ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ହେବ ଯାଞ୍ଚ

ପୁରୀ: ଆଜିଠୁ ପିପିଲି ଟୋଲ୍ ଗେଟ୍‌ରେ ପୁରୀକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ଗାଡ଼ିକୁ ଯାଞ୍ଚ କରାଯିବା ସହ ପର୍ଯ୍ୟଟକଙ୍କ ସ୍କାନିଂ କରାଯିବ।

ଏହି ଯାଞ୍ଚରେ ଡାକ୍ତରୀ ଟିମ୍, ପରିବହନ ଅଧିକାରୀ ଏବଂ ପୁଲିସ୍‌ ରହିବେ। ଯଦି, କୌଣସି ପର୍ଯ୍ୟଟକଙ୍କ ପାଖରେ କରୋନାକୁ ନେଇ ସନ୍ଦେହ ଦେଖାଦିଏ ତେବେ ତାଙ୍କୁ ସେଠୁ ଫେରାଇ ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି।

ପୁରୀକୁ ରାଜ୍ୟ ଓ ବାହାର ରାଜ୍ୟରୁ ଆସୁଥିବା ଲୋକେ ଅତ୍ୟାବଶକ କାମ ହେଲେ ହିଁ ଆସନ୍ତୁ। ନଚେତ୍ ବର୍ତ୍ତମାନ ପାଇଁ ପୁରୀକୁ ନ ଆସିବା ପାଇଁ ନିବେଦନ କରିଛନ୍ତି ପୁରୀ ଜିଲ୍ଲାପାଳ। ସେହିପରି ପୁରୀ ବାସିନ୍ଦାଙ୍କୁ ବି ସମାନ ଭାବେ ଅପିଲ୍ କରିଛନ୍ତି ଜିଲ୍ଲାପାଳ।

ପ୍ରତିଦିନ ଶ୍ରୀକ୍ଷେତ୍ର ପୁରୀ ଓ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି ହୋଇଛି। ଅରୁଣସ୍ତମ୍ଭ କି ଗରୁଡ଼ସ୍ତମ୍ଭ ଛୁଇଁବାକୁ ଶ୍ରଦ୍ଧାଳୁଙ୍କୁ ମନା ହୋଇଥିବା ବେଳେ ସେବାୟତଙ୍କୁ ମାସ୍କ ପିନ୍ଧିବା ଭଳି କିଛି ନିଷ୍ପତ୍ତି ଛତିଶା ନିଯୋଗ ବୈଠକରେ ହୋଇଛି।

କୋଣାର୍କ, ଧଉଳି ଓ ଖଣ୍ଡଗିରି ଭଳି ପର୍ଯ୍ୟଟନସ୍ଥଳ ବର୍ତ୍ତମାନ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। ଏହାଛଡ଼ା ଆସନ୍ତା କିଛି ଦିନରେ ଦକ୍ଷିଣ ଓଡ଼ିଶାର ବଡ଼ ପର୍ବ ପ୍ରସିଦ୍ଧ ଦଣ୍ଡଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଯାତ୍ରା ଓ ମେଳା ଉପରେ ବି କଟକଣା ଲାଗିଛି।

You might also like