ବୋହୂ ନିର୍ଯାତନା ଅଭିଯୋଗ

କନ୍ଧମାଳ : ବୋହୂକୁ ଶାଶୁ ଓ ନଣନ୍ଦ ନିର୍ଯାତନା ଦେଉଥିବା ଅଭିଯୋଗ। କନ୍ଧମାଳ ଫୁଲବାଣୀ ଅମଲାପଡ଼ାରେ ରହୁଥିବା ଜଣେ ପୁଷ୍ପିତା ଷଡ଼ଙ୍ଗୀ ନାମକ ବିଧବା ମହିଳା ଏଭଳି ଅଭିଯୋଗ ଆଣିଛନ୍ତି । ସୂଚନା ମୁତାବକ ମହିଳା ଜଣକ ତାଙ୍କ ବାପା ଘରକୁ ଯାଇ ଶାଶୁଘରକୁ ଫେରିଥିବା ବେଳେ ଘରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ମହିଳା ଜଣଙ୍କ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଚାଲି ଯାଇଥିଲେ। ଶାଶୁଙ୍କୁ ଫୋନ କରି ଏ ବିଷୟରେ ଜଣାଇଥିଲେ ମଧ୍ୟ ସେ ଆଉ ଘରକୁ ଫେରି ନ ଥିଲେ। ଦିନ ୨ଟାରୁ ସଂଧ୍ୟା ୭ଟା ଯାଏ ଅପେକ୍ଷା କରିବା ପରେ ମହିଳା ଜଣକ ତାଙ୍କ ଛୋଟ ଝିଅକୁ ନେଇ ଫୁଲବାଣୀ ଟାଉନଥାନାରେ ଜଣାଇଥିଲେ।  ପରେ ଥାନାଧିକାରୀ ମହିଳାଙ୍କ ଶାଶୁକୁ ଡକାଇ ଘରର ତାଲା ଖୋଲିବା ପାଇଁ କହିଥିଲେ।

ପ୍ରଥମରେ ଶାଶୁ ତାଲା ଖୋଲିବାକୁ ମନା କରିବା ସହ ବୋହୂ ଯୋଉଠି ରହୁଛି ରହୁ ବୋଲି କହିଥିବା ପୁଷ୍ପିତା କୁହନ୍ତି। କିନ୍ତୁ ପୋଲିସର୍ ହସ୍ତକ୍ଷେପ ପରେ ଘରର ତାଲା ଖୋଲା ଯାଇଥିଲା।  ବହୁ ଦିନ ଧରି ଘର ସଫା ନ ହୋଇଥିବାରୁ ଧୂଳିରେ ପରିପୂର୍ଣ୍ଣ ହେବା ସହ ଫ୍ୟାନ୍ ମଧ୍ୟ କାମ କରୁ ନ ଥିଲା। କିନ୍ତୁ ସେହି ଘରେ ନିଜ ଛୋଟ ଝିଅକୁ ଧରି ରହିଥିଲେ ପୁଷ୍ପିତା। ତା ପରଦିନ ବୋହୂ ଜଣକ ତାଙ୍କ ଛୋଟ ଝିଅକୁ ନେଇ ଘରେ ରହିଥିବାବେଳେ ତାଙ୍କ ପାଇଁ ସଂଧ୍ୟା ସମୟରେ ଖାଇବାକୁ ପଠାଯାଇଥିଲା।  ଘଟଣାକୁ ନେଇ ସାହିଲୋକେ ମହିଳା ଜଣଙ୍କୁ ନ୍ୟାୟ ପ୍ରଦାନ ଲାଗି ଦାବି କରିଛନ୍ତି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

You might also like