ଉପନିର୍ବାଚନ ପ୍ରଚାର ଆରମ୍ଭରୁ ପିପିଲିରେ ହିଂସା

ଉଠୁଛି ପଡୁଛି ପିପିଲି

  • ଉପନିର୍ବାଚନ ପ୍ରଚାର ଆରମ୍ଭରୁ ପିପିଲିରେ ଦେଖାଗଲା ହିଂସା
  • ରାଇଗିରିପୁରରେ ବିଜେପି କର୍ମୀଙ୍କ ଉପରେ ବିଜେଡି ସମର୍ଥକଙ୍କ ଆକ୍ରମଣ ଅଭିଯୋଗ
  • ଗାଡ଼ି ଭଙ୍ଗାରୁଜା, ହତ୍ୟା ଧମକ ଅଭିଯୋଗ ନେଇ ପିପିଲିରେ ଚାପା ଉତ୍ତେଜନା
  • ପ୍ରତିବାଦରେ ଆଶ୍ରିତ ଓ ସମର୍ଥକଙ୍କ ଧାରଣା ସହ ଥାନା ଘେରାଉ
  • ଥାନା ଆଗରେ ବିଜେଡି ଓ ବିଜେପି ହେଲେ ମୁହାଁମୁହିଁ
  • ବିଜେଡି କହିଲା ରାଲି ଦେଖି ପରାଜୟ ଭୟରେ ବିଜେପିର ମିଥ୍ୟା ଅଭିଯୋଗ

ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପିପିଲି ଉପ-ନିର୍ବାଚନର ଘମାଘୋଟ କ୍ୟାମ୍ପେନ୍ ଭିତରେ ପଡ଼ିଲାଣି ନିର୍ବାଚନୀ ହିଂସାର ମୂଳଦୂଆ।ପ୍ରଚାରରେ ଯାଇଥିବାବେଳେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସମର୍ଥକଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ଆଣିଛି ବିଜେପି। କେବଳ ଅଭିଯୋଗ ନୁହେଁ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ଧାରଣା ଦେବା ସହ ଥାନା ଘେରାଓ କରିଥିଲା। ଆଉ ଏସବୁ ଭିତରେ ଆଜି ଜମିଛି ୩ ପ୍ରମୁଖ ଦଳଙ୍କ ନିର୍ବାଚନୀ କ୍ୟାମ୍ପେନ୍।

ବିଜେଡି ଗଡ଼ ପିପିଲିରେ ନିର୍ବାଚନୀ ହିଂସାର ଆଜି ଟ୍ରେଲର୍ ଦେଖିବାକୁ ମିଳିଛି। ବିଜେପି କର୍ମୀଙ୍କୁ ହମ୍ଲା, ଗାଡ଼ି ଭଙ୍ଗାରୁଜା, ହତ୍ୟା ଧମକ ଆଦି ଘଟଣା ଦେଖିବାକୁ ମିଳିଛି। ପିପିଲିରେ ଶାନ୍ତି ପ୍ରତିଷ୍ଠାର ନାରା ଦେଇ ପ୍ରଚାର କରୁଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସମର୍ଥକ ତଥା ଜଣେ ବିଜେପି କର୍ମୀଙ୍କୁ ହୋଇଛି ଆକ୍ରମଣ। ଆଉ ଆକ୍ରମଣକାରୀ ଜଣେ ବିଜେଡି କର୍ମୀ ବୋଲି ସିଧାସଳଖ ଅଭିଯୋଗ ଆଣିଛି ବିଜେପି। ମଧ୍ୟାହ୍ନ ପ୍ରାୟ ୧୨ଟାରେ ସହଜପୁର ପଞ୍ଚାୟତରୁ କ୍ୟାମ୍ପେନ୍ ଆରମ୍ଭ କରିଥିଲେ ଆଶ୍ରିତ। ଏହି କ୍ୟାମ୍ପେନ୍ ସମୟରେ ହିଁ ରାଇଗିରିପୁରରେ ମୁହାଁମୁହିଁ ହୋଇଥିଲେ ଉଭୟ ଦଳର ୨ କର୍ମୀ।

ଚିତ୍ତରଂଜନ ନାୟକ ନାମକ ଜଣେ ବିଜେପି କର୍ମୀଙ୍କୁ ଆକ୍ରମଣ ସହ ଶାସକ ଦଳର କର୍ମୀ ବାଇକ୍ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏପରିକି ହତ୍ୟା ଧମକ ବି ଦିଆଯାଇଥିବା ସୂଚନା ମିଳିଛି। ଯାହାକୁ ନେଇ ଖଡଗହସ୍ତ ହୋଇଛି ବିଜେପି। ତୁରନ୍ତ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ସହ ରାଇଗିରିପୁର ଗାଁ ଦାଣ୍ଡରେ ଧାରଣା ଦେଇଥିଲେ ବିଜେପି ପ୍ରାର୍ଥୀ ଓ ଦଳର କିଛି ବରିଷ୍ଠ ନେତା। ପରେ ସେଠାରୁ ଉଠି ପିପିଲି ଥାନା ଆଗରେ ଆଉ ପରେ ପୁଣି ବିକ୍ଷୋଭ କରିଥିଲା ଦଳ। ଏହି ସମୟରେ ବିଜେଡି ସମର୍ଥକମାନେ ମଧ୍ୟ ପହଞ୍ଚି ହୋହଲ୍ଲା କରିବା ସହ କିଛି ସମୟ ପରେ ଥାନା ଛାଡ଼ି ଚାଲିଯାଇଥିଲେ। ତେବେ ୨୪ ଘଣ୍ଟା ଭିତରେ ଆକ୍ରମଣକାରୀକୁ ଗିରଫ କରାନଗଲେ ପୁଣି ଆନ୍ଦୋଳନର ଚେତାବନୀ ଦେଇ ଧାରଣାରୁ ଉଠିଥିଲେ ବିଜେପି ନେତା ଓ କର୍ମୀ।

ତେବେ କାହା ଇସାରାରେ ସଂପୃକ୍ତ ବିଜେଡି କର୍ମୀ ଭିଆଇଛନ୍ତି କାଣ୍ଡ ? ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଯାଇଥିବା କର୍ମୀଙ୍କୁ ଏଭଳି ଆକ୍ରମଣ ପଛରେ କାରଣ କଣ ? ସେନେଇ ଏବେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିବାବେଳେ କଂଗ୍ରେସ ଏଭଳି ଆକ୍ରମଣକୁ ନିନ୍ଦା କରିଛି। ବିଜେଡି କହିଛି, ପରାଜୟ ଭୟରେ ବିଜେପି ଏଭଳି ଅଭିଯୋଗ ଆଣିଛି।

କିନ୍ତୁ ଏ ସବୁ ଭିତରେ ଜାରି ରହିଛି ୩ ପ୍ରମୁଖ ଦଳର ସରଗରମ କ୍ୟାମ୍ପେନ୍। ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ନିଜ ସମର୍ଥକଙ୍କୁ ଧରି ବାଇକରେ ପ୍ରଚାର କରିଛନ୍ତି। ୨୨ ନମ୍ବର ଜିଲ୍ଲା ପରିଷଦ ଜୋନର ୪ଟି ପଞ୍ଚାୟତରେ ରୁଦ୍ର ଆଜି ପ୍ରଚାର କରିଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୨୪ ନମ୍ବର ଜୋନରେ ଘରକୁ ଘର ଯାଇ କ୍ୟାମ୍ପେନ୍ କରିଥିବାବେଳେ ୨୩ ନମ୍ବର ଜୋନରେ ଭୋଟରଙ୍କୁ ମନେଇବାରେ ଲାଗିଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ।

ସେପଟେ ପିପିଲି ଉପନିର୍ବାଚନ ପାଇଁ ନିଜର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ବିଜେଡି। ତାଲିକାରେ ଅଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ୭ ଜଣ ମନ୍ତ୍ରୀ, ୧୫ ବିଧାୟକ ଓ ୨ ଜଣ ସାଂସଦ। ସେହିପରି କଂଗ୍ରେସ ବି ଜାରି କରିଛି ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାଁ। ଏଥିରେ ପ୍ରଭାରୀ, ପିସିସି ସଭାପତିଙ୍କ ସମେତ ୮ ବିଧାୟକ ଅଛନ୍ତି। ପୂର୍ବରୁ ବିଜେପି ତାର ଷ୍ଟାର ପ୍ରଚାରକ ତାଲିକା ଜାରି କରିସାରିଛି।

You might also like