ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ଦିନ ମହାପ୍ରଭୁଙ୍କର ଏହି ପଦ୍ମବେଶ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ମଉଳା ପଦ୍ମଫୁଲରେ ଏହି ବେଶ ଧାରଣ କରିବେ । ସପ୍ତଦଶ ଶତାଦ୍ଧୀରୁ ବଡଛତା ମଠର ସନ୍ଥ ରଘୁବର ଦାସ ଏହି ବେଶ ଆରମ୍ଭ କରିଥିଲେ।
ଭକ୍ତ ଓ ଭଗବାନଙ୍କ ସମ୍ପର୍କର ନିଦର୍ଶନ ସ୍ୱରୂପ ଏହି ପଦ୍ମବେଶ ଅନୁଷ୍ଠିତ ହୋଇଥାଏ। ସୋଲ,ଜରି,କନା,କଇଥ ଅଠାରେ ପ୍ରସ୍ତୁତ ପଦ୍ମବେଶକୁ ବଡଛତା ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ । କିରୀଟ, ଚୂଳ, ହୃଦପଲ୍ଲବ, କରପଲ୍ଲବ,ଶ୍ରୀମୁଖ ପଦ୍ମରେ ବିଭୂଷିତ ହୋଇ ଝଲସିବେ ମହାପ୍ରଭୁ । ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ସରି ରାତ୍ର ଚନ୍ଦନଲାଗି ଓ ବଡସିଂହାର ବେଶ ସମୟରେ ଏହି ପଦ୍ମବେଶ ଅନୁଷ୍ଠିତ ହେବ । ଏହାପରେ ଶ୍ରୀଜୀଉଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖିରୀ ଓ ଅମାଲୁ ଭୋଗ ଲାଗି ହେବ ।