ଜୟପୁରରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଅଟକି ରହୁଛି ଶତାଧିକ ଭାରିଯାନ

ଜୟପୁର: ଜୟପୁରରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଭାରିଯାନ ଅଟକି ରହୁଛି। ପ୍ରତିଦିନି ଗାଡ଼ି ଅଟକି ରହୁଥିବାରୁ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ମଧ୍ୟ ନଜର ଆସିଛି। ଅନ୍ୟପଟେ ଜାତୀୟ ରାଜପଥର ପ୍ରଶସ୍ତିକରଣ ନାଁରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଉଚ୍ଛେଦ କରି ଅଧପନ୍ତରିଆ କାମ କରୁଥିବାରୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି।

ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ବସ୍‌, ଟ୍ରକ୍ ସବୁ ଲମ୍ବା ଲାଇନ୍‌ରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ପ୍ରତିଦିନି ଜାତୀୟ ରାଜପଥ ପାର୍ଶ୍ୱରେ ଭାରିଯାନ ଅଟକି ରହୁଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜୁଛି।

ଜୟପୁର-ମାଲକାନଗିରି ବାଇପାସ୍‌ ରାସ୍ତାରେ ଯାତ୍ରୀବାହୀ ଗାଡ଼ି ଯାତାୟତ କରୁଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜର ପଡୁ ନାହିଁ।

ସେହିପରି ସହରର ବାରିଣିପୁଟରୁ ସଦର ଥାନା ଯାଏ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବାରମ୍ବାର ପ୍ରଶସ୍ତିକରଣ କରୁଥିଲେ ମଧ୍ୟ ଲୋକେ ପୁଣି ଜବରଦଖଲ କରୁଛନ୍ତି। ସହରର ମୁଖ୍ୟ ଛକରେ ଉଚ୍ଛେଦ କରି ଅଧାପନ୍ତରିଆ କାର୍ଯ୍ୟ କରିବା ଦ୍ୱାରା ଜାତୀୟ ରାଜପଥ ସଙ୍କୁଚିତ ହେଉଛି। ଫଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ସହ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଏନ୍ଏଚ୍‌ର ନିର୍ବାହୀ ଅଧିକାରୀ ହରେକୃଷ୍ଣ ପଣ୍ଡା ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି। ଏନେଇ ବାରମ୍ବାର ସଚେତନ ଓ ଜବରଦଖଲ ଉଚ୍ଛେଦ କରାଯିବା ପରେ ମଧ୍ୟ ଲୋକେ ମାନୁନଥିବା ସେ କହିଛନ୍ତି।

You might also like