ବଡ଼ ଭାଇ, ଭଉଣୀ ଓ ମାଆ ମିଶି ପୁଅକୁ ଜିଅନ୍ତା ଜାଳିଦେଲେ
ସଂକ୍ଷେପରେ ଟପ୍ ଖବର
ନୟାଗଡ଼ ନାବାଳିକା ହତ୍ୟା ମାମଲା; ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟ ନୋଟିସ୍ କରିଛନ୍ତି। ନ୍ୟାୟ ପାଇଁ ନାବାଳିକାର ମାଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଉଚ୍ଚତମ ନ୍ୟାୟାଳୟ ଏହି ନୋଟିସ୍ ଜାରି କରିଛନ୍ତି। SIT ତଦନ୍ତରେ ଅସନ୍ତୋଷ ପ୍ରକାଶ କରିବା ସହିତ ସିବିଆଇ ତଦନ୍ତ ଦାବିରେ ନାବାଳିକାର ମାଆ ସୌଦାମିନୀ ସାହୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଉଚ୍ଚତମ ନ୍ୟାୟାଳୟ ସୌଦାମିନୀଙ୍କ ଆବେଦନକୁ ଗ୍ରହଣ କରିବା ସହିତ ରାଜ୍ୟ ସରକାର ତଥା ସିବିଆଇକୁ ନୋଟିସ କରିଛନ୍ତି। ବର୍ତ୍ତମାନ ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ ଏସ୍ଆଇଟି ଏହି ମାମଲାର ତଦନ୍ତ କରୁଛି। କିନ୍ତୁ SIT ଉପରେ ଭରସା କରିପାରୁ ନାହାନ୍ତି ପରୀର ମାଆବାପା। ଏବଂ ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟ ଯାଇଛନ୍ତି।
ସେପଟେ ଏହି ମାମଲାରେ ଯେଉଁ ନାବାଳକକୁ ଅଭିଯୁକ୍ତ ଭାବେ ଏସ୍ଆଇଟି ଧରିଛି, ସିଏ ବ୍ରେନ ମ୍ୟାପିଂ ପାଇଁ ମନା କରି ଦେଇଛି। ପୂର୍ବରୁ ଉକ୍ତ ନାବାଳକ ନାର୍କୋ ଆନାଲିସିସ୍ ଟେଷ୍ଟକୁ ମଧ୍ୟ ମନା କରିଦେଇଥିଲା।
ପୋଲିସ ପାଇଁ ଯୁବକଙ୍କ ଜୀବନ ଗଲା !
ଭଦ୍ରକ: ପୋଲିସ ପାଇଁ ଜଣେ ଯୁବକଙ୍କ ଜୀବନ ଯାଇଥିବା ଅଭିଯୋଗ କରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଲ୍ଲୀନଗର ଛକରେ ତୁମୁଳକାଣ୍ଡ ହୋଇଛି। ଉତ୍ତ୍ୟକ୍ତ ଲୋକେ ପୋଲିସକୁ ନିସ୍ତୁକ ମାଡ଼ ମାରିବା ସହ ପୋଲିସ ଭ୍ୟାନକୁ ମଧ୍ୟ ଜାଳି ଦେଇଛନ୍ତି। ଚାପା ଉତ୍ତେଜନା ଥିବାରୁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ଅଭିଯୋଗ ଅନୁସାରେ, ନୟାନନ୍ଦ ପଞ୍ଚାୟତ ହାତୁଆରି ଗାଁର ମୁକ ଯୁବକ ବାପି ମହାଳିକକୁ ପୋଲିସ୍ ଗୋଡ଼ାଇବାରୁ ସେ ଏକ ପୋଖରୀରେ ପଶି ଯାଇଥିଲେ। ତେବେ ପୋଲିସ ତାଙ୍କୁ ଉଦ୍ଧାର ନକରି ପଳାଇ ଯାଇଥିଲା। ଅଗ୍ନିଶମ ବାହିନୀ ଆସିବା ବେଳକୁ ବାପିଙ୍କ ମୃତ୍ୟୁ ହୋଇ ସାରିଥିଲା।
ପୋଲିସ୍ ପାଇଁ ବାପିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ଲଙ୍କାକାଣ୍ଡ ଘଟାଇ ଥିଲେ। ଭଦ୍ରକ-ଚାନ୍ଦବାଲି ରାସ୍ତାର ଅଲ୍ଲୀନଗର ଛକରେ ଧାରଣା ଦେବା ସହ ସେ ସମୟରେ ଆସୁଥିବା ପୀରହାଟ ପୋଲିସଙ୍କୁ ମାଡ଼ ମାରିଥିଲେ।
ପୀରହାଟ ପୋଲିସକୁ ଲୋକେ ତିହିଡ଼ି ପୋଲିସ ଭାବି ଆକ୍ରମଣ କରିଥିଲେ। ଏପରିକି ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ପରେ ସେମାନେ ମୃତଦେହ ରଖି ଭଦ୍ରକ-ଚାନ୍ଦବାଲି ରାସ୍ତା ବି ଅବରୋଧ କରିଥିଲେ।
ଜନ୍ମକଲା ପୁଅକୁ ଜୀଅନ୍ତା ଜାଳିଦେଲା ମାଆ
ଅନୁଗୁଳ: ଜନ୍ମକଲା ପୁଅକୁ ଜୀଅନ୍ତା ଜାଳିଦେଲା ମାଆ। କେବଳ ମା ନୁହେଁ, ଏହି ଜଘନ୍ୟକାଣ୍ଡରେ ସାମିଲ ଥିଲେ ବଡ଼ ଭାଇ ଓ ବଡ଼ ଉଭଣୀ। ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା କେନ୍ଦୁସାହି ଘଟଣାରେ ଏଭଳି ଚାଞ୍ଚଲ୍ୟକର ଘଟମା ସମ୍ପର୍କରେ ସୂଚନା ଦେଇଛି ପୋଲିସ।
ପୋଲିସର ସୂଚନା ଅନୁସାରେ, ମାଆ, ବଡ଼ ଭାଇ, ବଡ଼ ଭଉଣୀ, ସମସ୍ତେ ମିଶି ପୁଅ ରାଜକିଶୋରକୁ ଖୁଣ୍ଟରେ ବାନ୍ଧିବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। କାରଣ ପୁଅ କୁଆଡ଼େ ନିଶା କରୁଥିଲା।
ପୋଲିସର କହିବାନୁସାରେ, ରାଜକିଶୋର ସବୁବେଳେ ନିଶାସେବନ କରି ଘରେ କଳିଝଗଡ଼ା କରୁଥିଲା। ଗତକାଲି ବି ସେ ଘରେ ଗଣ୍ଡଗୋଳ କରିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମାଆ, ବଡ଼ ଭାଇ ଓ ଭଉଣୀ ମିଶି ତାକୁ ଖୁଣ୍ଟରେ ବାନ୍ଧି ଜୀଅନ୍ତା ଜାଳିଦେଇଥିଲେ। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ। ଏମାନେ ସମସ୍ତେ ଆଜି କୋର୍ଟଚାଲାଣ ହୋଇଛନ୍ତି।
କୁକୁଡ଼ା ଲଢ଼େଇ ବନ୍ଦ କରିବାରୁ ପୋଲିସକୁ ମାଡ଼
କେନ୍ଦୁଝର: କୁକୁଡ଼ା ଲଢ଼େଇ ବନ୍ଦ କରିବାକୁ ଚେଷ୍ଟା କରିବାରୁ ପୋଲିସ ଉପରେ ଆକ୍ରମଣ ହୋଇଛି। ପୋଲିସ ଉପରକୁ ଟେକା ପଥର ମାଡ଼ କରିଛନ୍ତି ଉତ୍ୟକ୍ତ ଲୋକେ। ଏଥିରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। କେନ୍ଦୁଝର ପଣ୍ଡା ପଡ଼ାରେ ଏଭଳି ଘଟଣା ଘଟିଛି।
ପଣ୍ଡା ପଡ଼ା ହାଟରେ ବହୁ ଦିନ ହେଲା କୁକୁଡ଼ା ଲଢ଼େଇ ହୋଇ ଆସୁଥିଲା। ପୋଲିସ ସେଠାରେ ପହଞ୍ଚି, ତାକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲା। ଏପରିକି କୁକୁଡ଼ା ନେଇ ଯିବାକୁ ଉଦ୍ୟମ କରିବାରୁ ତାତି ଥିଲେ ଲୋକେ। ପୋଲିସ ଉପରକୁ ପ୍ରବଳ ଟେକା ପଥର ମାଡ଼ କରିଥିଲେ।
ଏଥିରେ ପୋଲିସ ଗାଡ଼ିର କାଚ ଭାଙ୍ଗି ଯାଇଥିବା ବେଳେ ଥାନା ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ଘଟଣା ସ୍ଥଳରେ ସଦର ଏସ୍ଡିପିଓ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ।
ଘନେଇଲା ମୟୂରଭଞ୍ଜର ପୋଷ୍ଟର ରାଜନୀତି
ମୟୂରଭଞ୍ଜ: ପିଏମ୍ ଆୱାସ ଯୋଜନାରେ ବିଜୁ ବାବୁଙ୍କ ଫଟୋ ପ୍ରସଙ୍ଗକୁ ନେଇ ମୟୁରଭଞ୍ଜ ରାଜନୀତି ସରଗରମ ହୋଇଛି। ଗତକାଲିର ଘଟଣାକୁ ନେଇ ଆଜି ପୁଣି ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି। ବିଜେପି ବିରୋଧରେ ଆଜି ମନ୍ତ୍ରୀ ସୁଦାମ ମାର୍ଣ୍ଣିଂଙ୍କ ସମେତ ଦଳର କର୍ମୀ ଓ ନେତା ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରି ରାଜରାସ୍ତାକୁ ଓହ୍ଲାଇଥିଲେ। ସେପଟେ ବିଜେପି ବି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ବିରୋଧରେ ଗର୍ଜିଛି।
ଗତକାଲି ବାରିପଦାରେ ଦିଶା ମିଟିଂ ବେଳେ ପିଏମ୍ ଆବାସ ଯୋଜନାରେ ବିଜୁବାବୁଙ୍କ ଫଟୋ କାହିଁକି ଲାଗିବ ଏବଂ ମୟୁରଭଞ୍ଜ ଜିଲ୍ଲାର ବରପୁତ୍ର ମାନଙ୍କର ଫଟୋ କାହିଁକି ଲାଗିବ ନାହିଁ ବୋଲି ବିଜେପି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୂର୍ମୁ କହିଥିଲେ। ଏହାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ମମତା ମହାନ୍ତ ବିଜୁବାବୁଙ୍କୁ ଅସମ୍ମାନ ଦର୍ଶାଇ ବୈଠକକୁ ବୟକଟ କରି ଧାରଣା ଦେଇଥିଲେ।
ଏହାପରେ ବିଜେଡି ନେତା ଓ କର୍ମୀ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଗାଡ଼ି ଆଗରେ ଶୋଇପଡ଼ି ନାରାବାଜି କରିବା ସହ ବିଜେପି ସାଂସଦ ଏବଂ ବିଧାୟକଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ସେପଟେ ଆଜି ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ମଧ୍ୟରେ ଟ୍ୱିଟର୍ ୱାର ଦେଖା ଦେଇଛି। ଦୁର୍ନୀତି ମୁଖା ଖୋଲିବା ପରେ ବିଜେଡି ହିଂସ୍ର ହେଉଛି ବୋଲି ଲେଖାଶ୍ରୀ ଟୁଇଟ୍ କରିଥିବାବେଳେ ବିଜେପି ପ୍ରବାଦ ପୁୁରୁଷଙ୍କୁ ଅସମ୍ମାନ କରିଛି ବୋଲି ପ୍ରଣବ ଟୁଇଟ୍ କରିଛନ୍ତି।