ସାବାଡ୍ ହେବେ ବେପରୁଆ ଗାଡ଼ି ଚାଳକ, ଜୋରଦାର ହେବ ଚେକିଂ
ଭୁବନେଶ୍ୱର: ଏଣିକି ବେପରୁଆ ଗାଡ଼ି ଚାଳକଙ୍କୁ ଆଉ ନିସ୍ତାର ନାହିଁ। ଆସନ୍ତା ଜାନୁଆରୀରୁ ରାଜ୍ୟରେ ପୁଣିଥରେ ଗାଡ଼ି ଚେକିଂ ଜୋରଦାର କରାଯିବ। ହେଲମେଟ୍, ସିଟ୍ ବେଲ୍ଟ ଇତ୍ୟାଦି ଜୋରଦାର ଚେକିଂ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
ଦ୍ରୁତ ବେଗରେ ଗାଡି ଚଳାଇଲେ, ମଦ୍ୟ ପାନ କରି ଗାଡି ଚଳାଇଲେ, ଡ୍ରାଇଭିଂ ବେଳେ ମୋବାଇଲରେ କଥା ହେଉଥିଲେ ତିନି ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ।ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏଥିସହ ଟ୍ରାଫିକ୍ରେ ରେଡ୍ ଲାଇଟ୍ ଜଳୁଥିବା ବେଳେ ଏହି ସମୟରେ ଅତିକ୍ରମ କଲେ, ମାଲ୍ ପରିବହନ ଗାଡିରେ ଯାତ୍ରୀ ବୁହାହେଲେ ମଧ୍ୟ ନିୟମ କଡ଼ାକଡ଼ି ଲାଗୁ କରାଯିବ।
ଉଭୟ ବାଇକ୍ ଡ୍ରାଇଭର ଓ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ। ୨୦୧୯ରୁ କେନ୍ଦ୍ର ସରକାର ଏହି ଆଇନ ଆଣିଛନ୍ତି। କରୋନା ପାଇଁ ଏହାକୁ କୋହଳ କରାଯାଇଥିଲା। କିନ୍ତୁ ସୁପ୍ରିକୋର୍ଟଙ୍କ କମିଟିର ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଥିବା ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।