ଆରମ୍ଭ ହେଲା ସଡକ ସୁରକ୍ଷା ମାସ, ଗୁଣିଗାରେଡି ସନ୍ଦେହରେ ହତ୍ୟା . . . ସଂକ୍ଷେପରେ ରାଜ୍ୟର ମୁଖ୍ୟ ଖବର
ମହାବାହୁଙ୍କ ଦର୍ଶନରେ ବାଧା ହେବନି କୋଭିଡ୍ ନେଗେଟିଭ୍ ରିପୋର୍ଟ
ଆରମ୍ଭ ହେଲା ସଡକ ସୁରକ୍ଷା ମାସ
ଭୁବନେଶ୍ୱର : ଆଜିଠୁ ଜାତୀୟ ସଡକ ସୁରକ୍ଷା ମାସ । ଆସନ୍ତା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସଡ଼କ ସୁରକ୍ଷା ମାସ । ଭୁବନେଶ୍ୱରରେ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଓଡ଼ିଶା ରୋଡ୍ ସେଫଟି ସୋସାଇଟି ଏବଂ ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟା ଳୟ-୨ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ଏକ ସଡକ ସୁରକ୍ଷା ରଥର ଶୁଭାରମ୍ଭ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହି ରଥ ରାଜଧାନୀର ବିଭିନ୍ନ ଅଂଚଳ ବୁଲି ସଚେତନ କରିବ । ଦୀର୍ଘ ମାସେ ତମାମ ସହରର ବିଭିନ୍ନ ଅଂଚଳରେ ଲୋକଙ୍କୁ ସଚେତନ କରିବ । ସଡ଼କରେ ସୁରକ୍ଷିତ ଗାଡି ଚାଳନା, ଗାଡିଚାଳନା ସମୟରେ ଦୁର୍ଘଟଣାକୁ ଏଡାଇବା ନେଇ ଲୋକଙ୍କୁ ସଚେତନ କରାଯାଉଛି । ଦ୍ରୁତଗତିରେ ଗାଡି ନଚଳାଇବାକୁ ପରାମର୍ଶ ସହ ହେଲମେଟ୍ ପିନ୍ଧିବା ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି । ମଦ୍ୟପାନ ନକରି ଗାଡି ଚଳାଇବା ସହ ଗାଡି ଚଳାଇବାବେଳେ ଟ୍ରାଫିକ ନିୟମର ପାଳନ କରିବାକୁ ସଚେତନ କରାଯାଉଛି ।
ଗୁଣିଗାରେଡି ସନ୍ଦେହରେ ହତ୍ୟା
ସୁନ୍ଦରଗଡ଼ : ଗୁଣିଗାରେଡି ସନ୍ଦେହରେ ହତ୍ୟା । ସୁନ୍ଦରଗଡ଼ ବଣାଇ ମହୁଲପଦା ଥାନା ଅନ୍ତର୍ଗତ ପଟାମୁଣ୍ଡ ଗାଁରେ ଘଟିଛି ଏ ଅଭାବନୀୟ ଘଟଣା । ଗୁଣିଗାରେଡି ସନ୍ଦେହରେ କାଳିଆ ଦେହୁରୀ ନାମକ ବ୍ୟକ୍ତିଙ୍କୁ ହାଣି ହତ୍ୟା ଅଭିଯୋଗ ହୋଇଛି । ଘଟଣାରେ ଟାଙ୍ଗୁରୁ ଗିରି ନାମକ ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ମହୁଲପଦା ପୋଲିସ ହତ୍ୟାକାଣ୍ଡ ପଛରେ ପୂର୍ବଶତ୍ରୁତା ଥିବା ସନ୍ଦେହ କରୁଛି ।
ମହାବାହୁଙ୍କ ଦର୍ଶନରେ ବାଧା ହେବନି କୋଭିଡ୍ ନେଗେଟିଭ୍ ରିପୋର୍ଟ
ପୁରୀ : ମହାବାହୁଙ୍କ ଦର୍ଶନରେ ଆଉ ବାଧା ସୃଷ୍ଟି କରିବନି କୋଭିଡ୍ ନେଗେଟିଭ୍ ରିପୋର୍ଟ । ମଝିରେ ଆଉ ଦୁଇ ଦିନ, ୨୧ରୁ ନିର୍ବିଘ୍ନ ଦର୍ଶନ କରିବାର ସୁଯୋଗ ପାଇବେ ଦର୍ଶନାର୍ଥୀ । ଏଇ ଗୁରବାରଠୁ ପ୍ରତିଦିନ ୩୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନର ବ୍ୟବସ୍ଥା କରାଯାଇଛିି । ଏହାଠୁ ଅଧିକ ହେଲେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଶ୍ରଦ୍ଧାଳୁଙ୍କୁ କେବଳ ସିଂହଦ୍ୱାର ବ୍ୟାରିକେଡ୍ ଦେଇ ଭିତରକୁ ଛଡ଼ାଯିବ । ଥର୍ମାଲ୍ ସ୍କ୍ରିନିଂ, ମାସ୍କ ଓ ସାନିଟାଜେସନକୁ ଗୁରୁତ୍ୱ ଦିଆଯିବା ସହ ଶ୍ରୀମନ୍ଦିର ସାନିଟାଇଜେସନ୍ ପାଇଁ ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ଅନୁମତି ପରେ ଗତ ୨୬ ତାରିଖଠୁ ଏପର୍ଯ୍ୟନ୍ତ ଲକ୍ଷେ ୨୫ ହଜାର ୪୧୧ ଜଣ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ପାଇଲେଣି ।
ଜେଲ କର୍ମଚାରୀଙ୍କ ମହାନତା, ରକ୍ତଦାନ କରି ବିଚାରାଧୀନ କଏଦୀର ଜୀବନ ବଞ୍ଚାଇଲେ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଉପଖଣ୍ଡ ଜେଲ କର୍ମଚାରୀଙ୍କ ମହାନତା । ରକ୍ତଦାନ କରି ବିଚାରାଧୀନ କଏଦୀର ଜୀବନ ବଞ୍ଚାଇଲେ ୨ ଜେଲ କର୍ମଚାରୀ । ହତ୍ୟା ଘଟଣାରେ ଜେଲରେ ଥିବା ବିଚାରଧୀନ କଏଦୀ ଦୁରୁଆ ଲାଚା ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ତୁରନ୍ତ ରକ୍ତ ଦେବାକୁ ଡାକ୍ତର କହିଥିଲେ କଏଦୀଙ୍କ ପରିବାର ସଦସ୍ୟ । କେହି ନଆସିବାରୁ ଜେଲରେ କାର୍ଯ୍ୟରତ ରବୀନ୍ଦ୍ର ଚୌଧୁରୀ ଓ ଅରୁଣ ପଣ୍ଡା ରକ୍ତଦାନ କରି ତାଙ୍କ ଜୀବନ ବଞ୍ଚାଇଛନ୍ତି । ରକ୍ତ ଦାନ ପରେ ଏବେ କଏଦୀ ସୁସ୍ଥ ଥିବା ଜଣାପଡିଛି ଜେଲ କର୍ମଚାରୀଙ୍କ ଏଭଳି କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ଜେସିବି ଭିତରୁ ୧୧ ଫୁଟର ଅଜଗର ଉଦ୍ଧାର
ବ୍ରହ୍ମପୁର : ଜେସିବି ଭିତରୁ ୧୧ ଫୁଟର ଅଜଗର ଉଦ୍ଧାର । ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀ ଗୁମୁଲା ଗାଁର ନୂଆ ବନ୍ଧ ନିକଟରୁ ଦୁଇଟି ଅଜଗର ସାପକୁ ଉଦ୍ଧାର କରାଯାଇଛି । ନୂଆ ବନ୍ଧର ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଲାଗି ଚାଲିଥିବା ବେଳେ ଜେସିବି ଦ୍ୱାରା ନାଳ ଖୋଳାଯାଉଥିଲା । ଏହି ସମୟରେ ଦୁଇଟି ଅଜଗର ମଧ୍ୟରୁ ଗୋଟିଏ ଜେସିବିର ଇଂଜିନ ମଧ୍ୟରେ ପଶିଯାଇଥିଲା । ଏହା ପରେ ସ୍ନେକ ହେଲ୍ପ ଲାଇନକୁ ସୂଚନା ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆସି ଦୁଇ ଅଜଗରଙ୍କୁ ଉଦ୍ଧାର କରିଥିଲେ । ଦୀର୍ଘ ତିନି ଘଣ୍ଟାର ପରିଶ୍ରମ ପରେ ଗୋଟିଏ ୧୧ ଫୁଟର ଅଜଗର ସାପକୁ ଉଦ୍ଧାର କରାଯାଇଛି ।ସାପ ଦୁଇଟିକୁ ଉଦ୍ଧାର ପରେ ସ୍ଥାନୀୟ ଜଙ୍ଗଲରେ ଛାଡି ଦିଆଯାଇଛି ।