ଆଳିରେ ମାତିଛନ୍ତି ଏଟିଏମ୍ ଲୁଟେରା. . ସଂକ୍ଷେପରେ ରାଜ୍ୟର ମୁଖ୍ୟ ଖବର ଉପରେ ନଜର ପକାନ୍ତୁ

ଚାଷ ଜମି ମଝିରେ ପଡ଼ି ରହିଛି ଅର୍ଦ୍ଧ ଦଗ୍ଧ ମୃତଦେହ

ଆଳିରେ ମାତିଛନ୍ତି ଏଟିଏମ୍ ଲୁଟେରା

ଆଳି: କେନ୍ଦ୍ରାପଡ଼ା ଆଳିରେ ମାତିଛନ୍ତି ଲୁଟେରା। ଦୁଇ ଦୁଇଟି ଏଟିଏମକୁ ତାଡ଼ି ନେଇଛନ୍ତି ଦୁର୍ବୃତ୍ତ। ସ୍ଥାନୀୟ ପତ୍ରପୁର ଓ ନିଆଳହାଟରେ ଥିବା ଦୁଇଟି ଏସବିଆଇ ଏଟିଏମକୁ ତାଡ଼ି ନେଇଛନ୍ତି। ଗ୍ୟାସ୍ କଟରରେ କାଟି ଲକ୍ଷାଧିକ ଟଙ୍କା ଲୁଟ୍ ନେଇଥିବା ସନ୍ଦେହ କରାଯାଉଛି। ଏପରିକି ଏଟିଏମ୍ ମେସିନକୁ କାଟିବା ପରେ ଲାଗିଥିବା ସିସିଟିଭିକୁ ନଷ୍ଟ କରି ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି। ଗତକାଲି ହିଁ ଉଭୟ ଏଟିଏମରେ ଲକ୍ଷାଧିକ ଟଙ୍କା ରଖାଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

ଚାଷ ଜମି ମଝିରେ ପଡ଼ି ରହିଛି ଅର୍ଦ୍ଧ ଦଗ୍ଧ ମୃତଦେହ

ମୟୂରଭଞ୍ଜ: ଚାଷ ଜମି ମଝିରେ ପଡ଼ି ରହିଛି ଅର୍ଦ୍ଧ ଦଗ୍ଧ ମୃତଦେହ। ମୟୂରଭଞ୍ଜ ଉଦଳା ଥାନା ଭଡ଼ରାଦିହି ଗାଁରେ ଘଟିଛି ଏଭଳି ଘଟଣା। ଆଜି ସକାଳୁ ଜମି ଭିତରେ ମୃତଦେହ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ।  ମୃତଦେହ ନିକଟରେ ପାଳ ଗଦା ରହିଛି, ଏହା ମଧ୍ୟ ଜଳି ଯାଇଛି। ଅନୁମାନ କରାଯାଉଛି ଏଠି ହିଁ କୌଣସି ଅପରାଧିକ ଗତିବିଧି ଘଟିଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ୍ ତଦନ୍ତ କରିଛି। ତେବେ ମୃତ ବ୍ୟକ୍ତି ଜଣକ କିଏ ସେ ନେଇ ଏବେ ଯାଏ ଜଣାପଡିନି।

ନୃସିଂହନାଥ ପୀଠର ଉନ୍ନତିକରଣ ପାଇଁ ପ୍ରଶାସନିକ ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନ

ବରଗଡ଼ : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ପୀଠର ଉନ୍ନତିକରଣ ହେବ। ଏଥିପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ଏକ ଟିମ୍ କ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପଶ୍ଚିମ ଓଡିଶା ବିକାଶ ପରିଷତ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ, ୫ଟି ସଚିବ ଭି.କେ. ପାଣ୍ଡିଆନ, ଜଳ ସମ୍ପଦ ସଚିବ ଅନୁ ଗର୍ଗ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ନୃସିଂହନାଥ ପୀଠ ପରିଦର୍ଶନ କରିଥିଲେ ।

ବେଆଇନ ଭାବେ ମଣ୍ଡିରେ ଗଚ୍ଛିତ ଧାନ ଜବତ

କଳାହାଣ୍ଡି : ବେଆଇନ ଭାବେ ମଣ୍ଡିରେ ଗଚ୍ଛିତ ଧାନ ଜବତ। କଳାହାଣ୍ଡି ଜୟପାଟଣା ବ୍ଲକ ପୁଝାରିଗୁଡା ଧାନମଣ୍ଡିରୁ ୨୧୨୨ ପ୍ୟାକେଟ୍ ଧାନ ଜବତ କରାଯାଇଛ॥ ପୁଝାରିଗୁଡା ଧାନମଣ୍ଡିରେ କିଛି ଦଲାଲ ଧାନ ବିକ୍ରି ପାଇଁ ଖବର ମିଳିଥିଲା। ଏହାପରେ ଧର୍ମଗଡ ଉପଜିଲ୍ଲାପାଳ ଓ ଯୋଗାଣା ବିଭାଗ ପକ୍ଷରୁ ମିଳିତ ଭାବେ ଚଢଉ କରାଯାଇଥିଲ॥ ୨୦ଜଣ ଚାଷୀ ସେମାନଙ୍କ ଧାନ ସମ୍ପର୍କରେ ସଠିକ ତଥ୍ୟ ଦେଇ ପାରି ନଥିବାରୁ ଯୋଗାଣ ବିଭାଗ ସେହି ଧାନକୁ ଜବତ କରି ତଦନ୍ତ କରୁଛି।

ଦାବି ପୂରଣ ପାଇଁ ତହସିଲ ଅଫିସରେ ତାଲା

ସୁବର୍ଣ୍ଣପୁର:ଦାବି ପୂରଣ ପାଇଁ ତହସିଲ ଅଫିସରେ ତାଲା। ସୁବର୍ଣ୍ଣପୁର ଡୁଙ୍ଗରୁପାଲି ବ୍ଲକ ଏସ.ରାମପୁର ତହସିଲ ଅଫିସରେ ଅନ୍ଧାରବାଞ୍ଜି ପଂଚାୟତର ଲୋକମାନେ ତାଲା ପକାଇ ଦେଇଛନ୍ତି। ଅନ୍ଧାରବାଞ୍ଜି ପଂଚାୟତର ସଂରକ୍ଷିତ ଜାଗା ଓ କେନାଲକୁ କିଛି ଲୋକ ଜବରଦଖଳ କରି ରଖିଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକମାନେ ପୂର୍ବରୁ ଏସ. ରାମପୁର ତହସିଲଦାରଙ୍କ ପାଖରେ ଅଭିଯୋଗ କରିଥିଲ॥ କିନ୍ତୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଶତାଧିକ ଲୋକ ଆସି ତହସିଲ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି। ପରିସ୍ଥିତିକୁ ନଜରରେ ରଖି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଆହୁରି ପଢନ୍ତୁ : ନିଜ ଅଫିସରେ ଭାକ୍ସିନ ନେବେ କରୋନା ସମ୍ମୁଖ ଯୋଦ୍ଧା

You might also like