ଚାକିରି ପାଇଲେ ପୂଜା କିନ୍ନର: ରେଢାଖୋଲ ଉପଖଣ୍ଡରେ ପ୍ରଥମ

ନରୋତ୍ତମ ଦେହୁରୀରୁ ପୂଜା କିନ୍ନର, ଜଣେ ତୃତୀୟଲିଙ୍ଗୀଙ୍କ ସଫଳତାର କାହାଣୀ. . .

ରେଢାଖୋଲ(ରମାକାନ୍ତ ମହାନନ୍ଦ): ସମ୍ମାନ ସହ ମିଳିଲା ବଂଚିବାର ଅଧିକାର। ଜୀବନର ଅଙ୍କାବଙ୍କା ରାସ୍ତାରେ ନିର୍ଯାତନା ଓ ପ୍ରତାରଣା ତାଙ୍କୁ ସଂଗ୍ରାମରେ ହରାଇ ପାରିଲାନି। ସମାଜର ଟାହି ଟାପରାକୁ ଭ୍ରୁକ୍ଷେପ ନକରି ଦୃଢ଼ ଆତ୍ମବିଶ୍ୱାସ ବଳରେ ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି ପୂଜା କିନ୍ନର। ଏନେଇ ଗତ ମାସେ ଧରି ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଏନଏସସି କାର୍ଯ୍ୟାଳୟ ଚର୍ଚ୍ଚାରେ ରହିଛି। ତେବେ ଏହି ଅଞ୍ଚଳରେ ଜଣେ କିନ୍ନର, ସରକାରୀ କର୍ମଚାରୀ ଭାବରେ ନିଯୁକ୍ତି ପାଇବା ଏହା ପ୍ରଥମ।

ଦେବଗଡ ଜିଲ୍ଲା ରଂଜନା ଗାଁର ନରୋତମ ଦେହୁରୀ ଓରୋଫ ପୂଜା କିନ୍ନର। ନିଜର ଯୋଗ୍ୟତା ଅନୁଯାୟୀ ରେଢାଖୋଲ ବିଜ୍ଞାପିତ ଅଂଚଳରେ ସରକାରୀ କାର୍ଯ୍ୟଳୟରେ ଚାକରି ପାଇଛନ୍ତି। ଦେବଗଡ଼ର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ପୂଜା କିନ୍ନର ଜାନୁୟାରୀ ୧୮ ତାରିଖରୁଏଠାରେ ଚାକିରି ପାଇଛନ୍ତି। ରେଢାଖୋଲ ବିଜ୍ଞାପିତ ଅଂଚଳରେ ପରିଷଦରେ ସିଟି ମିଶନ ମ୍ୟାନେଜମେନ୍ଟରେ ସପୋଟିଙ୍ଗ ଷ୍ଟାପ ଭାବରେ ତାଙ୍କୁ ନିଯୁକ୍ତି ମିଳିଛି। ଏକ ଗରିବ ପରିବାରରୁ ଆସିଥିବା ପୁଜା ଯୁକ୍ତ ଦୁଇ ପାଠପଢ଼ା ପରେ କମ୍ପ୍ୟୁଟର ଶିକ୍ଷାଲାଭ କରିଥିଲେ। ଆଉ ତା’ପରେ ସେ ଏହି ଚାକିରି ପାଇବା ପାଇଁ ଯୋଗ୍ୟ ସାବ୍ୟସ୍ତ ହୋଇଛନ୍ତି। ବହୁ କଷ୍ଟରେ ଜୀବନ ଅତିବାହିତ କରୁଥିବା ପୂଜା ଆଜି ସଫଳତାର ସ୍ୱାଦ ଚାଖିଛନ୍ତି ।

ସବୁଠାରୁ ଖୁସିର କଥା ହେଲା ଏବେ ଧୀରେ ଧୀରେ କିନ୍ନରଙ୍କ ପ୍ରତି ସମାଜର ଦୃଷ୍ଟିକୋଣ ବଦଳୁଛି। ପୂଜା କିନ୍ନରଙ୍କୁ ଜଣେ ସାଧାରଣ ମଣିଷ ଭାବେ ଗ୍ରହଣ କରି ଚାକିରି ଦେବା ସମାଜ ପାଇଁ ଏକ ଉଦାହରଣ। ଚାକିରି ପାଇବା ପରେ ଅଫିସରେ ଖୁବ୍ ଭଲ ଭାବରେ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି କିନ୍ନର ପୂଜା। ଫଳରେ ଅଫିସ ତଥା ବାହାରେ ସବୁଠି ତାଙ୍କୁ ପ୍ରଶଂସା ମିଳୁଛି । ତାଙ୍କର କାର୍ଯ୍ୟ ଦକ୍ଷତାକୁ ଦେଖି ସମସ୍ତ କର୍ମଚାରୀ ତାଙ୍କ ଉପରେ ବେଶ୍ ଖୁସି ଅଛନ୍ତି ।

ଜୀବନର ଦୋଛକିରେ ରାସ୍ତାକଡ଼ରେ ଭିକ ମାଗିକୁ ଜୀବନ କୁହାଯାଏନି। ଏଥିପାଇଁ ଦିବାରାତି କଠିନ ପରିଶ୍ରମ କରିବା ସହ ଖୋଲା ଆଖିରେ ସ୍ୱପ୍ନ ଦେଖିବାକୁ ପଡ଼େ। ନିଜ ସଫଳତା ପାଇଁ କିନ୍ନର ସମାଜ ଓ ରେଢାଖୋଲ ଅଞ୍ଚଳବାସୀଙ୍କ ସହଯୋଗ ପାଇ ଏକ ନୂଆ ଜୀବନ ଆରମ୍ଭ କରିବା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ପୂଜା କିନ୍ନର ।

You might also like