ରାତି ପାହିଲେ ବିଜେପୁର ଭୋଟ୍

ଭୁବନେଶ୍ୱର : ରାତି ପାହିଲେ ବିଜେପୁର ଉପନିର୍ବାଚନ। ନିର୍ଦ୍ଧାରଣ ହେବ ୫ ପ୍ରାର୍ଥୀଙ୍କ ଭାଗ୍ୟ । ୨୮୫ଟି ବୁଥ୍‌ରେ ଭୋଟ ଦେବେ ୨ଲକ୍ଷ ୩୨ ହଜାରରୁ ଅଧିକ ଭୋଟର। ସମସ୍ତ ପୋଲିଂ ପାର୍ଟି ଇଭିଏମ, ଭିଭିପାଟ୍ ସହ ବୁଥ୍‌ ଗୁଡ଼ିକରେ ପହଞ୍ଚି ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି କରିସାରିଛନ୍ତି।

ବିଜେପୁରରେ ଏଥର ୧୧ଟି ଆଦର୍ଶ ବୁଥ୍‌ କରାଯାଇଥିବା ବେଳେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗାଇସିଲେଟ ବ୍ଲକର ୬ଟି ମାଓ ପ୍ରବଣ ବୁଥରେ ସୁରକ୍ଷା କଡ଼ା କରାଯାଇଛି। ପ୍ରତି ବୁଥ୍‌ରେ ସକାଳ ସାଢେ ୫ଟାରେ ମକ୍ ପୋଲ୍ କରାଯିବ।  ଏହାପରେ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ।

 ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ଲାଗି ୩୩ ପ୍ଲାଟୁନ୍ ଫୋର୍ସ ସହ ୫ କମ୍ପାନୀ ସିଆରପିଏଫ୍ ଓ ବରିଷ୍ଠ ପୁଲିସ ଅଧିକାରୀମାନେ ମୁତୟନ ହୋଇଛନ୍ତି।  ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।

ବିଜେପୁର ନିର୍ବାଚନରେ ମୁଖ୍ୟତଃ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ସପକ୍ଷରେ ପ୍ରଚାର ପାଇଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ୨ଦିନ ପ୍ରଚାର କରିଥିବାବେଳେ ବିଜେଡିର ୧୨ରୁ ଅଧିକ ମନ୍ତ୍ରୀ ଓ ବହୁ ହେଭିୱେଟ୍ ବିଧାୟକ ଓ ସାଂସଦ ସେଠାରେ ଡେରା ପକାଇଛନ୍ତି।

ସେହିପରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଜୟ ମହାପାତ୍ର, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସାଂସଦ ସୁରେଶ ପୂଜାରୀ, କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଜୋରଦାର ପ୍ରଚାର କରିଛନ୍ତି। ଏହି ଦୁଇ ଦଳ ତୁଳନାରେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ସପକ୍ଷରେ ଦଳୀୟ ପ୍ରଚାର ଅଭିଯାନ ଧିମା ରହିଥିବା ଦେଖିବାକୁ ମିଳିଛି।

You might also like