ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଆଜି ଅଶୋକାଷ୍ଟମୀ ତଥା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏନେଇ ୧୪୪ ଧାରା ଜାରି ହୋଇଛି। କରୋନା ସଂକ୍ରମଣ ଦୃଷ୍ଟିରୁ ଏଥର ରୁକୁଣା ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ କମିଶନରେଟ୍ ପୋଲିସ ପକ୍ଷରୁ ୧୪୪ ଧାରା ଜାରି ହେବ। ଆଜି ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହେବ।

ଏପ୍ରିଲ ୨୦ ଓ ୨୪ ତାରିଖରେ ୧୪୪ ଧାରା ବଳବତ୍ତର ରହିବ ବୋଲି ପୋଲିସ କମିଶନର କହିଛନ୍ତି। ରଥଦାଣ୍ଡକୁ ଭକ୍ତଶୂନ୍ୟ କରିବା ପାଇଁ ୧୪୪ ଧାରା ଲଗାଯାଇଛି। କେବଳ କୋଭିଡ୍ ନେଗେଟିଭ ଥିବା ସେବାୟତଙ୍କୁ ଅନୁମତି ମିଳିବ। ରୁକୁଣା ରଥଯାତ୍ରା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ ଏବଂ ୫୦ ଅଫିସର ମୁତୟନ ହେବେ। ରଥଟଣା ପୂର୍ବରୁ ଗତକାଲି ପୁରା ଅଞ୍ଚଳକୁ ଏବଂ ରଥକୁ ସାନିଟାଇଜ୍ କରାଯାଇଛି।

ସେପଟେ ଚଳିତ ବର୍ଷର ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଶେଷ ହୋଇଛି। ପାଟ, ପଟୁଆରରେ ମନ୍ଦିରକୁ ବାହୁଡ଼ିଛନ୍ତି ମା’ ବୁଢ଼ୀ ଠାକୁରାଣୀ। ଗତକାଲି ବିଳମ୍ବିତ ରାତିରେ ମା’ଙ୍କୁ ରୀତିନୀତି ଅନୁସାରେ ଶୋଭାଯାତ୍ରାରେ ମନ୍ଦିରକୁ ପାଛୋଟି ଅଣାଯାଇଛି। ଅସ୍ଥାୟୀ ପୀଠରୁ ମା’ଙ୍କୁ ମନ୍ଦିରକୁ ନିଆଯାଇଛି। କରୋନା କଟକଣା ମଧ୍ୟରେ ନିର୍ଦ୍ଦେଶ ମୁତାବକ ସମସ୍ତ ପ୍ରକ୍ରିୟା କରାଯାଇଛି। କେବଳ ପୂଜକ ଓ ନୀତିରେ ଆବଶ୍ୟକ କରୁଥିବା ଲୋକେ ଏଥିରେ ସାମିଲ ହୋଇଥିଲେ। ୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମଣ୍ଡପରୁ ମନ୍ଦିର ଯାଏ ସୁରକ୍ଷା ପାଇଁ ମୁତୟନ କରାଯାଇଥିଲା। ଯାତ୍ରାର ଶେଷ ୪ ଦିନ ସାଧାରଣ ଦର୍ଶନକୁ ବାରଣ କରାଯାଇଥିଲା। ଏହାସହ ସାହି ପରିକ୍ରମା, ମେଢ଼, ରଥ, ବେଶ, ମେଳଣ ପ୍ରଭୃତି ପ୍ରକ୍ରିୟା ଉପରେ ବି ରୋକ୍‌ ଲାଗିଥିଲା।

ଅନ୍ୟପକ୍ଷେ, କୋଭିଡ୍‌ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଚଳିତ ବର୍ଷର ପୁରୀ ସାହିଯାତ। କମ୍ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ସାହିଯାତ କରିବା ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି।  ଏପ୍ରିଲ ୨୧ ଶ୍ରୀରାମ ନବମୀରୁ ମେ’ ୪ ତାରିଖ ରାମାଭିଷେକ ପର୍ଯ୍ୟନ୍ତ ସାହିଯାତ ଅନୁଷ୍ଠିତ ହେବ। ଏଥର କୋଭିଡ କଟକଣା ମଧ୍ୟରେ ବ୍ୟବସ୍ଥିତ ଢଙ୍ଗରେ କିଭଳି ସାହିଯାତ କରାଯାଇପାରିବ ତାକୁ ନେଇ ସାହି ମୁରବିଙ୍କ ସହ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ନିଷ୍ପତ୍ତି ଅନୁସାରେ, କୌଣସି ସାହିରେ ଶୋଭାଯାତ୍ରା ବାହାରିବନି। କିଛି ନିର୍ଦ୍ଦିଷ୍ଠ ବ୍ୟକ୍ତି ବିଶେଷଙ୍କୁ ପାସ୍ ଦିଆଯିବ। ପାସ୍ ଥିବା ବ୍ୟକ୍ତି ହିଁ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ। ଜଗନ୍ନାଥବଲ୍ଲଭରେ ସମସ୍ତ ପାରମ୍ପରିକ ବିଧି ପାଳନ କରାଯିବ। ସମସ୍ତ ସେବାୟତ ମାନେ ମଧ୍ୟ କୋଭିଡ ନିୟମ ଅନୁସାରେ ସାହିଯାତ ପାଳନ କରିବେ ବୋଲି ସହମତି ଦେଇଛନ୍ତି।

ଶନିବାର ଓ ରବିବାରରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଘଟଗାଁ ତାରିଣୀ ମନ୍ଦିର। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଧାରଣ ଭକ୍ତଙ୍କ ପାଇଁ ଶନିବାର ଓ ରବିବାର ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ଓଡ଼ିଶା ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା କରୋନାର ଦ୍ୱିତୀୟ ଡୋଜ୍ ଭ୍ୟାକ୍‌ସିନ୍‌ ନେଇଥିବା ନିୟମକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ଭିତରୁ ଆସୁଥିବା ଭକ୍ତମାନେ ପରିଚୟ ପତ୍ର ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ମନ୍ଦିର ଭିତରେ ଓ ବାହାରେ ସମସ୍ତେ ମାସ୍କ ବ୍ୟବହାର କରିବେ। ଭକ୍ତଙ୍କ ଦ୍ୱାରା ମନ୍ଦିରରେ କୌଣସି ପୂଜା ସାମଗ୍ରୀ ଯଥା, ନଡ଼ିଆ, କଦଳୀ, ଧୂପ, ଦୀପ ସିନ୍ଦୂର, ଫୁଲ ଆଦି ପୂଜା କରାଯିବ ନାହିଁ ବୋଲି ତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

You might also like