି। ସୁପ୍ରିମ କୋର୍ଟଙ୍କ ଉଦବେଗ ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି।

ଆହୁରି ପଢ଼ନ୍ତୁ:ଓଡ଼ିଶାରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

 

You might also like