ଏଡ୍‌ସ ଦିବସରେ ଆସନ୍ତାକାଲି ଓଟିଭି ମିନି ମାରାଥନ

ସଚେତନତା ପାଇଁ ଗଣଦୌଡ଼ ଅାୟୋଜନ

ଭୁବନେଶ୍ୱର : ମୃତ୍ୟୁ ନୁହେଁ, ଜୀବନ ଅାଡ଼କୁ ଦୌଡ଼। ଏଡ୍‌ସ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ସ୍ଲୋଗାନ ଦେଇ ଓଟିଭି ଅାସନ୍ତାକାଲି ଅାୟୋଜନ କରୁଛି ମିନି ମାରାଥନ। ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଥିବା ସପ୍ତମ ବାଟାଲିୟନ ପଡ଼ିଆରୁ ସକାଳ ସାଢ଼େ ୬ଟାରେ ଏହି ମିନି ମାରାଥନ ଅାରମ୍ଭ ହେବ।

ଏହାକୁ ଉଦ୍‌ଘାଟନ କରିବେ ପ୍ରାଦେଶିକ ସେନା ୧୨୦ ଇନ୍‌ଫାନ୍‌ଟ୍ରି ବାଟାଲିୟନର ଅଫିସିଏଟିଂ କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ଜେ.ଏସ୍. ଭଦୋରିଅା ଓ ଉଦ୍‌ଯାପନୀ ଅତିଥି ଭାବେ ଯୋଗ ଦେବେ ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶିକା ଗୀତଞ୍ଜଳି ବି ଓ ଷ୍ଟେଟ୍ ବ୍ୟାଙ୍କର ସିଜିଏମ୍ ପ୍ରବୀଣ କାଲା। ଏଥିରେ ଅନେକ ସେଲିବ୍ରିଟି, କ୍ରୀଡ଼ାବିତ୍, ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ଯୋଗ ହେବେ।

ଏଡ୍‌ସ ମହାମାରୀ ହେବାର କାରଣ ହେଲା ଏହାର ସଂପୂର୍ଣ୍ଣ ଚିକିତ୍ସା ପଦ୍ଧତି ଏ ପର୍ଯ୍ୟନ୍ତ ବାହାରି ନାହିଁ। ତେଣୁ ଏହା ବ୍ୟାପିବାର କାରଣ କଣ, କେମିତି ତାକୁ ରୋକା ଯାଇ ପାରିବ, ତାହା ଜାଣିଲେ ହିଁ ଏହାକୁ ଜିଣି ହେବ। ଏ ବର୍ଷ ଏଡ୍‌ସ ଦିବସର ବାର୍ତ୍ତା ରହିଛି KNOW YOUR STATUS   ଅର୍ଥାତ ସମସ୍ତେ ଏଡ୍‌ସ ଓ HIVକୁ ନେଇ ନିଜର ଅବସ୍ଥା ଜାଣନ୍ତୁ। ନିଜେ ସଚେତନ ହୁଅନ୍ତୁ ଓ ଅନ୍ୟମାନଙ୍କୁ ସଚେତନ କରାନ୍ତୁ।

୨୦୦୯ରୁ ଡିସେମ୍ବର ୧ ବିଶ୍ୱ ଏଡ୍‌ସ ଦିବସ ଅବସରରେ ପ୍ରତି ବର୍ଷ ଓଟିଭି ପକ୍ଷରୁ ମିନି ମାରାଥନ ଅାୟୋଜିତ ହୋଇ ଅାସୁଛି। ଚଳିତ ବର୍ଷ ହେଉଛି ଏହାର ଦଶମ ସଂସ୍କରଣ।

You might also like