ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ୍ ଲାଗୁ ହେବାପରେ ଟ୍ରାଫିକ୍ ନିୟମ ପୁରାପୂରି କଡ଼ାକଡ଼ି ହୋଇଛି। ଗତକାଲି ଠାରୁ ଏହି ଆଇନ୍ ଅନୁସାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ବର୍ଦ୍ଧିତ ଜରିମାନା ଆଦାୟ କରାଯାଉଛି।
ପ୍ରଥମ ଦିନରେ କେବଳ ଟ୍ୱିନ୍ସିଟି ଭୁବନେଶ୍ୱର ଓ କଟକରୁ ୨ ଲକ୍ଷ ୧୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା କମିଶନରେଟ୍ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।
ଆଗକୁ ଚେକିଂ ଆହୁରି କଡ଼ାକଡ଼ି କରାଯିବ। ତେଣୁ ଟ୍ରାଫିକ୍ ନିୟମ ଅନୁସାରେ ଗାଡ଼ି ଚଳାଇବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ସଂଶୋଧିତ ମୋଟର ଯାନ ଆଇନ୍ ଅନୁସାରେ ଟ୍ରାଫିକ୍ ସମ୍ପର୍କିତ ବିଭିନ୍ନ ଅପରାଧ ପାଇଁ ପୂର୍ବ ପରିମାଣ ଠାରୁ ଏବେ ପ୍ରାୟ ୧୦ ଗୁଣା ଅଧିକ ଜରିମାନା ଦେବାକୁ ପଡ଼ୁଛି। ଜରିମାନାର ସର୍ବନିମ୍ନ ପରିମାଣ ରହିଛି ୧ ହଜାର ଟଙ୍କା।