ପ୍ରକୃତିର ଚମତ୍କାର ! ଗୋଟିଏ ଗଛରେ ଦୁଇ ପ୍ରକାର ଫଳ, ଆଳୁ ଗଛରେ ଫଳିଛି ଟମାଟୋ

ପାରାଦ୍ୱୀପ (ରମାକାନ୍ତ ନାୟକ) : ପ୍ରକୃତିର ଚମତ୍କାର । ଆଳୁ ଗଛରେ ଫଳିଛି ଟମାଟୋ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ନିରାଟ ସତ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବଗଦିଆ ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ଶଙ୍କର ସ୍ୱାଇଁଙ୍କ ବାଡ଼ିରେ ଲଗାଯାଇଥିବା ୩ଟି ଆଳୁ ଗଛ ମଧ୍ୟରୁ ଗୋଟିକରେ ଉଭୟ ଆଳୁ ଓ ଟମାଟୋ ଫଳିଛି ।  ଅର୍ଥାତ୍ ମାଟିତଳେ ଆଳୁ ଫଳିଥିବା ବେଳେ ଗଛର ଦୁଇଟି ଶାଖାରେ ଦୁଇ ପେନ୍ଥା ଟମାଟୋ ଫଳିଛି । ତେବେ ଏକଥା ଜଣାପଡ଼ିବା ପରେ ଆଳୁ ଗଛରେ ଫଳିଥିବା ଟମାଟୋ ଦେଖିବା ପାଇଁ ବାଡ଼ିରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି ।

 

ଗୋଟିଏ ଗଛରେ ଦୁଇ ପ୍ରକାର ଫଳ । ରାସାୟନିକ ସାର ପ୍ରୟୋଗ କରାଯାଇନି, କି କଲମି କରାଯାଇନି । ପାରାଦୀପ ଉପକଣ୍ଠ ବଗଦିଆ ଗାଁର ଜଣେ ବ୍ୟକ୍ତିଙ୍କ ବାଡ଼ିରେ ମାଟିତଳେ ଆଳୁ ଫଳିଥିବା ବେଳେ ଉପରେ ଫଳିଛି ଟମାଟୋ । ରୋଷେଇ ପାଇଁ ଦୋକାନରୁ ଆଣିଥିବା ଆଳୁ ମଧ୍ୟରୁ ୨ଟିରେ ଗଜା ହୋଯାଇଥିଲା । କିଛି ଆଳୁକୁ କାଟି ରୋଷେଇ କରିବା ସହ ବଳକା ଆଳୁକୁ ଶଙ୍କର ସ୍ୱାଇଁ ବାଡ଼ିରେ ପୋତି ଦେଇଥିଲେ । ତେବ ଗଛ ଗୁଡ଼ିକ ବଡ଼ ହେବା ପରେ ଗୋଟିଏ ଗଛରେ ୩ ପେନ୍ଥା ଟମାଟୋ ପରି ଫଳ ଫଳିଥିବାର ଦେଖିବାକୁ ପାଇଥିଲେ । କଞ୍ଚା ଥିବା ହେତୁ ସେ ଅଧିକ ଧ୍ୟାନ ଦେଇନଥିଲେ । ତେବେ ସହି ଫଳ ମଧ୍ୟରୁ ଗୋଟିଏ କାଟିବା ପରେ ଟମାଟୋ ପରି ମଞ୍ଜି ଓ ରସ ବାହାରୁଛି  । ଅନ୍ୟପଟେ ଗଛର ଚେରକୁ ଆଡ଼େଇବା ପରେ ସେଥିରେ ଆଳୁ ଫଳିଥିବା ଦେଖିବାକୁ ମଳିଥିଲା ।

ତେବେ ଆଳୁ ଗଛରେ ଟମାଟୋ ଫଳିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ମାତ୍ର ଯିଏ ଦେଖିଛି ସିଏ ବିଶ୍ୱାସ ନକରି ରହିପାରୁନି । ଶଙ୍କର ଅପେକ୍ଷା କରିଛନ୍ତି ଆଗକୁ ଏହି ଫଳ ପାଚିବା ପରେ ଟମାଟୋ ପରି ଲାଲ ରଙ୍ଗ ହବ କି ନାହିଁ ? କୌଣସ ପ୍ରକାର କଲମି ନକରି କିମ୍ବା ରାସାୟନିକ ଦ୍ରବ୍ୟ ବ୍ୟବହାର ନକରି ଆଳୁ ଗଛରେ ଭିନ୍ନ ଫଳ ଫଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।  ଏକଥା ଶୁଣି ଆଖପାଖ ଲୋକ ମଧ୍ୟ ଗହଳି ଲଗାଉଛନ୍ତି । ନିଜ ଜୀବନକାଳ ମଧ୍ୟରେ ବୟସ୍କମାନେ ମଧ୍ୟ ଏପରି  ଆଶ୍ଚର୍ଯ୍ୟ ଦେଖିନାହାନ୍ତି ବୋଲି ପ୍ରକାଶ କରିଛନ୍ତି । ତେବେ ଆଳୁ ଗଛରେ ଫଳିଥିବା ଫଳ ପ୍ରକୃତରେ ଟମାଟୋ ନା ଆଉ କ’ଣ ତାହା ଏଯାଏ ସ୍ପଷ୍ଟ ହୋନାହିଁ ।

You might also like