ରାଗରେ ପୋଲିସ ଗାଡି ଉପରେ ଟ୍ରକ ଚଢାଇ ଦେଲା ଡ୍ରାଇଭର . . . ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ

ଚିତ୍ରକୋଣ୍ଡାରୁ ବିପୁଳ ପରିମାଣର ଗଂଜେଇ ଜବତ, ପାରାଦ୍ୱୀପରେ କାଉ ମଡକ

ରାଗରେ ପୋଲିସ ଗାଡି ଉପରେ ଟ୍ରକ ଚଢାଇ ଦେଲା ଡ୍ରାଇଭର

ପାରାଦ୍ୱୀପ(ରମାକାନ୍ତ ନାୟକ) : ରାଗରେ ପୋଲିସ ଗାଡି ଉପରେ କୋଇଲା ବୋଝେଇ ଟ୍ରକ ଚଢାଇ ଦେଲା ଡ୍ରାଇଭର । ଫଳରେ ପିସିଆର ଗାଡ଼ି ଓ ଗୋଟିଏ ବାଇକ କ୍ଷତିଗ୍ରସ୍ତ ହୋଇଛି । ଟ୍ରକ ଡ୍ରାଇଭରକୁ ପାରାଦ୍ୱୀପ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ।

ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥର ଦୋଛକିରେ ଭିଡ ନିୟନ୍ତ୍ରଣ କରୁଥିବା ବେଳେ କଟକ-ପାରାଦୀପ ପଟୁ ଆସୁଥିବା କୋଇଲା ବୋଝେଇ ଟ୍ରକ ଜୋରଜବରଦସ୍ତି  ରାସ୍ତା  ଅତିକ୍ରମ କରିବାକୁ ଉଦ୍ୟମ କରିଥିଲା ।  ଏହାରି ମଧ୍ୟରେ ପୋଲିସଙ୍କ ଗହଣରେ ଥିବା ଜଣେ ବ୍ୟକ୍ତି ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଥିଲେ । ମାଡ଼ ଖାଇବାରୁ ଡ୍ରାଇଭର ଭୀଷଣ ଭାବେ ରାଗିଯାଇ ଟ୍ରକରେ ଚାପି ସମସ୍ତଙ୍କୁ ମାରିଦେବ ବୋଲି କହିବା ସହ ଗାଡ଼ିକୁ ପଛୁଆ ପଛୁଆ ନେଇ PCR ଗାଡ଼ି ଉପରକୁ ଚଢାଇ ଦେଇଥିଲା ।

ବିପୁଳ ପରିମାଣର ଗଂଜେଇ ଜବତ

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ) :   ୯୦୦ କିଲୋ ଗଂଜେଇ ଜବତ ସହ ଜଣେ ଅଭିଯୁକ୍ତ ଗିରଫ । ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ଆଉ ଏକ  ବଡ଼ ସଫଳତା ।  ଗତକାଲି ବିଳମ୍ବିତ ରାତିରେ ଚିତ୍ରକୋଣ୍ଡା ଥାନା ଅଧିକାର ଙ୍କ ନେତୃତ୍ୱରେ ଗୋଟିଏ ଟିମ ଚିତ୍ରକୋଣ୍ଡା/ ଜାନବାଇ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ମହେନ୍ଦ୍ରା ବୋଲେରୋ ପିକଅପକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଆଉ ଗାଡ଼ିରୁ ୩୦ ଟି ପ୍ୟାକେଟରେ ବିପୁଳ ପରିମାଣର ଗଂଜେଇ ମିଳିଥିଲା । ଏଥିସହ ପୋଲିସ ଉକ୍ତ ବୋଲେରୋ ପିକଅପ ଗାଡି ନଂ ଓଆର,୨୪ବି,୦୯୧୪ ହୋଇଥିବା ବେଳେ ଚାଳକକୁ ଗିରଫ କରି ଗାଡିକୁ ସିଜ୍ କରାଯାଇଛି ।

ପାରାଦ୍ୱୀପରେ କାଉ ମଡକ

ପାରାଦ୍ୱୀପ(ରମାକାନ୍ତ ନାୟକ) : ପାରାଦ୍ୱୀପରେ କାଉ ମଡକ । ଆଜି ସହରର ବିଭିନ୍ନ ସ୍ଥାନରେ କାଉ ମରି ପଡିଥିବା ଦେଖିବାକୁ ମିଳିଛି । ଅନେକ କାଉ ଛଟପଟ ହେଉଥିବା ମଧ୍ୟ ଦେଖାଯାଇଛି । ବଡପଡିଆ, ନୂଆବଜାର, ମଧୁବନ ଅଞ୍ଚଳରେ ଏପରି କାଉ ମଡକ ହୋଇଛି। ଏହାକୁ ନେଇ କୁକୁଡା ବ୍ୟବସାୟୀ ଏବଂ ଫାଷ୍ଟଫୁଡ ଦୋକାନୀ ଚିନ୍ତାରେ ଅଛନ୍ତି । ତେବେ ଏହା ବାର୍ଡଫ୍ଲୁ ନୁହେଁ, ପାଗ ପରିବର୍ତ୍ତନ ଯୋଗୁଁ ଏପରି ହେଉଥିବା ଜଗତସିଂହପୁର ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ କହିଛନ୍ତି । ଗରମ ପରେ ହଠାତ୍ ଥଣ୍ଡା ପଡ଼ିଲେ ଏପରି ହୁଏ ବୋଲି ସେ କହିଛନ୍ତି।

ଜଳିଗଲା ୫ ବଖରା ଘର 

ଭଦ୍ରକ(ବାସୁଦେବ ଦାସ) : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଖଡିଜାଣ ଗାଁରେ ଭୀଷଣ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୨ଟି ପରିବାରର ପାଞ୍ଚବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଜଣାପଡ଼ିଛି । ତେବେ ନିଆଁ ଲାଗିଥିବା  ଖବର ଶୁଣି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ହେଲେ ସେତେବେଳକୁ ଘରର ଆସବା ପାତ୍ର ସହିତ ଧାନ ଚାଉଳ ଓ ଅନ୍ୟାନ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା । ଏବେ ଦୁଇ ପରିବାର ବେସାହାରା ହୋଇଯାଇଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡ଼ିନାହିଁ ।

ଧାନମଣ୍ଡିରେ ଖୋଲା ଆକାଶ ତଳେ ପଡ଼ି ରହିଛି ବସ୍ତା ବସ୍ତା ଧାନ

ସମ୍ବଲପୁର : ଧାନମଣ୍ଡିରେ ଖୋଲା ଆକାଶ ତଳେ ପଡ଼ି ରହିଛି ବସ୍ତା ବସ୍ତା ଧାନ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଲ୍ୟାମ୍ପ ଅଧିନ କୁଟୁରାଚୂଆଁ ଧାନମଣ୍ଡିରେ ଖୋଲା ଆକାଶ ତଲେ ପଡିରହିଛି ୩୦ ହଜାର ବସ୍ତାରୁ ଅଧିକ ଧାନ । ଟୋକନ , ମିଲର୍ସ ଟାର୍ଗେଟ ନଥିବାରୁ ଉଠିପାରୁନି ଧାନ । କୁଚିଣ୍ଡା ଉପଖଣ୍ଡରେ ୪୮ଟି ଧାନ ମଣ୍ଡିରେ ଚାଷୀଙ୍କ ଧାନ ସଂଗ୍ରହ କରାଯାଉ ଥିବାବେଳେ ୧୫ଟି  ମହିଳା ଏସଏଚଜି ଧାନକିଣୁଛନ୍ତି ।

You might also like