ମାସ୍କ ପିନ୍ଧି ନଥିଲେ ପୋଲିସ୍ ବାବୁ, ଗଣିଲେ ଜରିମାନା

ପୁରୀ: ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ମାସ୍କ ଚେକିଂ କଡ଼ାକଡ଼ି ହୋଇଛି। ମାସ୍କ ଅମାନିଆଙ୍କ ପାଇଁ କିଛିଦିନ ତଳେ ଜରିମାନା ପରିମାଣ ରାଜ୍ୟ ସରକାର ବଢ଼ାଇଛନ୍ତି। ଯେଉଁମାନେ ମାସ୍କ ପିନ୍ଧି ନଥିବେ ଓ ପ୍ରଥମ ଏବଂ ୨ୟ ଥର ଧରାପଡ଼ିଲେ ସେମାନଙ୍କୁ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ପରବର୍ତ୍ତୀ ଥର ଧରାପଡ଼ିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ପ୍ରଥମ ଓ ୨ୟ ଥର ପାଇଁ ଜରିମାନା ୧ ହଜାର ଥିଲା।

ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି ଓ ଧରା ପଡ଼ୁଛନ୍ତି ପୋଲିସ କାହାଠାରୁ ୨ ହଜାର ତ ଆଉ କାହାଠାରୁ ୫ ହଜାର ଯାଏ ଟଙ୍କା ଜରିମାନା ଆଦାୟ କରୁଛି। ହେଲେ ଏସବୁ ଭିତରେ ପୋଲିସ୍‌ ନିଜେ ଭୁଲି ଯାଇଛି ଏହି ନିୟମକୁ। ଶେଷରେ ନିଜେ ପୋଲିସ୍‌କୁ ହିଁ ଦେବାକୁ ପଡ଼ିଛି ଫାଇନ୍‌। ପୁରୀର ଜଣେ ଟ୍ରାଫିକ କନେଷ୍ଟବଲଙ୍କ ନିକଟରୁ ପୁରୀ ପୋଲିସ୍‌ ୨ ହଜାର ଟଙ୍କା ଜରିମାନା ଆଦାୟ କରିଛି। ମାସ୍କ ପିନ୍ଧି ନଥିବାରୁ ଟାଉନ୍ ପୋଲିସ ୨ ହଜାର ଟଙ୍କା ଚାଲାଣ କାଟିଛି। ଏନେଇ ପୁରୀ ଜିଲ୍ଲା ପୋଲିସ୍‌ ଟ୍ୱିଟ୍‌ କରି ଉଲ୍ଲେଖ ବି କରିଛି।

ଗତକାଲି ୧,୭୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାର୍‌ କରିଛି। ୨୪ ଘଣ୍ଟାରେ ରାଜ୍ୟରେ ୨,୨୬୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି

ଚଳିତ ବର୍ଷ ଏପ୍ରିଲ ୯ରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିଥିଲେ। ବିନା ମାସ୍କରେ ଘରୁ ବାହାରକୁ ନବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମାସ୍କ ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା କବଚ। ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ ଓ ଯେଉଁମାନେ ଟିକା ନେଇଛନ୍ତି, ସେମାନେ ବି ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଯେଉଁମାନେ ମାସ୍କ ପିନ୍ଧିନଥିବେ ସେମାନଙ୍କ ନିକଟରୁ ନିଶ୍ଚୟ ଜରିମାନା ଆଦାୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

You might also like