ପାଟକୁରାରେ କାହାର ହେବ ଜିତ୍ : ଆସନ୍ତାକାଲି ଆସିବ ଫଇସଲା

କେନ୍ଦ୍ରାପଡା /ଭୁବନେଶ୍ୱର : ପାଟକୁରା ଭୋଟ୍‌ ଗଣତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ କରିଛି ଜିଲ୍ଲା ପ୍ରଶାସନ। ଭୋଟ୍‌ ଗଣତି ହେବାକୁ ଥିବା କେନ୍ଦ୍ରାପଡ଼ା ଅଟୋନୋମସ୍ କଲେଜରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

ପୁରା ଅଞ୍ଚଳ ସିସିଟିଭି ନଜରରେ ଥିବା ବେଳେ ଜଗି ରହିଛନ୍ତି ସୁରକ୍ଷାକର୍ମୀ। ଗଣତି ପାଇଁ ଏଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ଏଥିଲାଗି ୧୮ଟି ଟେବୁଲ୍‌ର ବ୍ୟବସ୍ଥା କରାଯାଇଛି। ଅର୍ଥାତ୍ ଏଠାକାର ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ। ପ୍ରତ୍ୟେକ ଟେବୁଲ୍ ପାଇଁ  ମାଇକ୍ରୋ ଅବଜରଭର୍ ଓ ଦୁଇ ଜଣ କାଉଣ୍ଟିଂ ପର୍ସୋନେଲ୍ ରହିବେ। ସବୁ ଦଳର ଏଜେଣ୍ଟଙ୍କ ଉପସ୍ଥିତିରେ ଗଣତି ହେବ। ଦ୍ରୁତ ଗଣତି କରି ଦିନ ଗୋଟାଏ ସୁଦ୍ଧା ଫଳାଫଳ ଘୋଷଣା କରାଯିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ କହିଛନ୍ତି।

ସେପଟେ ଏହି ବହୁଚର୍ଚ୍ଚିତ ଆସନରେ କାହାର ହେବ ବାଜିମାତ୍ ? ଏଠି ବି ନବୀନ ମ୍ୟାଜିକ୍ କାମ କରିବ ନା ବିଜୟଙ୍କ ସ୍ୱାଭିମାନର ବିଜୟ ହେବ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା। ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ୍ ଓ ବିଜେପିର ବିଜୟ ମହାପାତ୍ରଙ୍କ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେଉଛିଯ

ବିଜେଡି ନିଜ ବିଜୟକୁ ନେଇ ନିଶ୍ଚିତ ଥିବା ବେଳେ ବିଜୟ ଆଶା ଛାଡିନି ବିଜେପି।  ଶହେ ଦୁଇ ଶହ ଭୋଟ୍ ବ୍ୟବଧାନ ହେଲେ ମଧ୍ୟ ଦଳର ବିଜୟ ସୁନିଶ୍ଚିତ ବୋଲି ବିଜେପି କହିଛି। ଅନ୍ୟପକ୍ଷରେ ଦଳ ଏଠାରେ ଭଲ କରିବ ନାହିଁ ବୋଲି ମାନିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି।

ପାଟକୁରା ନିର୍ବାଚନ ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ରାଜନୈତିକ ଭବିଷ୍ୟତ ସ୍ଥିର କରିବ ବୋଲି କୁହାଯାଉଛି। ତେବେ ବିଜୟଙ୍କୁ ବିଧାନସଭାରେ ପୁରାଇ ନଦେବା ଲାଗି ବିଜେଡି ସବୁ ପ୍ରକାର ଉଦ୍ୟମ କରିଥିବା ଅଭିଯୋଗ ବି ହେଉଛି। ଏବେ ଅପେକ୍ଷା କାଲିର ଫଳାଫଳକୁ।

You might also like