ଦେଶ ଓ ରାଜ୍ୟର ଟପ୍ ଖବର ସଂକ୍ଷେପରେ
ସଂକ୍ଷେପରେ ରାଜ୍ୟ ତଥା ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ।
ଧର୍ମେନ୍ଦ୍ର କହିଲେ ମାହାଙ୍ଗା ଡବଲ ମର୍ଡର ଘଟଣା ପ୍ରଧାନମନ୍ତ୍ରୀଙ୍କୁ କହିଛି
ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ଘଟଣା ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଅବଗତ ଅଛନ୍ତି। ହତ୍ୟାକାଣ୍ଡର ପରଦିନ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଏସମ୍ପର୍କରେ ଜଣାଇଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ହତ୍ୟାକାଣ୍ଡ ସମ୍ପର୍କରେ ଶୁଣିବା ପରେ ପ୍ରଧାନମନ୍ତ୍ରୀ ମୋଦି ଚିନ୍ତା ପ୍ରକଟ କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଆଜି ମଧ୍ୟ କୁଳମଣି ଓ ଦିବ୍ୟସିଂହଙ୍କ ପରିବାର ଭୟରେ ଅଛନ୍ତି ବୋଲି ଉଭୟ ପରିବାରକୁ ଭେଟିବା ପରେ ଏପରି କହିଛନ୍ତି ଧର୍ମେନ୍ଦ୍ର।
ଏନେଇ ସେ କହିଛନ୍ତି ଯେ ଦୁଇ ପରିବାରରେ ଜାତ ହୋଇଥିବା ଶଙ୍କା ଡିଜିପିଙ୍କୁ ଜଣାଯିବ। ପୂର୍ବତନ ଡିଜି ପ୍ରକାଶ ମିଶ୍ର ଏହି ଦାୟିତ୍ୱ ନେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି। ସ ଆହୁରି ମଧ୍ୟ କହିଛନ୍ତି ଯେ ମାହାଙ୍ଗାରେ ରାଜନୈତିକ ହିଂସାର ପୂର୍ବ ଇତିହାସ ରହିଛି। ଡବଲ ମର୍ଡର ପୂର୍ବରୁ ଆଉ ୨ଟି ହତ୍ୟାକାଣ୍ଡ ଘଟିଛି। ମାହାଙ୍ଗାରେ ଘଟୁଥିବା ଦୁର୍ନୀତିର ପର୍ଦ୍ଦାଫାସ୍ କରିବାରୁ ହତ୍ୟାକାଣ୍ଡ ହୋଇଛି। PMAY ଯୋଜନାରେ ଦୁର୍ନୀତି ପର୍ଦ୍ଦାଫାସ୍ କରିବାରୁ ହତ୍ୟାକାଣ୍ଡ କରାଯାଥିବା ସେ ଅଭିଯୋଗ କରିଛନ୍ତି।
ସେପେଟ ମାହାଙ୍ଗା ବିଜେପି ନେତା ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତ ଭିକାରୀ ସ୍ୱାଇଁର ମେଡିକାଲ ଟେଷ୍ଟ କରାଯାଇଛି। ମେଡିକାଲ ଟେଷ୍ଟ ପାଇଁ ଆସିଥିବା ଭିକାରୀ ଅଭିଯୋଗ କରିଛନ୍ତି ଯେ, ରମାକାନ୍ତ ବରାଳ ଓ ତାଙ୍କ ପରିବାର ତାଙ୍କୁ ଫସାଇ ଦେଇଛନ୍ତି। ହତ୍ୟାକାଣ୍ଡରେ ତାଙ୍କର କୌଣସି ସଂପୃକ୍ତି ନାହିଁ। ରାଜନୈତିକ ଶତ୍ରୁତା ପାଇଁ ତାଙ୍କୁ ଫଶାଇ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହିତ ୧୯୯୭ ମସିହାରୁ ତାଙ୍କର ରାଜନୈତିକ ଶତ୍ରୁତା ଥିବା କହିଛନ୍ତି ଅଭିଯୁକ୍ତ ଭିକାରୀ ସ୍ୱାଇଁ।
ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ପେଡି ଖୋଲିଥିବାରୁ ତାଙ୍କ ବାପାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ପୂର୍ବତନ ହତ୍ୟା କରାଯାଇଥିବା କୁଳମଣିଙ୍କ ପୁଆ ରମାକାନ୍ତ ବରାଳ ଅଭିଯୋଗ କରିଥିଲେ। ଏମିତିକି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରୀ ସ୍ୱାଇଁଙ୍କ ସମୟରେ ସେ ପିଏମ୍ ଆବାସ କେଳେଙ୍କାରୀ ଦୁର୍ନୀତି ପେଡି ଖୋଲିଥିଲେ ବୋଲି ରମାକାନ୍ତ ବରାଳ କହିଥିଲେ।
ମାର୍ଚ୍ଚ ୨୫କୁ ଘୁଞ୍ଚିଲା ନୟାଗଡ଼ ନାବାଳିକା ହତ୍ୟା ମାମଲାର ଶୁଣାଣି
କଟକ: ନୟାଗଡ଼ର କୁନିଝିଅ ହତ୍ୟା ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୫ ତାରିଖକୁ ଘୁଞ୍ଚିଛି। ଏହାରି ଭିତରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ଏସ୍ଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ଆଜି ଏନେଇ ମାମଲାର ଶୁଣାଣି କରିବା ସହ ପୂର୍ବରୁ କୋର୍ଟ ଏସ୍ଆଇଟି ବନ୍ଦ ଲଫାଫାରେ ଦେଇଥିବା ଷ୍ଟାଟସ ରିପୋର୍ଟ ଦେଖିଥିଲେ। ତେବେ ଅପଡେଟ୍ ଷ୍ଟାଟସ ରିପୋର୍ଟ ଦେବାକୁ ଏସ୍ଆଇଟି ଅଧିକ ସମୟ ମାଗିଥିଲା। ଏଣୁ ୨ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ କୋର୍ଟ ଏସ୍ଆଇଟିକୁ ସମୟ ଦେଇଛନ୍ତି।
ସେପଟେ ମାମଲାର ମୂଳ ଆବେଦନକାରୀ ଆଜି ପୁଣି ଏକ ସତ୍ୟପାଠ ଦାଖଲ କରିଛନ୍ତି। ଅଭିଯୁକ୍ତର ଘରୁ ସବୁ ଜିନିଷପତ୍ର ଜବତ କରିଥିଲେ ବି ତାହାର ବୟସ ଜାଣିବା ଲାଗି କାହିଁକି ସାର୍ଟିଫିକେଟ ନିଆଯାଇନଥିଲା ଓ ଓସିଫିକେସନ ଟେଷ୍ଟ କାହିଁକି କରାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଅଭିଯୁକ୍ତ ନାବାଳକ ଥିବା ଜାଣି ବି ଏସ୍ଆଇଟି ତାଙ୍କୁ ଜାଣିଶୁଣି ସାବାଳକ ବୋଲି କହିଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
୧୬.୫ କୋଟି ଟିକା ଆଣିବେ ଭାରତ ସରକାର
ନୂଆଦିଲ୍ଲୀ: ଟିକାକରଣ ପାଇଁ ଭାରତ ସରକାର ୧୬.୫ କୋଟି ଟିକା ଆଣିବେ। ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ।
୧୧୦ ଲକ୍ଷ କୋଭିସିଲଡ ଏବଂ ୫୫ ଲକ୍ଷ କୋଭାକ୍ସିନ ଟିକା ଅଣାଯିବ। ଡୋଜ୍ ପିଛା ୨ଶହ ଟଙ୍କାରେ କେନ୍ଦ୍ର କୋଭିସିଲ୍ଡ ଟିକା କଣାଯିବାକୁ ଥିବା ବେଳେ କୋଭାକ୍ସିନକୁ ଡୋଜ୍ ପିଛା ୨୯୫ ଟଙ୍କାରେ କିଣିବେ କେନ୍ଦ୍ର ସରକାର।
ଏହା ବାଦ୍ ଭାରତ ବାୟୋଟେକ୍ କମ୍ପାନୀ ୧୬.୫ ଲକ୍ଷ କୋଭାକ୍ସିନ ଟିକାକୁ ସରକାରଙ୍କୁ ମାଗଣାରେ ଦେବ। ବାକି ୩୮.୫ ଲକ୍ଷ ଟିକାକୁ ଡୋଜ୍ ପିଛା ୨୯୫ ଟଙ୍କାରେ କେନ୍ଦ୍ର ସରକାର କିଣିବେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ତ୍ୟ ସଚିବ।
ବ୍ୟାଡମିଣ୍ଟନ ତାରକା ସାଇନା ନେହେଓ୍ୱାଲଙ୍କୁ କରୋନା
ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ତାରକା ସାଇନା ନେହେଓ୍ୱାଲ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ବ୍ୟାଙ୍ଗକକ୍ରେ କ୍ୱାରେଣ୍ଟିନରେ ରଖାଯାଇଛି। ଥାଇଲାଣ୍ଡ ଓପନ -୨୦୨୧ରେ ଅଂଶଗ୍ରହଣ କରିବାକୁ ଯାଇଥିଲେ ସାଇନା ଓ ସାଥୀ ଖେଳାଳି। ଏଚ୍. ଏସ୍. ପ୍ରଣୟ ତୃତୀୟ ପର୍ଯ୍ୟାୟ ଟେଷ୍ଟ ପରେ ଦୁହେଁ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି।
ଏହାପରେ ଦୁହିଁଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି. ଆଜି ପୁଣି ଦୁଇ ଜଣଙ୍କୁ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯିବ ବୋଲି କୁହାଯାଇଛି। ସାଇନାଙ୍କ ସଂସ୍ପର୍ଶରେ ଆସିଥିବା ସ୍ୱାମୀ ତଥା ବ୍ୟାଡମିଣ୍ଟନ ଖେଳାଳି ପରୁପଲ୍ଲି କାଶ୍ୟପଙ୍କୁ ମଧ୍ୟ ହସ୍ପିଟାଲ ନିଆଯାଇଛି। ଦୀର୍ଘ ୩୦୦ ଦିନର ବିରତି ପରେ ଆଜି ସକାଳୁ ଏହି ପ୍ରତିଯୋଗିତା ଆରମ୍ଭ ହେବାର ଥିଲା। ହେଲେ ଭାରତୀୟ ଖେଳାଳିଙ୍କ କରୋନା ଟେଷ୍ଟ ପରେ ଦୁହେଁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
୩ଟି କୃଷି ଆଇନକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ପରବର୍ତ୍ତୀ ଆଦେଶ ଯାଏ ୩ଟି ଯାକ ଆଇନ ସ୍ଥଗିତ ରହିଲା ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. ବୋବଡ଼େଙ୍କ ନେତୃତ୍ୱାଧିନ ଖଣ୍ଡପୀଠ କହିଛନ୍ତି। ଏହାସହ ଚାଷୀଙ୍କ ସହ ଆଲୋଚନା ଲାଗି ୪ ଜଣିଆ କମିଟି ଗଠନ କରିଛନ୍ତି।
କୃଷି ଅର୍ଥନୀତିଜ୍ଞ ହରସିମ୍ରତ ମାନ୍, ଅଶୋକ ଗୁଲାଟି, ଡର ପ୍ରମୋଦ ଯୋଶୀ ଏବଂ ଅନୀଲ ଧନାୱାତଙ୍କୁ କମିଟିରେ ସଦସ୍ୟ ଭାବେ ରଖାଯାଇଛି। ଏହି କମିଟି ଉଭୟ ପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ରାସ୍ତା ବାହାର କରିବେ।
ଆଜି ଚାଷୀ ଆନ୍ଦୋଳନ ଓ କୃଷି ଆଇନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିଥିଲେ କୋର୍ଟ। ମାମଲାକୁ ନେଇ ଗତକାଲି କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ କୋର୍ଟ। ଆଜି ମଧ୍ୟ କେନ୍ଦ୍ର ସରକାରଙ୍କୁ କୋର୍ଟ ସମାଲୋଚନା କରିଛନ୍ତି। ଚାଷୀ ଆନ୍ଦୋଳନ ଜୀବନ ମୃତ୍ୟୁ ମାମଲା, ଏଣୁ ଏନେଇ କୋର୍ଟ ସମ୍ବେଦନଶୀଳ ଅଛନ୍ତି ବୋଲି କୋର୍ଟ କହିଛନ୍ତି। ଏଣୁ ଚାଷୀ ଆନ୍ଦୋଳନର ସମାପ୍ତି ଲାଗି କୋର୍ଟ ନିଜଆଡୁ କମିଟି ଗଠନ କରିବାକୁ କହିଥିଲେ। ଏହାସହ ଏନେଇ ନାଁ ଦେବାକୁ ଉଭୟ ପକ୍ଷଙ୍କୁ କୋର୍ଟ କହିଥିଲେ।
ବାଲି ଭିତରୁ ବାହାରିଲା ୩୩ରୁ ଅଧିକ ସାପ ମୂର୍ତ୍ତୀ
ଭଦ୍ରକ: ଘର କାମ ପାଇଁ ଆସିଥିବା ବାଲି ଭିତରୁ ବାହାରିଲା ୩୩ରୁ ଅଧିକ ସାପ ମୂର୍ତ୍ତି। ଭଦ୍ରକ ଜିଲ୍ଲା ଅଳାଉତି ଗାଁର ନିରଞ୍ଜନ ଭୂୟାଁ ଘର କାମ ପାଇଁ ବାଲି ମଗାଇଥିଲେ। ଘର ନିକଟକୁ ଗାଡ଼ି ଯିବା ସୁବିଧା ନ ଥିବାରୁ ବାଲି ଆଣିଥିବା ହାଇଓ୍ୱା ଗାଁ ମୁଣ୍ଡରେ ବାଲି ପକାଇ ଦେଇଥିଲା। ସେଠାରୁ ନିରଞ୍ଜନ ବାଲିକୁ ଟ୍ରାକ୍ଟର ଯୋଗେ ଘରକୁ ନେବାକୁ ଲୋଡ୍ କରୁଥିବା ବେଳେ ଏକ ପ୍ଲାଷ୍ଟିକ୍ ବସ୍ତା ବାହାରିଥିଲା। ପରେ ବସ୍ତା ଖୋଲିବାରୁ ସେଠାରୁ ୩୩ରୁ ଅଧିକ ସାପ ମୂର୍ତ୍ତି ବାହାରିଥିଲା।
ଏଥିରେ ବିଭିନ୍ନ ଆକାରର ସାପମୂର୍ତ୍ତି ସବୁ ରହିଛି। ଏଗୁଡ଼ିକୁ ଦେଖିବା ଲାଗି ଗାଁରେ ଭିଡ଼ ଜମିଛି ତେବେ ମୂର୍ତ୍ତି କିଭଳି ବାଲି ଗଦାକୁ ଆସିଲା ଏବଂ ବାଲି କେଉଁ ସ୍ଥାନରୁ ଆସିଥିଲା ତାହା ସ୍ପଷ୍ଟ ହୋଇ ନାହିଁ।