ରାସ୍ତା ନଥିବାରୁ ଅସୁସ୍ଥ ବୃଦ୍ଧାଙ୍କୁ ତିନି କିଲୋମିଟର ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ . . .ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ . . .

ରାସ୍ତା ନଥିବାରୁ ଅସୁସ୍ଥ ବୃଦ୍ଧାଙ୍କୁ ତିନି କିଲୋମିଟର ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

ମୟୂରଭଂଜ : ମୟୂରଭଂଜ କୁଆଁରିବିଲ ଗାଁରେ ଅଭାବନୀୟ ଘଟଣା । ରାସ୍ତା ନଥିବାରୁ ଅସୁସ୍ଥ ବୃଦ୍ଧାଙ୍କୁ ତିନି କିଲୋମିଟର ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ । ଯଶିପୁର ବ୍ଲକର କୁଆଁରିବଲ ଗାଁର ଟୁରି ତିରିଆ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇ ପାରି ନଥିଲା । ତେଣୁ ଅସୁସ୍ଥଙ୍କୁ ଆଣିବା ପାଇଁ ୧୦୮ କର୍ମଚାରୀମାନେ ଷ୍ଟ୍ରେଚର ଧରି ବାହାରିଯାଇଥିଲେ । ପ୍ରାୟ ତିନି କିଲୋମିଟର ଷ୍ଟ୍ରେଚରରେ ବୋହି ଆଣିବା ପରେ ଆମ୍ବୁଲାନ୍ସରେ ତାଙ୍କୁ ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ରେଳଧରଣାରେ କାମ କରୁଥିବା ବେଳେ ଛିଣ୍ଡିଲା ବିଦ୍ୟୁତ ତାର, ଶ୍ରମିକ ଗୁରୁତର

କଟକ : କଟକ ଟାଙ୍ଗି କପିଳାସ ରେଳ ଷ୍ଟେସନ ନିକଟରେ ରେଳଧରଣାରେ କାମ କରୁଥିବା ଜଣେ ଶ୍ରମିକଙ୍କ ଉପରେ  ବିଦ୍ୟୁତ ତାର ଛିଡି ଖସି ପଡ଼ିବାରୁ ଶ୍ରମିକ ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଶରୀରର କିଛି ଅଂଶ ପୋଡି ଯାଇଛି । ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଘର ଭାଗ ନେଇ ବଚସା, ବଡ଼ଭାଇକୁ ତୀର ମାରିଲା ସାନଭାଇ

କରଞ୍ଜିଆ : କରଞ୍ଜିଆ ଥାନା କେନ୍ଦୁମୁଣ୍ଡି ଗାଁରେ ସାମାନ୍ୟ ବଚସାରୁ ବଡ଼ ଭାଇକୁ ତୀରମାଡ଼ କଲା ସାନ ଭାଇ । ଘର ଭାଗବଣ୍ଟାକୁ ନେଇ ସାନ ଭାଇ ବଡ଼ ଭାଇକୁ ତୀରମାଡ଼ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଦୁଇ ଭାଇ- ବୁଧୁରାମ ପିଙ୍ଗୁଆ ଓ ଟୁବୁରୁ ପିଙ୍ଗୁଆ ମଧ୍ୟରେ ଘର ଭାଗକୁ ନେଇ ଗତକାଲି ଝଗଡ଼ା ହୋଇଥିଲା। ଏହି ସମୟରେ ଉତ୍ତେଜିତ ହୋଇ ବୁଧୁରାମ ସାନ ଭାଇ ଟୁବୁରକୁ ତୀରରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ହେଲେ ଟୁବୁର ତାଙ୍କ ଉପରକୁ ତୀର ମାଡ଼ କରିଥିଲେ। ଗୁରୁତର ବୁଧୁରାମଙ୍କ ଛାତିରେ ତୀରଟି ପଶିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସାନ ଭାଇକୁ ଅଟକ ରଖି କରଞ୍ଜିଆ ପୋଲିସ ପଚରାଉଚରା କରୁଛି ।

ଆସନ୍ତା କାଲି ଖୋଲିବ ତାରିଣୀ ମନ୍ଦିର, ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ମିଳିତ ଗାଇଡଲାଇନ ଜାରି

ଘଟଗାଁ : ବହୁ ପ୍ରତିକ୍ଷା ପରେ ଆସନ୍ତାକାଲି ଘଟଗାଁ ମା ତାରିଣୀ ଖୋଲିବ । କଟକଣା ମଧ୍ୟ୍ୟରେ ମନ୍ଦିର ଖୋଲିବା ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମିଳିତ ଗାଇଡ ଲାଇନ ଜାରି କାରାଯାଇଛି । ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ପ୍ରେସ ମିଟରେ ଗାଇଡ ଲାଇନକୁ ପ୍ରକାଶ କରିଛି ମନ୍ଦିର ପ୍ରଶାସନ। ସରକାରଙ୍କ କୋଭିଡ -୧୯ ନିୟମ ଅନୁଯାୟୀ ମନ୍ଦିରକୁ ଯାଉଥିବା ସମସ୍ତ ଭକ୍ତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ । ମା’ ତାରିଣୀ ମନ୍ଦିର ସାଧାରଣ ଦର୍ଶନ ପାଇଁ ସକାଳ ୮ ଟା ରୁ  ୧୨ଘଟିକା ୩୦ମିନିଟ୍ ପର୍ପ୍ୟନ୍ତ ଏବଂ ଅପରାହ୍ନ ୪ଟା ରୁ ସନ୍ଧ୍ୟା ୬ ୩୦ମିନିଟ୍ ପର୍ଯ୍ୟନ୍ତ ରହିବ ।

ଭକ୍ତମାନେ ଗେଟ୍ ନଂ-୩ରେ ପ୍ରବେଶ ବେଳେ ସାନିଟାଇଜର ହୋଇ ଦୂରତା ରକ୍ଷା କରି ବ୍ୟାରିକେଡ୍‌ରେ ଧାଡି ହୋଇ ପ୍ରବେଶ କରି ମୁଖଶାଳା ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ । ମନ୍ଦିର ବେଢା ମଧ୍ୟରେ ୨୫ ଜଣ ରୁ ୩୦ ଜଣ ମଧ୍ୟରେ ଭକ୍ତ ଦର୍ଶନ କରିପାରିବେ ।  ମନ୍ଦିର ମଧ୍ୟରେ କୌଣସି ଭୋଗ ଅର୍ଥାତ୍ ନଡିଆ, ଦ୍ୱୀପ, ଧୂପ ଇତ୍ୟାଦି ଲାଗି କରାଯିବ ନାହିଁ । କେବଳ ଭକ୍ତମାନେ ମା’ ଙ୍କ ଦର୍ଶନ କରିପାରିବେ । ଏଥି ସହିତ କୌଣସି ଭକ୍ତ ପାଦୁକା ସେବନ କରିବେ ନାହିଁ କିମ୍ବା ସିନ୍ଦୁର, ଚନ୍ଦନ ପୂଜକଙ୍କୁ ମାଗିବେ ନାହିଁ । ମା’ ତାରିଣୀ ମନ୍ଦିରକୁ ୧୦ ବର୍ଷରୁ କମ୍ ବୟସର ପିଲା ପ୍ରବେଶ କରି ପାରିବେ ନାହିଁ । ମା’ ତାରିଣୀ ମନ୍ଦିରରେ ହେଉଥିବା ଦୈନନ୍ଦିନ ଅନ୍ନପ୍ରସାଦ ବିକ୍ରି କିମ୍ବା ଭୋଗ ପାର୍ସଲ ପରବର୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ବନ୍ଦ ରହିବ । 

ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶବ ରଖି ରାସ୍ତାରୋକ

 ନୟାଗଡ଼ : ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶବ ରଖି ରାସ୍ତାରୋକ । ନୟାଗଡ଼ ଜିଲ୍ଲା ରଣପୁର ଥାନା ପାମ୍ପଡ଼ା ଛକ ଠାରେ ରଣପୁର-ଚାନ୍ଦପୁର ପୂର୍ତ୍ତ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ପୋଲିସ ହତ୍ୟା ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରି ଚାଲିଛି ଏହି ରାସ୍ତାରୋକ । ଅଭିଯୋଗ ଅନୁସାରେ ପାମ୍ପଡ଼ା ଗାଁର ୪୪ବର୍ଷୀୟ ସୁକାନ୍ତ ବେହେରା ଗତ ୮ ଦିନ ତଳେ ଧାନ ବେଙ୍ଗଳା ପକାଉ ଥିଲେ । ତେବେ ଧାନ ବେଙ୍ଗଳା ବେଳେ ପାଳ କୁଟା ଉଡିବାକୁ ନେଇ ଗାଁର କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ସହ ତାଙ୍କର ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସୁକାନ୍ତଙ୍କୁ ସଂଘବଧ ଆକ୍ରମଣ ହୋଇଥିଲା । ଦୀର୍ଘ ୮ ଦିନ ପରେ ଗତକାଲି  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଗାଁ ରେ ଶବ ପହଂଚିବା ମାତ୍ରେ ଶବ ରଖି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ ।

You might also like